ପିଆର୍‌ସିଆଇର ଜାତୀୟ ଆଲୋଚନାଚକ୍ର : ଜନସଂପର୍କ ଏକ ବଡ଼ ଆହ୍ୱାନ

ଭୁବନେଶ୍ବର : ପବ୍ଲିକ ରିଲେସନ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ(ପିଆର୍‌ସିଆଇ) ଭୁବନେଶ୍ବର ଚାପ୍ଟର ପକ୍ଷରୁ ରେଳକୁଞ୍ଜ ଅଧିକାରୀ କ୍ଲବଠାରେ ‘ଜନସମ୍ପର୍କ ବିଶ୍ଲେଷଣ ଓ ଆଗାମୀ ଆହ୍ବାନ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଏହାକୁ ଉଦ୍‌ଘାଟନ କରି କହିଲେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ଜନସମ୍ପର୍କ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଏହି ଆହ୍ବାନକୁ ସାମ୍ନା କରିବାକୁ ହେଲେ ଅର୍ଥ ସବୁ କିଛି ନୁ‌ହେଁ। ଅର୍ଥ ଆସିବ, କିନ୍ତୁ ସାମାଜିକ, ବ୍ୟାକ୍ତି, କାର୍ମଚାରୀଙ୍କ କଲ୍ୟାଣ ଦେଖିବା ନିଗମ ଓ ସଙ୍ଗଠନଗୁଡ଼ିକର ଦର୍ଶନ ହେବା ବିଧେୟ।

ଆଲୋଚନାଚକ୍ରରେ ରେଭେନ୍ସା‌ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଈଶାନ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ପିଆର୍‌ସିଆଇ, ଭୁବନେଶ୍ବର ଚାପ୍ଟରର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଘାଟନୀ ଅଧିବେଶନରେ ପିଆର୍‌ସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ଦିଲ୍ଲୀପ ବିଶୋଇ ସ୍ବାଗତ ଭାଷଣ ଦେଇଥିବା ବେଳେ ଭାରତୀୟ ରେଳପଥ ଟ୍ରାଫିକ୍‌ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ବିଜୟ କୁମାର ଯୋଶୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଭାରତୀୟ ଝୋଟ ନିଗମର ପୂର୍ବତନ ଅଧ୍ୟକ୍ଷ କେଭିଆର୍‌ ମୂର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ପୂର୍ବତଟ ରେଳପଥର ଜନସମ୍ପର୍କ ଅଧିକାରୀ ଜ୍ୟୋ‌ତିପ୍ରକାଶ ମିଶ୍ର, ରେଭେନ୍ସା ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଜୟନ୍ତ ସ୍ବାଇଁ, ନାଲ୍‌କୋର ଉପ-ମହାପ୍ରବନ୍ଧକ(ଜନସମ୍ପର୍କ) ଲଲାଟେନ୍ଦୁ ଦାସ ଯୋଗଦେଇ ନିବନ୍ଧ ଉପସ୍ଥାପନ କରିଥିଲେ। ଏହି ଅବସରରେ କେନ୍ଦ୍ର ଟେକ୍ସଟାଇଲ୍‌ ସଚିବ ସଞ୍ଜୟ ପଣ୍ଡା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସେହିପରି ପିଆର୍‌ସିଆଇର ଉତ୍ତରାଞ୍ଚଳ ଅଧ୍ୟକ୍ଷ ରବିନାରା‌ୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ଅଧିବେଶନରେ ସାମ୍ବାଦିକ ଅଶୋକ ପଣ୍ଡା, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ବିଭାଗ ମୁଖ୍ୟ ଡ. ନଳିନୀ ପାତ୍ର, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ସହକାରୀ ପ୍ରବନ୍ଧକ(କର୍ପୋରେଟ କମ୍ୟୁନିକେସନ) ଶଶାଙ୍କ ପଟ୍ଟନାୟକ ଯୋଗଦେଇ ଜନସମ୍ପର୍କର ଆହ୍ବାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବୈନ୍ୟନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶେଷ ଅଧିବେଶନରେ ନିଫ୍ଟର ସହକାରୀ ପ୍ରଫେସର ଅପର୍ଣ୍ଣା ରସ୍ତୋଗୀ, ବିର୍ଲା ଗ୍ଲୋବାଲ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଜ୍ଞାନରଞ୍ଜନ ମିଶ୍ର ନିବନ୍ଧ ଉପସ୍ଥାପନ କରିଥିଲେ। ଶେଷରେ ପୂର୍ବତଟ ରେଳପଥର ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବତଟ ରେଳପଥର ଜନ ସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି ଓ ବିକାଶ କୁମାର ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର