ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ; ପାଠକଙ୍କ ସହିତ ସଂପର୍କ ମହଙ୍ଗା ପଡ଼ିଲା, ସଂପର୍କ ଛିନ୍ନ କଲେ ନବୀନ

ଗୋପାଳପୁରରୁ ତିନି ଥର ବିଧାୟକ ଜିତିଛନ୍ତି, ମନ୍ତ୍ରୀ ବି ଥିଲେ
ଟାଟା ନିଯୁକ୍ତି ଠକେଇ ଅଭିଯୋଗରେ ସନ୍ଦେହକୁ ଆସିଥିଲେ

ଭୁବନେଶ୍ୱର : ଝିଅ ବିବାହ ପୂର୍ବରୁ ତିନି ଥରିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କୁ ଭାବି ସମୁଧି ତଥା ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ସହିତ ସଂପର୍କ ମହଙ୍ଗା ପଡ଼ିଛି। ଭିଜିଲାନ୍ସ ଏସ୍‌ଆଇଟି ଟିମ୍ ଗୋଟିଏ ପଟେ ଅଭୟଙ୍କ ଅମାପ ସଂପତ୍ତିର ଖିଅ ଖୋଜୁଥିବା ବେଳେ ସେପଟେ ଲୋକ ବିରୋଧୀ କାର୍ଯ୍ୟରେ ଲିପ୍ତଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୋପାଳପୁର ବିଧାୟକ ଡ. ପାଣିଗ୍ରାହୀଙ୍କୁ ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଦଳର ଗଣମାଧ୍ୟମ ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ମାନସ ରଂଜନ ମଙ୍ଗରାଜ ଏ ସଂକ୍ରାନ୍ତ ଖବର ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି।

ବିଜେଡି ଶିବିରରେ ଏହି ଖବର କିନ୍ତୁ କମ୍ପନ ସୃଷ୍ଟି କରିଛି। ଗୋଟିଏ ସମୟରେ ସରକାରରେ ଅତି ପ୍ରଭାବଶାଳୀ ଥିଲେ ପ୍ରଦୀପ। ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଦାୟିତ୍ବ ମଧ୍ୟ ତାଙ୍କ ହାତରେ କିଛି ଦିନ ଥିଲା। ସରକାରରେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ ଓ ଏହି କାରଣରୁ ଦକ୍ଷିଣ ଓଡ଼ିଶାରେ ତାଙ୍କର ଦବ୍‌ଦବା ଥିଲା।
ମୁଖ୍ୟମନ୍ତ୍ରୀ କିନ୍ତୁ ଚିରାଚରିତ ଢଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଇ ପ୍ରଦୀପଙ୍କୁ ଦଳରୁ ବିଦା କରିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ମନୋଭାବ ସମାନ୍ତରାଳ ଭାବେ ଏହି କେଳେଙ୍କାରୀରେ ଛନ୍ଦି ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଲାଣି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଏହି ଘଟଣାରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବା ଲାଗି ସରକାର ସଙ୍କେତ ଦେଇଛନ୍ତି। ଆସନ୍ତା ମଙ୍ଗଳବାର ଠାରୁ ଅର୍ଥାତ୍ ଡିସେମ୍ବର ପହିଲାରୁ ଭିଜିଲାନ୍ସ ଏସ୍‌ଆଇଟି ଟିମ୍ ଏହି ମାମଲାରେ ବ୍ୟାପକ ଧରପଗଡ଼ ଆରମ୍ଭ କରିବ। ଏପରିକି ପ୍ରଦୀପଙ୍କୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରାଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି କୁହାଯାଉଛି।

ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ଅମାପ ସଂପତ୍ତି ଓ କେଳେଙ୍କାରୀ ପଛରେ ଯେ ରାଜନୈତିକ, ପ୍ରଶାସନିକ ଓ ମାଫିଆ ସଂପର୍କ ଲୁଚି ରହିଛି, ସେ ନେଇ ୨୯ ତାରିଖ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ବିଭିନ୍ନ ସ୍ଥାନରେ ଅଭୟଙ୍କ ନିଯୁକ୍ତି, ସରକାରରେ ତାଙ୍କର ଜବରଦସ୍ତ ପତିଆରା, ବିଭାଗରେ ବାବୁଗିରି ସୂଚାଇ ଦେଇଥିଲା ଯେ ଏହି କରିତକର୍ମା ଅଫିସରଙ୍କ ପଛରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି।

ଏବେ ପାଠକ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ହେବା ପରେ ସମୁଦାୟ ପ୍ରସଙ୍ଗ ଉପରୁ ରହସ୍ୟ ହଟିବା ଆରମ୍ଭ ହୋଇଛି। ଭିଜିଲାନ୍ସ ଜାଣିପାରିଛି ଯେ ପାଠକଙ୍କ ପୁଅ ଆକାଶ ଗୋପାଳପୁର ଠାରେ ଟାଟା କମ୍ପାନି ନାମରେ ଏକ ନକଲି କାର୍ଯ୍ୟାଳୟ ଖୋଲିଥିଲେ। ଆକାଶଙ୍କ ମ୍ୟାନେଜର ଘରୁ ଜବତ ହୋଇଥିବା କାଗଜରୁ ଆହୁରି ଜଣାପଡ଼ିଛି ଯେ କିଛି ଯୁବକଙ୍କୁ ସେମାନେ ନିଯୁକ୍ତି ବି ଦେଇଛନ୍ତି। ଏହାର ତନାଘନା ବେଳେ ଗୋପାଳପୁର ଲିଙ୍କ୍ ଆସିଥିଲା ଓ ସେଠାରେ ଆକାଶଙ୍କ ଆକାଉଣ୍ଟରେ ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା ଜମା ହୋଇଥିବା ଘଟଣା ଭିଜିଲାନ୍ସ ନଜରକୁ ଆସିଥିଲା। ଠିକ୍ ଏତିକି ବେଳେ କିଛି ଯୁବକଙ୍କୁ ସେଠାରେ ନିଯୁକ୍ତି ଦେବାକୁ କହି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ କରିଥିଲେ ବିରୋଧୀ। ଏହି କଳାକାରନାମାରେ ପ୍ରଦୀପଙ୍କୁ ମଧ୍ୟ ଟାଣିଥିଲେ।

ପାଠକଙ୍କ ସହିତ ପ୍ରଦୀପଙ୍କ ଦୀର୍ଘ ଦିନର ସଂପର୍କ, ପ୍ରଶାସନରେ ପାଠକଙ୍କ ପ୍ରଭାବଶାଳୀ ଭୂମିକା, ଉଭୟ ପରିବାରର ନିବିଡ଼ତା ଏବଂ ନବୀନ ନିବାସ ପର୍ଯ୍ୟନ୍ତ ପାଠକଙ୍କୁ ଟାଣି ଆଣିଥିବା ପ୍ରଦୀପଙ୍କ ଭୂମିକାକୁ ନବୀନ ମନେ ପକାଇ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର