ପ୍ରଦୀପ ସେଠୀଙ୍କ ଆବେଦନ ହାଇକୋର୍ଟରେ ଖାରଜ

କଟକ: ଅର୍ଥତତ୍ତ୍ବ ମୁଖ୍ୟ ପ୍ରଦୀପ ସେଠୀ ଜେଲରେ ବେଆଇନ ଅଟକ ଅଭିଯୋଗ କରି ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନଭେମ୍ବର ୨୭ରେ ପ୍ରଦୀପଙ୍କ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ପ୍ରଦୀପଙ୍କ ବିରୋଧରେ ଅର୍ଥତତ୍ତ୍ବ ଠକେଇ ନେଇ ବିଭିନ୍ନ ସମୟରେ ବିଭିନ୍ନ ମାମଲା ରୁଜୁ ହେବା ଓ ପୃଥକ ଭାବେ ଟ୍ରାଏଲ ହେବା ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ସମାନ ଧରଣର କ୍ରମିକ ରୀତିରେ ହୋଇଥିବା କାରବାରକୁ ସମାନ କାରବାର କୁହାଯାଇ ପାରିବ ନାହିଁ। ଗୋଟିଏ ଅପରାଧ ପାଇଁ ଜଣେ ଅଭିଯୁକ୍ତର ଆଉ ଥରେ ଟ୍ରାଏଲ କରାଯାଉଛି ବୋଲି କୁହାଯାଇ ପାରିବ ନାହିଁ। ପୃଥକ ଅପରାଧ ପାଇଁ ପୃଥକ ଭାବେ ଟ୍ରାଏଲ ହେବ ଓ ଅଭିଯୁକ୍ତକୁ ପୃଥକ ଭାବେ ଦଣ୍ଡିତ କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯିବା ସହିତ ପ୍ରଦୀପଙ୍କ ଆବେଦନକୁ ଖାରଜ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ପ୍ରଦୀପ ୨୦୧୩, ମେ’୧୩ରେ ଗିରଫ ହୋଇ ଜେଲ ଯାଇଥିଲେ। ୨୦୧୭, ଏପ୍ରିଲ ୬ରେ ଭୁବନେଶ୍ବର ସ୍ପେଶାଲ ସିଜେଏମ୍ ଅଦାଲତ ଅର୍ଥତତ୍ତ୍ବ ଠକେଇ ନେଇ ଥିବା ସିବିଆଇ ମାମଲାରେ ପ୍ରଦୀପଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହାପରେ ୨୦୧୭, ଜୁଲାଇ ୩୧ରେ ଖାରବେଳନଗର ଥାନାରେ ଅର୍ଥତତ୍ତ୍ବ ଠକେଇ ନେଇ ରୁଜୁ ଏକ ମାମଲାର ଶୁଣାଣି କରି ଖୋର୍ଦ୍ଧା ସିଜେଏମ୍-କମ୍-ଏଏସଜେ ଅଦାଲତ ପ୍ରଦୀପଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡା‌େଦଶ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥତତ୍ତ୍ବ ଠକେଇ ନେଇ ସମ୍ବଲପୁରରେ ରୁଜୁ ଏକ ମାମଲାର ଶୁଣାଣି କରି ୨୦୧୭, ନଭେମ୍ବର ୧୫ରେ ସମ୍ବଲପୁର ସଜେଏମ ଅଦାଲତ ପ୍ରଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୫ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏଥି ସହିତ ରାଜ୍ୟର ବିଭିନ୍ନ ଅଦାଲତରେ ମଧ୍ୟ ତାଙ୍କ ବିରୋଧରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଅର୍ଥତତ୍ତ୍ବ ଠକେଇ ନେଇ ଏକାଧିକ ମାମଲା ଚାଲିବା ଗ୍ରହଣୀୟ ନୁହେଁ ବୋଲି ପ୍ରଦୀପ ଦର୍ଶାଇଥିଲେ। ଇତି ମଧ୍ୟରେ ସେ ୭ ବର୍ଷ ଜେଲ ଦଣ୍ଡ ଭୋଗ କରି ସାରିଥିବା ବେଳେ ତାଙ୍କୁ ଜେଲରୁ ମୁକ୍ତ କରାଯାଉ ବୋଲି ପ୍ରଦୀପ ଆବେଦନରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର