ବିଦେଶରେ ନନାଙ୍କ ନୂଆ କାରନାମା:କୁମ୍ଭୀରକୁ ଆଉଁସିଲେ, ଭାରତୀୟଙ୍କୁ ରସଗୋଲା ଖୁଆଇଲେ

ଭୁବନେଶ୍ୱର: ବାଲେଶ୍ୱର ନୀଳଗିରିରୁ ଆଫ୍ରିକାର ଗାମ୍ବିଆ | ଓଡ଼ିଶାରୁ ବିଦେଶ ଏବେ ପ୍ରତାପ ନନାଙ୍କୁ ନେଇ ଚର୍ଚ୍ଚା।  କାରଣ କେନ୍ଦ୍ରମନ୍ତ୍ରୀ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ପଶ୍ଚିମ ଆଫ୍ରିକା ଗସ୍ତରେ ଯାଇଛନ୍ତି ପ୍ରତାପ ଷଡ଼ଙ୍ଗୀ | ତେବେ ନନାଙ୍କ ଏଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯାହାକି ଚର୍ଚ୍ଚା ସାଉଁଟିଛି | ଗାମ୍ବିଆର ବଞ୍ଜୁଲରେ ଥିବା କାଚିକଲି କୁମ୍ଭୀର ଉଦ୍ୟାନକୁ ନନା ଯାଇଥିବାବେଳେ ଏଠାରେ ଥିବା ଜିଅନ୍ତା କୁମ୍ଭୀରଙ୍କୁ ଆଉଁସିଥିଲେ |

ସେହିପରି ଆଫ୍ରିକାରେ ମଧ୍ୟ ଜଣେ ଶିଶୁକୁ ରସଗୋଲା ଖୁଆଇଥିଲେ | ରସଗୋଲା ଜିଆଇ ଟ୍ୟାଗ ମାନ୍ୟତା ପାଇଵା ଓଡ଼ିଆଙ୍କୁ ଯେତିକି ମିଠା ଖବର ଦେଇଥିଲା ନନା ମଧ୍ୟ କେବଳ ଓଡ଼ିଶାରେ ନୁହଁ ବିଦେଶରେ ବି ରସଗୋଲା ମହକକୁ ପହଞ୍ଚାଇଥିବାର ଶୁଣିବାକୁ ମିଳୁଛି | ଏହି ଘଟଣାର ଫଟୋ ପ୍ରତାପ ନନା ନିଜେ ଟୁଇଟ୍ କରିଛନ୍ତି।

ନିଜ ଗାଁର ପିଲାଙ୍କ ସହ ମିଶିଯାଉଥିବା ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ଆଫ୍ରିକା ଭ୍ରମଣ ଅନେକ କିଛି ନୂଆ ଅନୁଭୂତି ଦେଇଥିବାର ଦେଖିବାକୁ ମିଳିଛି | ସେଠାକାର ପିଲାଙ୍କୁ ଭେଟିବା ସହ ଚୁକ୍ତିନାମା ମଧ୍ୟ ସ୍ଵାକ୍ଷର କରିଛନ୍ତି | ଆଫ୍ରିକା ଯିବା ପୂର୍ବରୁ ସୂଚନା ଦେଇଥିଲେ ହେଲେ ଆଫ୍ରିକାରେ ବି ନିଜ ପ୍ରତାପ ଦେଖାଇଛନ୍ତି ଓଡ଼ିଶାର ମୋଦୀ କୁହାଯାଉଥିବା ପ୍ରତାପ ଷଡ଼ଙ୍ଗୀ |

ସମ୍ବନ୍ଧିତ ଖବର