ସାମ୍ନାକୁ ଆସିଲା ସମ୍ପତ୍ତି ତାଲିକା : ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେଡିର ୪ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ କୋଟିପତି

ଭୁବନେଶ୍ବର: ରାଜ୍ୟସଭା ଆସନ ନିର୍ବାଚନ ଲାଗି ବୁଧବାର ପୂର୍ବାହ୍ନରେ ବିଜୁ ଜନତା ଦଳର ୪ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡି ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ନିଜ ନିଜର ପ୍ରାର୍ଥୀପତ୍ର ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ଙ୍କ ପାଖରେ ଦାଖଲ କରିଥିଲେ। ଏବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ୪ଜଣ ପ୍ରାର୍ଥୀଙ୍କ ସମ୍ପତ୍ତିର ବିବରଣୀ ସାମ୍ନାକୁ ଆସିଛି। ୪ଜଣଙ୍କ ମଧ୍ୟରୁ କେବଳ ଜଣେ ପ୍ରାର୍ଥୀ କୋଟିପତି ବୋଲି ଜଣା ପଡ଼ିଛି।

ପ୍ରାର୍ଥୀଙ୍କ ପକ୍ଷରୁ ଦାଖଲ ଆଫିଡେଭିଟ୍ ଅନୁଯାୟୀ ସୁଜିତ କୁମାରଙ୍କ ପାଖରେ ବର୍ତ୍ତମାନ ୧କୋଟି ୧୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି। ସେହିଭଳି ଭାବରେ ମମତା ମହାନ୍ତଙ୍କ ପାଖରେ ୨୫ଲକ୍ଷ ୩ ହଜାର ଟଙ୍କାରୁୁ ଅଧିକ ସମ୍ପତ୍ତି ରହିଥିବା ବେଳେ ସୁବାସ ସିଂହଙ୍କ ପାଖରେ ୨୩ ଲକ୍ଷ ୩୭ ହଜାର ଟଙ୍କାର ସମ୍ପତ୍ତି ରହିଛି। ଚତୁର୍ଥ ପ୍ରାର୍ଥୀ ମୁନ୍ନା ଖାଁଙ୍କ ପାଖରେ ସର୍ବମୋଟ  ୩୨ଲକ୍ଷ ୯୫ ହଜାର ଟଙ୍କାର ସମ୍ପତ୍ତି ରହିଥିବା ସ୍ପଷ୍ଟ ହୋଇଛି।

ସୂଚନା ମୁତାବକ, ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ। ଏଠାରେ ସ୍ମରଣ କରାଇଦିଆଯାଇ ପାରେ ଯେ ଖାଲି ପଡ଼ିଥିବା ରାଜ୍ୟସଭା ଆସନଗୁଡ଼ିକ ନିମନ୍ତେ ଆସନ୍ତା ମାର୍ଚ ୨୬ତାରିଖ ଦିନ ଭୋଟ୍‌ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର