ଜେଲ୍‌ରେ ଅଭିଯୁକ୍ତଙ୍କ ସୁରକ୍ଷା ଚିନ୍ତା ଘାରିଲା : ହତ୍ୟା ମାମଲା ରୁଜୁ କଲା ପୁଲିସ

ଚୌଦ୍ବାର : କଟକ ଶେଖବଜାର ବହୁଚର୍ଚ୍ଚିତ କେଶବ ବେହେରା ଓରଫ୍ କେଶିଆ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତ ସୁଭ୍ରାଂଶୁ କୁମାର ଦାସ ଓରଫ ଟନିର ଚୌଦ୍ବାର ଜେଲ୍‌ରେ ଶନିବାର ସନ୍ଦେହଜନକ ମୃତ୍ୟୁ ଘଟିବା ପରେ ଏହି ମାମଲାରେ ସଜ୍ଜା କାଟୁଥିବା ଅନ୍ୟ ତିନି ଅଭିଯୁକ୍ତଙ୍କ ସୁରକ୍ଷା ନେଇ ପରିବାର ଲୋକ ଆଶଙ୍କା ପ୍ରକାଶ କରିଛନ୍ତି। ଆଜି ଖୋଦ୍ ସେମାନଙ୍କ ପରିବାର ଲୋକ ଏନେଇ ଚୌଦ୍ବାର ଥାନା ଦ୍ବାରସ୍ଥ ହୋଇଛନ୍ତି। ତିନି ପୁଅଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ମା’ ପ୍ରେମଲତା ବେହେରା ଅଭିଯୋଗରେ ଦର୍ଶାଇଛନ୍ତି। ସେପଟେ ପୁଅକୁ ହତ୍ୟା କରାଯାଇଥିବା ନେଇ ଗତକାଲି ରାତିରେ ଟନିର ମା’ କଳ୍ପନା ଦାସ ଚୌଦ୍ବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଜି ଦଫା ୩୦୨, ୩୪ରେ ଆଜି ଏକ ହତ୍ୟା ମାମଲା(କେସ୍‌ ନଂ-୭୭) ରୁଜୁ କରିଛି।

ଗତକାଲି ପୁଲିସ ଟନି ମୃତ୍ୟୁକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ଗୋଟିଏପଟେ ଟନିର ସନ୍ଦେହଜନକ ମୃତ୍ୟୁ ଏବଂ ଅନ୍ୟପଟେ ଏହି ହତ୍ୟାକାଣ୍ଡ ଘଟଣାରେ ସଜ୍ଜା କାଟୁଥିବା ଅନ୍ୟ ତିନି ଅଭିଯୁକ୍ତ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପରିବାର ଲୋକ ଥାନାରେ ଫେରାଦ୍ ହେବା ଘଟଣା ପୂରା ମାମଲାକୁ ଅଧିକ ଜଟିଳ କରିଦେଇଛି।

ଉଲ୍ଲେଖଯୋଗ୍ୟ, କେଶିଆ ହତ୍ୟାକାଣ୍ଡ ଘଟଣାରେ କେଶରପୁର ଅଂଚଳର ଟନି ସମେତ ତାର ସାନ ଭାଇ ସୁଧାଂଶୁ ଦାସ ଓରଫ ଜନି, ବିଶ୍ୱନାଥ ବେହେରା ଓରଫ ଭେଲର, କେଶବ ବେହେରା ଓରଫ ମଣ୍ଟୁ, ଦେବରାଜ ବେହେରା ଓରଫ ଲିଟୁ ସଜ୍ଜା କାଟୁଛନ୍ତି। ଗତକାଲି ଟନିର ସନ୍ଦେହଜନକ ମୃତ୍ୟୁ ଘଟିବା ପରେ ଅନ୍ୟ ତିନି ଅଭିଯୁକ୍ତ ଭେଲର୍‌, ମଣ୍ଟୁ ଓ ଲିଟୁର ଜୀବନ ପ୍ରତି ବିପଦ ଆଶଙ୍କା କରି ସେମାନଙ୍କ ମା’ ପ୍ରେମଲତା ବେହେରା ଚୌଦ୍ବାର ଥାନା ଦ୍ବାରସ୍ଥ ହୋଇ ପୁଅକୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର