ରାଉରକେଲା ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ସିସୋର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ

ଭୁବନେଶ୍ୱର : ଚିଟ ଫଣ୍ଡ କମ୍ପାନି ସିସୋରର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ଆଜି ରାଉରକେଲାର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ରଘୁନାଥପାଲି ଥାନରେ ଦାଏର ଏକ ଠକେଇ ମାମଲାରେ ସେ ଏହି ଆତ୍ମସମର୍ପଣ କରିଛନ୍ତି । ଏହି ମାମଲାରେ ଗିରଫଦାରିରୁ ବର୍ତ୍ତିବାକୁ ସେ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ତଳକୋର୍ଟରେ ଅତ୍ମସମର୍ପଣ କରିବାକୁ ହାଇକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବହୁକୋଟି ଟଙ୍କାର ସିସୋର ଚିଟଫଣ୍ଡ ଦୁର୍ନିତି ମାମଲା ପୂର୍ବରୁ ତାଙ୍କ ବିରୋଧରେ ୮ଟି ମାମଲା ଚାଲିଛି । ଚିଟଫଣ୍ଡ ଠକେଇରେ ସଂପୃକ୍ତ ଥିବାରୁ ତାଙ୍କୁ ୨୦୧୩ରେ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା । ସେ ଗତ ୨୦୧୮ ଜାନୁୟାରୀ ମାସରେ ଜାମିନ ପାଇ ଭୁବନେଶ୍ୱର ଝାରପଡା ଜେଲରୁ ମୁକୁଳିଥିଲେ ।

‘ସିସୋର’ର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ, ତାଙ୍କ ପତ୍ନୀ ଜ୍ୟୋତିରାଣୀ ଷଡ଼ଙ୍ଗୀ ଓ ରାଉରକେଲା କାର୍ଯ୍ୟାଳୟରେ କାର୍ଯ୍ୟରତ ୪ ଜଣଙ୍କ ନାଁରେ ରାଉରକେଲାର ୧୨ଟି ଥାନାରେ ମାମଲା ରହିଛି। ସେଥିରୁ ରଘୁନାଥପାଲି ଥାନାରେ ହୋଇଥିବା ମାମଲାକୁ ନେଇ ହାଇକୋର୍ଟ ଚଳିତ ମାସ ୧୨ ତାରିଖରେ ପ୍ରଶାନ୍ତଙ୍କୁ ନିମ୍ନ ଅଦାଲତରେ ଆଗାମୀ ୩ ସପ୍ତାହ ମଧ୍ୟରେ ହାଜର ହେବାକୁ ଆଦେଶ ଦେଇଥିଲେ। ଏହି କ୍ରମରେ ପ୍ରଶାନ୍ତ ଦାଶ ଆଜି ରାଉରକେଲାସ୍ଥିତ ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ। ଏସଡିଜେଏମ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

ରାଉରକେଲାର ଜଣେ ବ୍ୟବସାୟୀ କୈଳାଶ ଲେଙ୍କା ସିସୋର ଚିଟଫଣ୍ଡ କଂପାନିରେ ୭୫ ଲକ୍ଷ ଟଙ୍କା ଜମା କରିଥିଲେ। କଂପାନି ପକ୍ଷରୁ ତାଙ୍କୁ ୨ ପ୍ରତିଶତ ସୁଧ ଆକାରରେ ୪ ମାସ ଯାଏଁ ୬ ଲକ୍ଷ ଟଙ୍କା ଦିଆଯାଥିଲା। ଏହା ପରେ କଂପାନି ଆଉ ଟଙ୍କା ନ ଦେବା ପରେ କୈଳାଶ ଲେଙ୍କା ରଘୁନାଥପାଲି ଥାନାରେ ଅଭିଯୋଗ ଆଣିଥିଲେ।

ସେହିପରି ସୁବ୍ରତ ଆଚାର୍ଯ୍ୟ ନାମରେ ଜଣେ ବ୍ୟକ୍ତି ସେକ୍ଟର-୧୯ ଥାନାରେ ୫ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ଆଣିଥିବା ବେଳେ ସିଭିଲ ଟାଉନସିପ ଅଂଚଳର ଦୁର୍ଗାପ୍ରାସଦ ଦାସ ୧ ଲକ୍ଷ ଟଙ୍କା ଠକେଇ ଶିକାର ହେବା ପରେ ରଘୁନାଥପାଲି ଥାନାରେ ଅଭିଯୋଗ ଆଣିଥିଲେ। ମୋଟାମୋଟି ଭାବେ ସିସୋର କଂପାନି ରାଉରକେଲାରେ ୩ରୁ ୪ କୋଟି ଟଙ୍କା ଠକେଇ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର