ଅନୁଗୁଳ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରସଂଗ, ଫାଶୀ ଦଣ୍ଡଦେଶ ରାୟକୁ ରଦ୍ଦ କଲେ ହାଇକୋର୍ଟ

ମାମଲାର ପୁନର୍ବାର ଶୁଣାଣି କରିବା ପାଇଁ ସ୍ବତନ୍ତ୍ର ଅଦାଲତଙ୍କୁ ନିର୍ଦ୍ଦେଶ

କଟକ: ଅନୁଗୁଳ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ଫାଶୀ ଦଣ୍ଡାଦେଶ ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥି ସହିତ ଏହି ମାମଲାର ପୁନର୍ବାର ଶୁଣାଣି କରି ସାନି ରାୟ ପ୍ରକାଶ କରିବାକୁ ଅନୁଗୁଳ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସା ଅଦାଲତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଏସ୍.କେ.ମିଶ୍ର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିମ୍ନ ଅଦାଲତ ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ସରକାରଙ୍କ ଆବେଦନ ସହିତ ଦଣ୍ଡାଦେଶକୁ ଚାଲେଞ୍ଜ କରି ଅନାମ ଦେହୁରୀ ଓରଫ ଶ୍ରୀନିବାସ ପକ୍ଷରୁ ଦାୟର ଅପିଲର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୪ରେ ଖଣ୍ଡପୀଠ ମାମଲା ଗୁଡିକର ଏକତ୍ର ଶୁଣାଣି କରି ରା‌ୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ଏହି ବହୁଚର୍ଚ୍ଚିତ ମାମଲାରେ ଅଭିଯୁକ୍ତ ଅନାମକୁ ଅନୁଗୁଳ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସା ଅଦାଲତ ୨୦୧୯, ଜୁଲାଇ ୨୬ରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ୨୦୧୯, ଜାନୁଆରି ୨୦ ଅପରାହ୍ନ ୨ଟା ସମୟରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଅନୁ‌ଗୁଳ ଜିଲ୍ଲା ଗାଁ ମଶାଣି ଭୂଇଁ ନିକଟରେ ଘଟିଥିଲା। ଗ୍ରାମର ସରୋଜ ମହାରଣାଙ୍କ ୧୨ ବର୍ଷିୟା ଝିଅ ସେଦିନ ବାପାଙ୍କ ପାଇଁ ଘରୁ ଖାଦ୍ୟ ନେଇ ତାଙ୍କ ଦୋକାନକୁ ଯାଉଥିବା ବେଳେ ବାଟରେ ଅନାମ ପୀଡିତାକୁ ଦୁଷ୍କର୍ମ କରିଥିଲା। ପରେ ଅନାମ ପଥରେ ଛେଚି ଘଟଣାସ୍ଥଳରେ ପୀଡିତାକୁ ହତ୍ୟା କରିଥିଲା। ଅନାମ ମୃତଦେହ ସହିତ ମଧ୍ୟ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଥିଲା। ପୁଲିସ ଅନାମକୁ କୋଲକାତାରୁ ଗିରଫ କରିଥିଲା। ଏହି ସମ୍ବେଦନଶୀଳ ମାମଲାକୁ ରେଡ୍ ଫ୍ଲାଗ୍ ମାମଲା ‌ଭାବେ ଗ୍ରହଣ କରାଯାଇଥିଲା। ପ୍ରାୟ ଏକ ମାସ ଭିତରେ ପୁଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହାପରେ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକସୋ ଅଦ‌ାଲତରେ ଶୁଣାଣି ଆରମ୍ଭ ହୋଇଥିଲା। ୩୬ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଅଦାଲତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଅନାମକୁ ଆଇପିସିର ଦଫା ୩୭୬(୩), ୩୦୨ ଓ ୨୦୧ରେ ଦୋ‌ଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ଅନାମ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଅନାମ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର