ଭୂଇଁରୁ ଉଠୁନି ପୋଟଳ ଲତା, ବଢ଼ୁଛି ବଜାର ଭାଉ, ଚାଷୀ ହତାଶ

ବାଲିକୁଦା: ଶୁଖିଲା ପଡ଼ିଛି ପୋଟଳ କ୍ଷେତ। ତେଣୁ ଉତ୍ପାଦନ ନାହିଁ। ଏହି ସମୟରେ ପୋଟଳ କିଲୋ ୧୦ ଟଙ୍କାକୁ ଖସିଆସିଥାଏ। ମାତ୍ର ବଜାରରେ ଏବେ କିଲୋ ୭୦-୮୦ ଟଙ୍କା ଚାଲିଛି। ଅଥଚ କ୍ଷେତରେ ପୋଟଳ ଫଳୁନି, ବରଂ ଗଛ ମରିବା ଉପରେ।

ସାଉଡ଼ିଆ ପଞ୍ଚାୟତର ତାଳୁଆ, ବାଲିକୁଦା, ବଣିଆରୀ, ନାରାୟଣପୁର ଗ୍ରାମରେ ୫୦ ଏକର, ବରପଦା ଗ୍ରାମରେ ୧୫୦-୨୦୦ ଏକର, ନିଆଳିରେ ୩୦୦ ଏକର, ବଡ଼ବାଲିକୁଦା ୧୫୦ ଏକର, ଜନକ ୫୦ ଏକର, ବନମାଳୀପୁର ୧୫୦ ଏକର ଓ ଅନ୍ୟାନ୍ୟ ଗ୍ରାମରେ ପ୍ରାୟ ୫୦ ଏକର ମୋଟ ୯୫୦ ରୁ ୧ ହଜାର ଏକର ଜମିରେ ପୋଟଳ ଚାଷ କରାଯାଇଥାଏ। ଗୋଟିଏ ଏକର ପୋଟଳ ଚାଷରେ ୭୦ ରୁ ୮୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଚାଷୀମାନେ କୋଲକାତା, ଭଦ୍ରକ, ସାପୁର ହାଟରୁ ଚଢ଼ାଦରରେ ଚାରା କିଣି ଚାଷ କରିଛନ୍ତି।

ପ୍ରତିବର୍ଷ ସରସ୍ବତୀ ପୂଜାରେ ପୋଟଳ ଉତ୍ପାଦନ ଆରମ୍ଭ ହୋଇ ୧୫୦-୧୮୦ ଟଙ୍କାରେ ବିକ୍ରି ହୋଇଥାଏ। ଏପ୍ରିଲ ମାସ ବେଳକୁ ଚାଷୀ ଖର୍ଚ୍ଚ କରିଥିବା ଅର୍ଥ ପାଇସାରିଥାଏ। ଦୁର୍ଭାଗ୍ୟ ଚଳିତ ବର୍ଷ ଚଢ଼ାଦର ଥାଇ ମଧ୍ୟ ଚାଷୀମାନେ ୫-୧୦ ହଜାର ଟଙ୍କା ମଧ୍ୟ ବିକ୍ରି କରିପାରି ନାହାନ୍ତି। ଚଳିତ ବର୍ଷ ଲଗାଇବା ଦିନଠାରୁ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବର୍ଷା ବାଧକ ସାଜିଲା। ପ୍ରଥମେ ଚାରା ପଚି ନଷ୍ଟ ହୋଇଗଲା। କ୍ଷେତରେ ବର୍ଷାପାଣି ଜମି ରହିବାରୁ ମାଟି ବସିଯିବା ସହ ଅନାବନା ଘାସ ମାଡ଼ିଗଲା। ଚାଷୀ ୩/୪ ଥର ଘାସ ବାଛିବା ସହ କୋଡ଼ାକୋଡ଼ିରେ ଅନେକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ଏଣେ ଲତା ଓ ପତ୍ର ହଳଦିଆ ହୋଇ ଋଗ୍‌ଣ ଅବସ୍ଥାରେ ରହିଛି। ଉପଯୁକ୍ତ ପ୍ରୋତ୍ସାହନ ନ ମିଳିଲେ ଏ ଅଞ୍ଚଳରୁ ପୋଟଳ ଚାଷ ଲୋପ ପାଇଯିବ ବୋଲି ଚାଷୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର