‘ମିସେସ୍ ଇଣ୍ଡିଆ ୨୦୨୧’ ମୁକୁଟ ପିନ୍ଧିଲେ ରାଉରକେଲାର ଗୃହିଣୀ ପ୍ରତିମା

ରାଉରକେଲା: ରାଉରକେଲାର ଗୃହିଣୀ ପ୍ରତିମା ସାହୁ ମହାରାଷ୍ଟ୍ରର ନାଗପୁର ସହରରେ ଅନୁଷ୍ଠିତ ‘ମିସେସ୍ ଇଣ୍ଡିଆ ୨୦୨୧’ ମୁକୁଟ ଜିତି ଇସ୍ପାତ ସହରକୁ ଫେରି ଆସିଛନ୍ତି। ଆଇବିଡ଼ବ୍ଲୁଏ ଦ୍ବାରା ଆୟୋଜିତ ଏହି ସୁନ୍ଦରୀ ପ୍ରତିଯୋଗୀତାରେ ୪ଟି ରାଉଣ୍ଡ ଥିଲା। ପ୍ରଥମ ପର୍ଯ୍ୟାୟର ମନୋନୟନ ଅନ୍‌-ଲାଇନରେ ଗତ ଡ଼ିସେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା। ସେମାନଙ୍କ ଭିତରୁ ସାରା ଭାରତରୁ ମାତ୍ର ୩୦ ଜଣ ଶେଷ ପର୍ଯ୍ୟାୟ ପାଇଁ ବଛା ଯାଇଥିଲେ। ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକ ଫିଲ୍ମ ଇଣ୍ଡଷ୍ଟ୍ରି ଓ ମଡେଲିଂ ଦୁନିଆର ବିଶିଷ୍ଟ ବ୍ୟକ୍ତିମାନେ ଥିଲେ। ସେମାନେ ପ୍ରତିମାଙ୍କୁ ଟାଇଟଲ୍ ବିଜେତା ଭାବେ ମନୋନୀତ କରିବାବେଳେ ଦୁଇ ରନର୍ସଅପ୍ ହୋଇଥିଲେ ମହାରାଷ୍ଟ୍ରର ଦୁଇଜଣ ମହିଳା।

ଉଲ୍ଲେଖନୀୟ ଯେ ପ୍ରତିମା ୨୦୨୦ରେ ‘ମିସେସ୍ ଓଡ଼ିଶା’ ହୋଇଥିଲେ। ବର୍ତ୍ତମାନ ଇସ୍ପାତ ଇଂଲିସ ମିଡିୟମ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ପ୍ରତିମା ଜଣେ ଟେଲିଭିଜନ୍ ନିଉଜ ରିଡର୍ ମଧ୍ୟ। ସ୍ବେଚ୍ଛାସେବୀ ସଂଗଠନ ‘ନୀଲମ ଫାଉଣ୍ଡେସନ’ର ସେ ପ୍ରତିଷ୍ଠାତା ଅଧ୍ୟକ୍ଷା। ସେ ଶୃଙ୍ଖଳା ଓ ସକାରାତ୍ମକ ଚିନ୍ତାଧାରାକୁ ଖୁବ୍ ଗୁରୁତ୍ବ ଦିଅନ୍ତି। ସନ୍ତରଣ, ଗାର୍ଡେନିଂ ଓ ବିଭିନ୍ନ ସ୍ଥାନ ବୁଲିବାର ସଉକ ରଖୁଥିବା ପ୍ରତିମା ପରିଶ୍ରମ କରି ସବୁ ଆହ୍ବାନକୁ ସାମନା କରିବାରେ ବିଶ୍ବାସ ରଖନ୍ତି। ତାଙ୍କ ସ୍ବାମୀ ପ୍ରଶାନ୍ତ କୁମାର ବେହେରା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଜଣେ ଜିଏମ୍। ତାଙ୍କ ଝିଅ ଆଦିଶା ଅମ୍ରିତ ଷ୍ଟାଣ୍ଡାର୍ଡ-୫ରେ ପଢ଼ନ୍ତି।

ସମ୍ବନ୍ଧିତ ଖବର