ରାଜଭବନରେ ରାଷ୍ଟ୍ରପତି: ପରିବାର ଗହଣରେ ରାତି କାଟିଲେ, ରାଜ୍ୟପାଳ ବି ରାଜଭବନରେ ରହିଲେ

ରାଷ୍ଟ୍ରପତିଙ୍କ ପାଇଁ ୩ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ପୁରୀରେ ପହଞ୍ଚି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ପ୍ରଥମ ଥର ଆଜି ପୁରୀ ରାଜଭବନରେ ରାତି କାଟିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ ପୁଣି ପରିବାର ସଦସ୍ୟଙ୍କ ଗହଣରେ। ଏଥିପାଇଁ ରାଜଭବନ ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମାଳମାଳ ବ୍ୟକ୍ତିଗତ ସୁରକ୍ଷା କର୍ମୀ, ପୁଲିସ ଚତୁଃପାର୍ଶ୍ବରୁ ଘେରି ରହିଛନ୍ତି। ସେପଟେ ରାଜଭବନକୁ ରାଜଉଆସ ଭଳି ସଜାଯାଇଛି। ଆଲୋକ, ସବୁଜିମାରେ ସୌନ୍ଦର୍ଯ୍ୟୀକରଣ ସାଙ୍ଗକୁ ‌ସୌଖୀନ ଖଟ, ସୋଫା, ଡାଇନିଂ ଟେବୁଲ୍‌ ଆଦି ପକାଯାଇଛି। ରାଜଭବନରେ ୧୧ଟି କକ୍ଷ ରହିଥିବାବେଳେ ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ଓ ଅନ୍ୟ କକ୍ଷରେ ପରିବାର ସଦସ୍ୟଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ସେପଟେ ରାଷ୍ଟ୍ରପତିଙ୍କ ସହ ପୁରୀ ଗସ୍ତରେ ଆସିଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବି ଆଜି ରାତିରେ ରାଜଭବନରେ ରହିଛନ୍ତି। ଦୁଇ ମହଲା ବିଶିଷ୍ଟ ରାଜଭବନର ତଳମହଲାରେ ରାଷ୍ଟ୍ରପତି ରହୁଥିବା ଜଣାପଡ଼ିଛି।

ରାଷ୍ଟ୍ରପତି ହେବା ପରେ ରାମନାଥ କୋବିନ୍ଦଙ୍କ ଏହା ତୃତୀୟ ପୁରୀ ଗସ୍ତ। ପ୍ରଥମ ଥର ୨୦୧୮ ମସିହା ମାର୍ଚ୍ଚରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିଥିଲେ। ଶେଷ ଥର ୨୦୨୧ ମସିହାରେ ବି ରାଷ୍ଟ୍ରପତି ପୁରୀ ଗସ୍ତରେ ଆସିଥିଲେ। କିନ୍ତୁ ଯେବେ ବି ଆସିଛନ୍ତି, କେବେ ରାଜଭବନରେ ରହିନାହାନ୍ତି। ପ୍ରଥମ ଥର ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ରେ ରାଷ୍ଟ୍ରପତି ରହିଥିଲେ। ଦ୍ବିତୀୟ ଥର କୋଣାର୍କ ପାନ୍ଥନିବାସରେ ରାତ୍ରରହଣୀ ବ୍ୟବସ୍ଥା କରାଯାଇଥିଲା। ରାଷ୍ଟ୍ରପତି ହେବା ପରେ ରାମନାଥ କୋବିନ୍ଦ ପ୍ରଥମ ଥର ପୁରୀ ରାଜଭବନରେ ରହିବାର ବ୍ୟବସ୍ଥା କରାଯାଇଥିବାରୁ ଆତିଥ୍ୟତା ଉଣା କରାଯାଇନି। ଏଥିପାଇଁ ରାଜଭବନକୁ ନୂଆବୋହୂ ଭଳି ସାଜସଜ୍ଜା କରାଯାଇଛି। ପ୍ରବେଶ ପଥରେ ଓ ଭିତରେ କାରପେଟ୍‌ ବିଛାଯାଇଛି। ଶେଷଥର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ ପୁରୀ ଗସ୍ତ କାଳରେ ରାଜଭବନରେ ରହିଥିଲେ। ଏହା ପରଠାରୁ କୌଣସି ରାଷ୍ଟ୍ରପତି ରାଜଭବନରେ ରହିଁନାହାନ୍ତି। ସେପଟେ ରାଜଭବନ ଅବସ୍ଥା ଭଲ ନ ଥିବା ଓ ଏହାର ପୁନରୁଦ୍ଧାର କାମ ଚାଲିଥିବାରୁ ପୂର୍ବରୁ କୌଣସି ଅତିଥି ବି ଏଠାରେ ରହୁନଥିଲେ। ୬ ମାସ ତଳେ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ରାଜଭବନର ପୁନରୁଦ୍ଧାର କରାଯାଇଛି। ଦୁଇମହଲା ବିଶିଷ୍ଟ ଏହି କୋଠାର ସମ୍ପୂର୍ଣ୍ଣ ନବକଳେବର କରାଯାଇଛି। ରାଜ୍ୟପାଳଙ୍କ ପତ୍ନୀଙ୍କ ସ୍ମୃତିରେ ରାଜଭବନ ପରିସରରେ ଏକ ବିସ୍ତୃତ ବଗିଚା ବି ତିଆରି କରାଯାଇଛି। ସମୁଦ୍ରର ଦୃଶ୍ୟ ବି ରାଜଭବନରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି।

ରାଷ୍ଟ୍ରପତିଙ୍କ ପାଇଁ ୩ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆଜି ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ତିନି ଘଣ୍ଟା ଶ୍ରୀମନ୍ଦିର ବନ୍ଦ ରହିଥିଲା। ସର୍ବସାଧାରଣଙ୍କ ପ୍ରବେଶ ଓ ଦର୍ଶନ ବନ୍ଦ ରଖାଯାଇଥିଲା। ରାଷ୍ଟ୍ରପତି ସିଂହଦ୍ବାର ଚକଡ଼ା ଛାଡ଼ିବା ପରେ ସଂଧ୍ୟା ସାଢ଼େ ୬ଟାରେ ସର୍ବସାଧାରଣ ଦର୍ଶନ ସ୍ବାଭାବିକ ହୋଇଥିଲା। ପୂର୍ବ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ସପରିବାର ମହାପ୍ରଭୁଙ୍କ ଦର୍ଶନ ବେଳେ ଆଜି ଶ୍ରୀମନ୍ଦିର ୪୫ ମିନିଟ୍‌ ରହିବାର ଥିଲା। କିନ୍ତୁ ଆଜି ରାଷ୍ଟ୍ରପତି ପରିବାର ସଦସ୍ୟଙ୍କ ସହ ପ୍ରାୟ ୧ ଘଣ୍ଟା ଶ୍ରୀମନ୍ଦିରରେ କାଟିଛନ୍ତି। ଏହି ଉପ‌ଲକ୍ଷେ ଆଜି ଅପରାହ୍ଣ ସାଢ଼େ ୩ଟାରୁ ଦର୍ଶନ ବନ୍ଦ କରି ଦିଆଯାଇଥିଲା। ରାଜଭବନରୁ ସିଂହଦ୍ବାର ଭାୟା ଭିଆଇପି ରୋଡ୍‌ କଡ଼ା ସୁରକ୍ଷା ବଳୟରେ ରଖାଯାଇଥିଲା। ରାଷ୍ଟ୍ରପତି ସଂଧ୍ୟା ୫ଟାରେ ପହଞ୍ଚି ଦର୍ଶନ ପରେ ୫ଟା ୪୫ରେ ଶ୍ରୀମନ୍ଦିର ଛାଡ଼ିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ରାଷ୍ଟ୍ରପତି ପ୍ରାୟ ୬ଟା ୩ରେ ଶ୍ରୀମନ୍ଦିରରୁ ବାହାରିଥିଲେ। ପରେ ସିଂହଦ୍ବାର ରାମଦୟା ପରିଷଦ ନିକଟରେ ତିଆରି ହୋଇଥିବା ଅସ୍ଥାୟୀ ସେଡ୍‌ରେ କିଛି ସମୟ ରହି ପୁନର୍ବାର ରାଜଭବନ ଚାଲି ଯାଇଥିଲେ। ଏଣୁ ସାଢ଼େ ୬ଟାରେ ଅପେକ୍ଷାରତ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଥିଲା।

ସମ୍ବନ୍ଧିତ ଖବର