କେନ୍ଦୁଝର ଜିଲ୍ଲା କାରାଗାରରେ ଫାଶୀ ଭୟରେ ଟଳିପଡ଼ିଲେ ବନ୍ଦୀ!

ଖାଇବାବେଳେ ହୃଦ୍‌ଘାତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାରାଗାରରେ ଫାଶୀ ଭୟ ଯୋଗୁ ଜଣେ ବିଚାରାଧୀନ ବନ୍ଦୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଗତକାଲି ଏହି ଜେଲ୍‌ରେ ବନ୍ଦୀ ଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତ ସୁନୀଲ ନାଏକକୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଥିଲା। ନିଜେ ଜଣେ ଦୁଷ୍କର୍ମ ଅଭିଯୁକ୍ତ ହୋଇଥିବାରୁ ସେହି ସମାନ ଦଣ୍ଡ ଭୟରେ ସେ ଖାଇବା ଥାଳି ନିକଟରେ ଟଳି ପଡ଼ିଥିବା କୁହାଯାଉଛି। ଏହି ମୃତ୍ୟୁ ଘଟଣା ସବୁଆଡ଼େ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମୃତ ବନ୍ଦୀ ହେଲେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ମିଶ୍ରମାଳ ଗାଁର ଟୁରି ମୁଣ୍ଡା(୫୫)। ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଟୁରି କିଛି ବର୍ଷ ଧରି କେନ୍ଦୁଝର ଜିଲ୍ଲା କାରାଗାରରେ ବନ୍ଦୀ ଭାବେ ଜୀବନ କାଟୁଥିଲେ। ଆଜି ସକାଳେ ସେ ଖାଦ୍ୟ ନେଇ ନିଜ ସେଲ୍‌କୁ ଯାଇଥିଲେ। ଖାଦ୍ୟକୁ ତଳେ ରଖି ଖାଇବା ପାଇଁ ବସିଥିଲେ। ଠିକ୍‌ ଏହି ସମୟରେ ସେ ହଠାତ୍‌ ଟଳି ପଡ଼ିଥିଲେ। ଅନ୍ୟ କଏଦୀଙ୍କ ଠାରୁ ଖବର ପାଇ କାରାଗାରର କର୍ମଚାରୀମାନେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିନ ପ୍ରାୟ ୧୦ଟା ୫୦ ମିନିଟରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ।

ଶୁଣିବାକୁ ମିଳୁଛି ଯେ, ଏହି ଜେଲ୍‌ରେ ବନ୍ଦୀ ଥିବା ସାଢ଼େ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ସୁନୀଲ କୁମାର ନାଏକକୁ ଗତକାଲି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ବିଚାରପତି ଫାଶୀ ଦଣ୍ଡାଦେଶ ଦେଇଥିଲେ। ଏହି ଖବର ଶୁଣି କାଳେ ତାଙ୍କୁ ବି ଫାଶୀ ଦଣ୍ଡ ହେବ ବୋଲି ଭାବି ଟୁରି ମୁଣ୍ଡା ଛାନିଆ ହୋଇଯାଇଥିଲେ ଏବଂ ଯେଉଁଥିପାଇଁ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ତେବେ, ଏ ସମ୍ପର୍କରେ ଜେଲ୍‌ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରିନାହାନ୍ତି।

ସମ୍ବନ୍ଧିତ ଖବର