ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ରାଷ୍ଟ୍ରପତି

ଟେଲିଫୋନ କଲେ ନବୀନ, କୃତଜ୍ଞତା ଜଣାଇଲେ ମମତା‌

ଭୁବନେଶ୍ବର: ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସି ବାତ୍ୟା କ୍ଷତି ଅନୁଧ୍ୟାନ କରିଥିବା ବେଳେ ପୂର୍ବାହ୍ନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ବାତ୍ୟା କ୍ଷୟକ୍ଷତି ସଂପର୍କରେ ଉଭୟଙ୍କ ସହ ଆଲୋଚନା ବେଳେ ଚିନ୍ତାପ୍ରକଟ କରିଥିଲେ ବୋଲି ଏଥିରେ କୁହାଯାଇଛି। ଏଭଳି ସଙ୍କଟ ସମୟରେ ରାଜ୍ୟର ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସମଗ୍ର ଦେଶ ଏକଜୁଟ୍ ରହିଛି ବୋଲି ରାଷ୍ଟ୍ରପତି ଆଶ୍ବାସନା ଦେଇଥିଲେ।

ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପଶ୍ଚିମବଙ୍ଗରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ଦୁର୍ଦଶା ନେଇ ଚିନ୍ତାବ୍ୟକ୍ତ କରିବା ସହିତ ପଶ୍ଚିମବଙ୍ଗ ଲୋକଙ୍କ ସହିତ ଓଡ଼ିଶାବାସୀ ରହିଛନ୍ତି ବୋଲି କହିଥିଲେ। ମୁଖ୍ୟସଚିବଙ୍କୁ ନିର୍ଦେଶ ଦେଇଥିଲେ ଯେ ପଶ୍ଚିମବଙ୍ଗ ମୁଖ୍ୟସଚିବଙ୍କ ସହିତ ଯୋଗାଯୋଗରେ ରହି ଆବଶ୍ୟକ ସହାୟତା ପ୍ରଦାନ ଲାଗି ପଦକ୍ଷେପ ନେବେ। ଆଜି କିନ୍ତୁ ନବୀନ ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲୋଚନା କରିଛନ୍ତି। ପଶ୍ଚିମବଙ୍ଗ କ୍ଷତି ଲାଗି ଦୁଃଖ ପ୍ରକାଶ କରିବା ସହିତ ଆବଶ୍ୟକ ସହଯୋଗ ଓଡ଼ିଶା କରିବ ବୋଲି ଜଣାଇଛନ୍ତି। ଏହି ଅବସରରେ ପଶ୍ଚିମବଙ୍ଗ କ୍ଷୟକ୍ଷତି ସଂପର୍କରେ ନବୀନ ଜାଣିବାକୁ ଚାହିଁଥିଲେ। ନବୀନଙ୍କ ସହିତ ଆଲୋଚନା ପରେ ମମତା ତାଙ୍କ ପ୍ରତିକ୍ରିୟା ଟ୍ବିଟ୍ କରିଛନ୍ତି। କହିଛନ୍ତି, ଏଭଳି ଅଦ୍ଭୂତପୂର୍ବ ସମୟରେ ନବୀନ ଯେଉଁ ଆଶ୍ବାସନା ଦେଇଛନ୍ତି, ସେଥିପାଇଁ ସେ କୃତଜ୍ଞ। ଏଭଳି ଏକ କଠିନ ସମୟରେ ପରବର୍ତୀ ପୁନଃନିର୍ମାଣ ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି ବୋଲି ମମତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର