‘ଆମ ଘର ଆମ ହାଣ୍ଡିଶାଳ’ ଗ୍ରାଣ୍ଡ୍‌ ଫିନାଲେ, ମାଣ୍ଡିଆ ପିଠା କରି ଦେବଯାନୀ ପ୍ରଥମ

ପ୍ରତିଭାପ୍ରୀତି ଦ୍ବିତୀୟ, ସାଗରିକା ତୃତୀୟ

ଭୁବନେଶ୍ବର: ଓଡ଼ିଆ ଗୃହିଣୀଙ୍କ ରୋଷେଇ କଳା ନୈପୁଣ୍ୟ ଓ ଓଡ଼ିଆ ଖାଦ୍ୟର ମହକର ପ୍ରଚାର ପ୍ରସାର ପାଇଁ ପର୍ଯ୍ୟଟନ ବିଭାଗ ଅଧୀନସ୍ଥ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଆୟୋଜିତ ‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତା ଶେଷ ହୋଇଛି। ୪ ମାସ ଧରି ଚାଲିଥିବା ପ୍ରତିଯୋଗିତାର ଆଜି ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହୋଇଥିବା ବେଳେ ୧ହଜାର ପ୍ରତି‌ଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ବରମୁଣ୍ଡା ତ୍ରିଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଦେବଯାନୀ ଦାସ। ତାଙ୍କ ଦ୍ବାରା ପ୍ରସ୍ତୁତ ମାଣ୍ଡିଆ ପିଠା ବିଚାରକଙ୍କ ମନ ଜିଣିଛି। ତାଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରାଶି ସହ ରୁଚି କମ୍ପାନି ପକ୍ଷରୁ ଉପହାର ଏବଂ ଓଟିଡିସି ପକ୍ଷରୁ ହଲିଡେ ଟୁର୍‌ ପ୍ୟାକେଜ୍‌ ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତାରେ ମାଣ୍ଡିଆ ତମ୍ପା ପିଠା ପ୍ରସ୍ତୁତ କରି ପ୍ରତିଭାପ୍ରୀତି ପଣ୍ଡା ପ୍ରଥମ ରନର୍ସଅପ୍‌ ଏବଂ ମାଛ ଆମ୍ବିଳ ପ୍ରସ୍ତୁତ କରି ସାଗରିକା ରାୟ ଦ୍ବିତୀୟ ରନର୍ସ ଅପ୍‌ ହୋଇଛନ୍ତି। ଉଭୟଙ୍କୁ ଯଥାକ୍ରମେ ୧୫ ହଜାର ଓ ୧୦ ହଜାର ଟଙ୍କାର ଅର୍ଥ ରାଶି ପୁରସ୍କାର ସହ ରୁଚି କମ୍ପାନିର ଉପହାର ଓ ଓଟିଡିସିର ଟୁର୍‌ ପ୍ୟାକେଜ୍‌ ପ୍ରଦାନ କରାଯାଇଛି।

ଗ୍ରାଣ୍ଡ୍‌ ଫିନାଲେ ଉତ୍ସବରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ଅନ୍ୟ ବିଶିଷ୍ଟ ଅତିଥିମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କରୋନା ମହାମାରୀଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ୍‌ର ଭଳି କଠିନ ପରିସ୍ଥିତିରେ ଗୃହିଣୀଙ୍କ ପାଇଁ ଓଟିଡିସି ଆଣିଥିଲା ଏହିପରି ଏକ ନିଆରା ପ୍ରତିଯୋଗିତା। ଏଥିରେ ୧ହଜାରରୁ ଅଧିକ ପ୍ରତିଯୋଗୀ ଆବେଦନ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ବିଚାରକମଣ୍ଡଳୀ ଦ୍ବାରା ପ୍ରଥମ ପର୍ଯ୍ୟାୟରେ ଶ୍ରେଷ୍ଠ ୪୦ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ଦୂରଦର୍ଶନରେ ପ୍ରତି ଶନିବାର ଓ ରବିବାର ମଧ୍ୟାହ୍ନ ସାଢ଼େ ୧ଟାରୁ ସାଢ଼େ ୨ଟା ପର୍ଯ୍ୟନ୍ତ ଏହା ପ୍ରସାରଣ କରାଯାଇଥିଲା। ଆଜି ଅନୁଷ୍ଠିତ ଗ୍ରାଣ୍ଡ୍‌ ଫିନାଲେ ରାଉଣ୍ଡକୁ ୬ଜଣ ପ୍ରତିଯୋଗୀ ମମତା ମହାପାତ୍ର, ପ୍ରତିଭାପ୍ରୀତି ପଣ୍ଡା, ଦେବଯାନୀ ଦାସ, ମୀନାକ୍ଷି ମିଶ୍ର, ଶୀତଳସ୍ନିଗ୍ଧା ମହାରଣା ଓ ସାଗରିକାଙ୍କୁ ଚୟନ କରାଯାଇଥିଲା। ଶେ‌ଷରେ ଚୂଡ଼ାନ୍ତ ୩ ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା।

ସମ୍ବନ୍ଧିତ ଖବର