ବଟି ପାଇଁ ବିଧାୟକଙ୍କୁ ଧମକପୂର୍ଣ୍ଣ ପୋଷ୍ଟର୍‌

୧୦ ଲକ୍ଷ ଟଙ୍କା ଆଣିବାକୁ ନିର୍ଦ୍ଦେଶ, ଟାଟା ଏସି ଚକ ପୋଡ଼ିଲେ, ମାଓବାଦୀ ସଂପୃକ୍ତିକୁ ପୁଲିସ‌ର ଖଣ୍ଡନ

ରାଉରକେଲା : ବିଧାୟକଙ୍କଠାରୁ ୧୦ ଲକ୍ଷ ଟଙ୍କା ବଟି ଆଦାୟ କରିବାକୁ ସ୍ଥାନୀୟ ଜଗଦା ଅଂଚଳର ଜଣେ ବ୍ୟକ୍ତିଙ୍କୁ ଧମକପୂର୍ଣ୍ଣ ପୋଷ୍ଟର ମିଳିଛି। ଗତ ରାତିରେ କେହି ତାଙ୍କ ଟାଟା ଏସି ଗାଡ଼ି ଚକରେ ନିଆଁ ଲଗାଇ ‌‌ଦେଇ କାନ୍ଥରେ ପୋଷ୍ଟର ମାରିଛି।

ତେବେ ନିର୍ଦ୍ଦିଷ୍ଟଭାବେ କେଉଁ ବିଧାୟକଙ୍କଠାରୁ ଟଙ୍କା ଆଦାୟ ପାଇଁ ପୋଷ୍ଟର ଲଗାଯାଇଛି ତାହା ସ୍ପଷ୍ଟ ନୁହେଁ । କିଏ ଓ କେଉଁ ଉଦ୍ଦେଶ୍ୟରେ ଏହି ଧମକପୂର୍ଣ୍ଣ ପୋଷ୍ଟର୍‌ ମାରିଛି ସେନେଇ ଝିରପାଣି ପୁଲିସ ଛାନଭିନ୍‌ ଆରମ୍ଭ କରିଛି। ତେବେ ଏହା କୌଣସି ମାଓବାଦୀ କାର୍ଯ୍ୟକଳାପ ହୋଇନଥିବା ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଝିରପାଣି ଥାନା ଅନ୍ତର୍ଗତ ଜଗଦା ଖାଦାନଢ଼ିପାରେ ଖଗେନ୍ଦ୍ର ପ୍ରସାଦ ଦାସ ସପରିବାର ରହୁଛନ୍ତି। ଗତ ରାତିରେ ତାଙ୍କ ଘର ଆଗରେ ଥିବା ଟାଟା ଏସି ଗାଡ଼ିର ଚକକୁ କେହି ପୋଡ଼ି ଦେଇଥିଲା। ଏହାସହ ତାଙ୍କ କାନ୍ଥରେ ଏକ ଧମକପୂର୍ଣ୍ଣ ପୋଷ୍ଟର୍‌ ଲଗାଯାଇଥିଲା। ଏହି ପୋଷ୍ଟରରେ ଲେଖାଥିଲା, ନମୁନାଭାବେ ଟାଟା ଏସି ଗାଡ଼ିକୁ ପୋଡ଼ିଛୁ। ଆଗାମୀ ୨୪ ଘଣ୍ଟା ଭିତରେ ବିଧାୟକଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇ ଆସିବ। ଏହି ଟଙ୍କାକୁ ଝିରପାଣି ସ୍ଥିତ କୃପା ହୋଟେଲରେ ଦେବ। ଟଙ୍କା ଉକ୍ତ ହୋଟେଲ୍‌ରେ ଦେଲ ନା ନାହିଁ ସେ ବିଷୟରେ ପାଣି ଟାଙ୍କିରେ ହଁ / ନାଁ ଲେଖି ଜଣାଇବ। ଯଦି ଟଙ୍କା ନ ମିଳେ, ତା’ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ପୋଷ୍ଟର୍‌ରେ ଉଲ୍ଲେଖ ହୋଇଛି। ତେବେ କେଉଁ ବିଧାୟକ (ରାଉରକେଲା, ରଘୁନାଥପଲ୍ଲୀ ନ‌ା ବୀରମିତ୍ରପୁର)ଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଆଦାୟ ହେବ ସେନେଇ ସ୍ପଷ୍ଟ କରାଯାଇନାହିଁ। ଝିରପାଣି ରାଉରକେଲା ବିଧାୟକଙ୍କ ଅଞ୍ଚଳ ‌ହୋଇଥିବାରୁ ପୁଲିସ ଏ ଦିଗରେ ଗୁରୁତ୍ବ ଦେଉଛି। ଶ୍ରୀ ଦାଶ ଝିରପାଣି ଥାନାରେ ଏତଲା ଦେବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଧମକପୂର୍ଣ୍ଣ ପୋଷ୍ଟର୍‌ ପଛରେ କୌଣସି ମାଓବାଦୀଙ୍କ ହାତ ନାହିଁ। ଶ୍ରୀ ଦାଶଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ କେହି ଏଭଳି କାଣ୍ଡ କରିଥିବା ପୁଲିସ ଅନୁମାନ କରୁଛି।

ସମ୍ବନ୍ଧିତ ଖବର