୬ ବର୍ଷ ବିତିଲା, ଛାତ୍ରୀ ଦୁଷ୍କର୍ମ ମାମଲାର ଆରମ୍ଭ ହୋଇନି ଶୁଣାଣି ; ନ୍ୟାୟ ଅପେକ୍ଷାରେ ୩୧୮ ପୋକ୍ସୋ ମାମଲା
ସମ୍ବଲପୁର : ଅନୁଗୁଳ ଶିଶୁ ଦୁଷ୍କର୍ମ ଘଟଣାରେ ୬ ମାସ ମଧ୍ୟରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ହୋଇଛି। ଏଥି ପୂର୍ବରୁ ସମ୍ବଲପୁର ଜିଲ୍ଲା ଶାସନ ଗଣଦୁଷ୍କର୍ମ ମାମଲାରେ ମାତ୍ର ଗୋଟିଏ ମାସ ମଧ୍ୟରେ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ପକ୍ସୋ (ଯୌନ ଶୋଷଣରୁ ଶିଶୁ ସୁରକ୍ଷା) ଆଇନ ଅନ୍ତର୍ଗତ ଏହିସବୁ ମାମଲାରେ ତ୍ବରିତ ନ୍ୟାୟ ପ୍ରଦାନ ସମଗ୍ର ରାଜ୍ୟ ପାଇଁ ଦୃଷ୍ଟାନ୍ତମୂଳକ ହୋଇଛି। ଅନ୍ୟପକ୍ଷରେ ୬ ବର୍ଷ ବିତି ସାରିଥିଲେ ସୁଦ୍ଧା ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅନୁସୂଚିତ ଜାତି-ଜନଜାତି ସ୍କୁଲ ଛାତ୍ରୀ ଯୌନ ଶୋଷଣ ମାମଲାର ଶୁଣାଣି ଆରମ୍ଭ ହୋଇନାହିଁ। ଚର୍ଚିତ ନକ୍ସାପାଲି ବାଳାଶ୍ରମ ନାବାଳିକା ଯୌନ ନିର୍ଯାତନା ମାମଲାର ଶୁଣାଣି ଆରମ୍ଭ ହୋଇଥିଲେ ମଧ୍ୟ ରାୟ ପ୍ରକାଶ ପାଇନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ପକ୍ସୋ ଅନ୍ତର୍ଗତ ୬ ବର୍ଷରେ ୧୪ ମାମଲା ସମେତ ସମୁଦାୟ ୩୧୮ ମାମଲା ଏଡିଜେ କୋର୍ଟରେ ବିଚାରାଧୀନ ରହିଛି। ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଦାବି ନେଇ ସେପ୍ଟେମ୍ବର ମାସରୁ ଶୁଣାଣି ବନ୍ଦ ରହିଥିବାରୁ ଏହି ମାମଲାଗୁଡ଼ିକରେ ଅଭିଯୋଗକାରୀଙ୍କୁ କେବେ ନ୍ୟାୟ ମିଳିବ ସେ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।
୨୦୧୩ ମସିହା ସମ୍ବଲପୁର ଜିଲ୍ଲା ନକ୍ସାପାଲି ଆଶ୍ରମର ପରିଚାଳକ ୪ ଜଣ ନାବାଳିକା ଅନ୍ତେବାସିନୀଙ୍କୁ ଯୌନ ନିର୍ଯାତନା ଦେବା ଘଟଣା ସମ୍ବଲପୁରକୁ ସ୍ତବ୍ଧ କରି ଦେଇଥିଲା। ଏ ନେଇ ଧନୁପାଲି ଥାନା ପୁଲିସ ପରିଚାଳକ ଉପେନ୍ଦ୍ର ଦାସଙ୍କୁ ଗିରଫ କରିଥିଲା। ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲେ ହେଁ ଏଯାଏ ରାୟ ପ୍ରକାଶ ପାଇନାହିଁ।
ସେହିପରି ୨୦୧୩ର କୁଚିଣ୍ଡା ଅନୁସୂଚିତ ଜାତି, ଜନଜାତି ଛାତ୍ରୀ ଦୁଷ୍କର୍ମ ମାମଲାର ଆଜି ପର୍ଯ୍ୟନ୍ତ ଶୁଣାଣି ମଧ୍ୟ ଆରମ୍ଭ ହୋଇ ପାରିନାହିଁ। ପୁଲିସ ଏତଲା ଅନୁଯାୟୀ, ବାହାର ରାଜ୍ୟର କେ. ପ୍ରସନ୍ନ ନାୟାର କୁଚିଣ୍ଡାରେ ଅନୁସୂଚିତ ଜାତି-ଜନଜାତି ଛାତ୍ରୀମାନଙ୍କ ପାଇଁ ସ୍କୁଲ ଖୋଲିଥିଲେ। ଏଠାରେ ସ୍କୁଲ ଛାତ୍ରୀମାନଙ୍କୁ ଯୌନ ଶୋଷଣ କରାଯାଉଥିବା ନେଇ କିଛି ଛାତ୍ରୀ ଆଶ୍ରମରୁ ଲୁଚି ଆସି ଅଭିଯୋଗ କରିବା ପରେ ଏହି ମାମଲାରେ କେ. ପ୍ରସନ୍ନଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୪ ଜଣଙ୍କ ବୟାନ ସଂଗ୍ରହ କରାଯାଇଛି। ୨୦୧୫ ମସିହାରେ କୁଚିଣ୍ଡାର ୧୪ ବର୍ଷୀୟା ବାଳିକା ସହିତ ୪ ଜଣ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ରାଜେନ୍ଦ୍ର ମହାନନ୍ଦ ଜେଲରେ ଅଛନ୍ତି। ଦ୍ବିତୀୟ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ମହାନନ୍ଦ ଅନ୍ତରୀଣ ଜାମିନରେ ବାହାରକୁ ଯାଇ ଫେରି ନାହାନ୍ତି। ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରି ପୁଲିସ ଚୁପ୍ ବସିଛି। ଅନ୍ୟ ୨ ଜଣ ନାବାଳକ ଅଭିଯୁକ୍ତ ଅଛନ୍ତି। ୨୦୧୬ ମସିହାରେ ଜଣେ ୧୬ ବର୍ଷିୟା ନାବାଳିକାକୁ ହୀରାକୁଦରେ ଗଣଦୁଷ୍କର୍ମ ମାମଲାର ଶୁଣାଣି ଚାଲିଥିଲେ ମଧ୍ୟ ରାୟ ପ୍ରକାଶ ପାଇ ପାରିନାହିଁ।
ଏସବୁ କେବଳ କିଛି ଉଦାହରଣ ମାତ୍ର। ସମ୍ବଲପୁର ଜିଲ୍ଲାରେ ପକ୍ସୋ ଅନ୍ତର୍ଗତ ଯେଉଁ ୩୧୮ ମାମଲା ସମ୍ବଲପୁର ଏଡିଜେ କୋର୍ଟରେ ରହିଛି, ସେଥିମଧ୍ୟରୁ ୧୪ଟି ମାମଲା ୨୦୧୩, ୩୭ଟି ୨୦୧୪, ୪୧ଟି ୨୦୧୫, ୫୬ଟି ୨୦୧୬, ୬୦ଟି ୨୦୧୭, ୭୨ଟି ୨୦୧୮ ଏବଂ ୩୮ଟି ୨୦୧୯ ମସିହାରୁ ପଡ଼ିଛି। ପ୍ରାୟ ପ୍ରତ୍ୟେକ ବର୍ଷ ୭୦ରୁ ୮୦ଟି ନୂଆ ଶିଶୁ ଯୌନ ନିର୍ଯାତନା ମାମଲା ଆସୁଥିବା କୋର୍ଟ କାର୍ଯ୍ୟାଳୟରୁ ଜଣାପଡ଼ିଛି।
ପକ୍ସୋ ଆକ୍ଟ ୨୦୧୨, ଅନୁଯାୟୀ, କୌଣସି ନାବାଳିକା ଯୌନ ଶୋଷଣର ଶିକାର ହୋଇଥିବା ନେଇ ଅଭିଯୋଗ ଆସିବାର ୨ ମାସ ମଧ୍ୟରେ ଚାର୍ଜସିଟ ଦାଖଲ ହେବ ଏବଂ କୋର୍ଟରେ ଶୁଣାଣି ଆରମ୍ଭର ଗୋଟିଏ ବର୍ଷ ମଧ୍ୟରେ ରାୟ ପ୍ରକାଶ କରାଯିବା କଥା। ମାତ୍ର ବାସ୍ତବ କ୍ଷେତ୍ରରେ ଏହା ପ୍ରତିଫଳିତ ହେଉନାହିଁ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ଏଡିଜେ(ଦ୍ବିତୀୟ)ଙ୍କ ଅଦାଲତରେ ଶିଶୁ ଯୌନ ଶୋଷଣ ମାମଲାର ବିଚାର କରାଯାଉଛି। ସରକାରୀ ଓକିଲ ସନ୍ତୋଷ ପଣ୍ଡା କହିଛନ୍ତି, ଚାର୍ଜସିଟ ଦାଖଲରେ ବିଳମ୍ବ ସହିତ ବର୍ତ୍ତମାନ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଯୋଗୁଁ ଏହି ମାମଲା ଶୁଣାଣି ବିଳମ୍ବିତ ହେଉଛି। ତେବେ ମାନବାଧିକାର କର୍ମୀଙ୍କ ଅନୁସାରେ, ଚାଲୁଥିବା ଏହି ମାମଲାଗୁଡ଼ିକ ମଧ୍ୟରୁ ଅନେକ ଅଭିଯୁକ୍ତ ନିର୍ଦୋଷ ଥାଇପାରନ୍ତି। ତେଣୁ ତ୍ବରିତ ନ୍ୟାୟ ପ୍ରଦାନ ହେଲେ ଦୋଷୀ ଦଣ୍ଡ ପାଇବା ସହିତ ନିର୍ଦୋଷ ଖଲାସ ହେବ। ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଉଭୟ ପୀଡ଼ିତ ଏବଂ ଅଭିଯୁକ୍ତଙ୍କ ପାଇଁ ସମସ୍ୟା ଜଟିଳ ହେଉଛି।