ପବ୍ଲିକ୍ ପ୍ରସିକ୍ୟୁଟର ନିଯୁକ୍ତି ପ୍ରକ୍ରିୟାକୁ ସ୍ୟାଟ୍‌ରେ ଚ‌ାଲେଞ୍ଜ

ଦୁଇଟି ପଦବିରେ ନିଯୁକ୍ତି ଉପରେ ଅଙ୍କୁଶ, ଓପିଏସ୍‌ସିକୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ : ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ପ୍ରକ୍ରିୟାକୁ ଚାଲେଞ୍ଜ କରି ଦାୟର ମାମଲାର ଶୁଣାଣି କରି ଦୁଇଟି ପଦବିରେ ନିଯୁକ୍ତି ଉପରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍) ଅଙ୍କୁଶ ଜାରି କରିଛନ୍ତି। ସ୍ୟାଟ୍ କାର୍ଯ୍ୟକାରୀ ଅଧ୍ୟକ୍ଷ ଏମ୍.ଏମ୍.ପ୍ରହରାଜଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)କୁ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଦୁଇ ସପ୍ତାହ ଭିତରେ ଆବେଦନକାରୀ ପ୍ରତି ଜବାବ ଦାଖଲ କରିବେ। ମାମଲାରେ ଜବାବ ଦାଖଲ ପର୍ଯ୍ୟନ୍ତ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଗୋଟିଏ ଓ ମହିଳାଙ୍କ ପାଇଁ ସଂରକ୍ଷିତ ଗୋଟିଏ ପଦବିରେ ନିଯୁକ୍ତି ଦିଆଯାଇ ପାରିବ ନାହିଁ ବୋଲି ସ୍ୟାଟ୍ ଜାରି କରିଥିବା ଅନ୍ତରୀଣ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ଆଇନଜୀବୀ ଭବାନୀ ଶଙ୍କର ରାୟଗୁରୁ ଓ ଓପିଏସସି ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଓପିଏସସି ପକ୍ଷରୁ ୧୨ଟି ପବ୍ଲିକ୍ ପ୍ରସିକ୍ୟୁଟର ପଦବିରେ ନିଯୁକ୍ତିକୁ ନେଇ ୨୦୧୬, ଅକ୍ଟୋବର ୪ରେ ବିଜ୍ଞାପନ ପ୍ରକାଶ ପାଇଥିଲା। ୨୦୧୮, ଅଗଷ୍ଟ ୧୧ ଓ ୧୨ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସାକ୍ଷାତକାର ପାଇଁ ୩୧ ଜଣ ପ୍ରାର୍ଥୀଙ୍କୁ ଡକାଯାଇଥିଲା। ଏହା ପରେ ୨୦୧୯, ଜାନୁଆରି ୧୧ରେ ଚୂଡାନ୍ତ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ପବ୍ଲିକ୍ ପ୍ରସିକ୍ୟୁଟର, ଗ୍ରୁପ୍-ଏ ପଦବିରେ ନିଯୁକ୍ତି ପାଇଁ ଓପିଏସସି ୧୨ଜଣଙ୍କ ନାଁ ଗୃହ ବିଭାଗକୁ ସୁପାରିସ କରିଥିଲା। ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହୋଇଥିଲା। ଲିଖିତ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ମୌଖିକ ପରୀକ୍ଷା ପାଇଁ ଡକାଯାଇ ନଥିଲା। ଅପେକ୍ଷାକୃତ କମ୍ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ମୌଖିକ ପରୀକ୍ଷାରେ ବସିବାକୁ ଡକାଯାଇଥିବା ବେଳେ ଆବେଦନକାରୀଙ୍କୁ ଏଥିରୁ ବଞ୍ଚିତ କରାଯାଇଥିଲା। ସେହିଭଳି ମୋଟ ପଦବି ସଂଖ୍ୟାର ୩ ଗୁଣ ପ୍ରର୍ଥୀଙ୍କୁ ମୌଖିକ ପରୀକ୍ଷା ପାଇଁ ଡକାଯିବା କଥା। କିନ୍ତୁ ଏପରି କରାଯାଇ ନଥିଲା। ମହିଳାଙ୍କ ପାଇଁ ୪ଟି ପଦବି ଥିବା ବେଳେ ୩ ଗୁଣ ଅନୁପାତରେ ପ୍ରାର୍ଥୀଙ୍କୁ କିନ୍ତୁ ମୌଖିକ ପରୀକ୍ଷା ପାଇଁ ପ୍ରକାଶିତ ତାଲିକାରେ ସ୍ଥାନ ଦିଆଯାଇ ନଥିଲା ବୋଲି ଆବେଦନରେ ଦର୍ଶାଯାଇଛି। ପବ୍ଲିକ୍ ପ୍ରସିକ୍ୟୁଟର ନିଯୁକ୍ତି ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ ଅଭିଯୋଗ ନେଇ ପ୍ରଦୀପ କୁମାର ସାମଲ ଓ ଗୀତାରାଣୀ ମାଝୀ ସ୍ୟାଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର