‘ଖରିଫ୍‌-୨୦୧୯’ ପାଇଁ ପ୍ରସ୍ତୁତି ବୈଠକ : ଫସଲକୁ ରକ୍ଷା କରିବା ପାଇଁ ଆପଦକାଳୀନ ଯୋଜନା ପ୍ରସ୍ତୁତ

ଭୁବନେଶ୍ବର : ବନ୍ୟା, ବାତ୍ୟା, ମରୁଡ଼ି ଆଦି ଆପଦକାଳୀନ ପରିସ୍ଥିତିର ସଫଳ ମୁକାବିଲା କରିବା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରସ୍ତୁତ ରହିଛି। କୃଷି ନିର୍ଦ୍ଦେଶାଳୟ, ଓୟୁଏଟି ଓ ହାଇଦ୍ରାବାଦସ୍ଥିତ କେନ୍ଦ୍ରୀୟ ଶୁଷ୍କାଞ୍ଚଳ ଗବେଷଣା ପ୍ରତିଷ୍ଠାନର ସହଯୋଗରେ ରାଜ୍ୟର ୧୦ଟି କୃଷି ପାଣିପାଗ ଅଞ୍ଚଳ ପାଇଁ ଆପଦକାଳୀନ ଯୋଜନା ପ୍ରସ୍ତୁତ କରାଯାଇଛି। ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଦାଉରୁ ଫସଲକୁ ରକ୍ଷା କରାଯାଇପାରିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ‌େଦଇଛନ୍ତି।

ଆଜି କୃଷି ଭବନରେ ‘ଖରିଫ୍-୨୦୧୯’ ପାଇଁ ପ୍ରସ୍ତୁତି ବୈଠକ ଆ‌ାୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ବିଗତ ବର୍ଷଗୁଡ଼ିକରେ ମରୁଡ଼ି, ବାତ୍ୟା, ଅସମୟ ବର୍ଷା ଓ ରୋଗପୋକ ଯୋଗୁଁ ୬ ଲକ୍ଷ ୩୯ ହଜାର ହେକ୍ଟର ଫସଲ ହାନି ହୋଇଛି। ରାଜ୍ୟରେ ପାଣିପାଗ କୃଷି ଅଭିବୃଦ୍ଧିରେ ଯଥେଷ୍ଟ ଭୂମିକା ଗ୍ରହଣ କରିଥାଏ। ଏହି ପର‌ିପ୍ରେକ୍ଷୀରେ କୃଷି ବିଭାଗ ପକ୍ଷରୁ କୃଷି ସାମଗ୍ରୀ ମହଜୁଦ୍ ରଖାଯାଉଛି। ରାଜ୍ୟ‌େର ସିଡ୍‌ ରିଜର୍ଭ ପଲିସି କାର୍ଯ୍ୟକାରୀ ହେଉଛି। ଏଥି ସହ ରୋଗପୋକ ପରିଚାଳନା ଯୋଜନା ଇ-ପେଷ୍ଟ ସର୍ଭେଲାନ୍ସ କାର୍ଯ୍ୟକ୍ରମ ଚାଲୁ ରହିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଧାନ, ହରଡ଼, ମକା, ଚିନାବାଦାମ, କପା, ମାଣ୍ଡିଆ, ଅଦା ଓ ହଳଦୀକୁ ବୀମାଭୁକ୍ତ କରାଯାଇଛି।

ମନ୍ତ୍ରୀ ଆହୁରି କହିଥିଲେ, ସମ୍ପ୍ରତି ଫନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ୧୪ଟି ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ କରାଯାଇ କୃଷି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଜଳସେଚିତ ଜମି ପାଇଁ ହେକ୍ଟର ପ୍ରତି ୧୩,୫୦୦ ଓ ଅଣଜଳସେଚିତ ଜମି ପାଇଁ ୬,୮୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ୫ ହଜାର ପାଣିପମ୍ପ ସେଟ୍‌ ଓ ୧୦ ହଜାର ସ୍ପ୍ରେୟର ୫୦ ପ୍ରତିଶତ ରିହାତିରେ ଯୋଗାଇ ଦେବା ପାଇଁ ସ୍ଥିର କରାଯାଇଛି। ଉଦ୍ୟାନ କୃଷିରେ ନଡ଼ିଆ, ପାନ, ଫଳଗଛ, ଛତୁ ଚାଷ ଇତ୍ୟାଦିର ପୁନରୁଦ୍ଧାର ନିମିତ୍ତ ସ୍ବତନ୍ତ୍ର ସହାୟତା ଦିଆଯାଉଛି।

ବୈଠକରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଓ କେନ୍ଦ୍ରୀୟ ଶୁଷ୍କାଞ୍ଚଳ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଜି ରବୀନ୍ଦ୍ର ଚାରୀ ଓଡ଼ିଶାରେ ଆଗାମୀ ମୌସୁମୀ ବର୍ଷା, ବିଭିନ୍ନ କୃଷି ସାମଗ୍ରୀର ଆୟୋଜନ, ମଧ୍ୟବର୍ତ୍ତୀ ଆପଦକାଳୀନ ଯୋଜନା ପାଇଁ ପ୍ରସ୍ତୁତି ଓ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ବିଷୟରେ ଆଲୋଚନା କରିଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଏମ୍ ମୁଥୁକୁମାର ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର