ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ବିବାଦ ମାମଲା: ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରଖିଲେ ହାଇକୋର୍ଟ

କଟକ: ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ଅନିୟମିତତା ପ୍ରସଂଗକୁ ନେଇ ହାଇକୋର୍ଟରେ ଦାୟର ମାମଲାରେ ସରକାର ଆଜି ସମୟ ନେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଅଧିକ ସମୟ ଲୋଡ଼ାଯାଇଥିଲା। ହାଇକୋର୍ଟ ଏଥିପାଇଁ ଅନୁମତି ଦେବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୩୦କୁ ଧାର୍ଯ୍ୟ କରିଛନ୍ତି। ଯେଉଁ ପ୍ରତିପକ୍ଷମାନେ ମାମଲାରେ ଜବାବ ଦାଖଲ କରି ନାହାନ୍ତି ସେମାନେ ୮ ସପ୍ତାହ ଭିତରେ ଜବାବ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀ ଜଗନ୍ନାଥ ବସ୍ତିଆ ଦର୍ଶାଇଥିଲେ ଯେ ତାଙ୍କ ସଂଶୋଧନ ଆବେଦନ ଉପରେ ଜବାବ ରଖିବାକୁ ମେ’ ୨ରେ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜୁନ ୨୨ରେ ଜବାବ ରଖିବାକୁ ପୁଣି ସରକାର ଚାରି ସପ୍ତାହ ସମୟ ନେଇଥିଲେ।

ଏ ପର୍ଯ୍ୟନ୍ତ କିନ୍ତୁ ଜବାବ ଦାଖଲ କରାଯାଇ ନାହିଁ। ୮ ସପ୍ତାହ ଭିତରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯିବ ଓ ଏହାପରେ ଆବେଦନକାରୀ ପ୍ରତିଜବାବ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ରଙ୍କ ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଉଭୟ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୩୦ରେ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ବଗଲା ଧର୍ମଶାଳା ଜମିକୁ ହୋଟେଲ ଓ ଲଜ ମାଲିକଙ୍କୁ ଦେବା ପ୍ରସଂଗକୁ ନେଇ ୨୦୧୯ରେ ଶ୍ରୀ ବସ୍ତିଆ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ପୁରୀରେ ଭକ୍ତଙ୍କ ରହିବା ପାଇଁ ଧର୍ମଶାଳା ଓ ମଠ ସବୁ ରହିଥିବା ବେଳେ ସୁପ୍ରିମକୋର୍ଟ ୬୦ ହଜାର ଭକ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରିବା ଲାଗି କହିଥିଲେ। ଏପରି ପରିସ୍ଥିତିରେ ସରକାର ଭକ୍ତଙ୍କ ରହିବା ଲାଗି ଥିବା ଧର୍ମଶାଳାର ଜମିକୁ ହୋଟେଲ ଓ ଲଜ ମାଲିକଙ୍କୁ ଦେବା ପାଇଁ ଯୋଜନା କରିବା ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଡକ୍ଟର ପାତ୍ରଙ୍କ ପକ୍ଷରୁ ୨୦୨୦ରେ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ବଗଲା ଧର୍ମଶାଳା ଜମି ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସମ୍ପତ୍ତି ବୋଲି ସ୍ବୀକାର କରାଯାଇଛି। ସାବକ ରେକର୍ଡରେ ଏହି ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ରହିଥିବା ବେଳେ ଏହା ଠାକୁରଙ୍କ ଅମୃତମଣୋହି ସମ୍ପତ୍ତି ବୋଲି ଉଲ୍ଲେଖ ରହିଥିଲା। ପରବର୍ତ୍ତୀ ସମୟରେ ଏହି ଜମିକୁ ପୁରୀ ଲଜିଂ ହାଉସ କମିଟି ନାଁରେ ରେକର୍ଡ କରାଯାଇଥିଲା।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ପରିଚାଳନା ଭାର କେବଳ ମନ୍ଦିର ପରିଚାଳନା କମିଟି ହାତରେ ରହିବା ନିୟମ ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନର ଧାରା ୫ ଓ ୩୩ର ଉଲ୍ଲଂଘନ କରି ଏହି ଜମି ଲଜିଂ ହାଉସ୍‌ କମିଟି ନାଁରେ ରେକର୍ଡ କରିଥିଲେ। ରେକର୍ଡରେ ଭୁଲ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅମୃତମଣୋହି ସମ୍ପତ୍ତି ରାଜ୍ୟ ସରକାରଙ୍କ ହାତକୁ ଟେକି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହି ସମ୍ପତ୍ତିକୁ କେତେକଙ୍କ ଥଇଥାନ ପାଇଁ ବକ୍ରି ବା ହସ୍ତାନ୍ତର କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସମ୍ପତ୍ତିକୁ ଅନ୍ୟମାନଙ୍କ ନାଁରେ ରେକର୍ଡ କରିବା ବା ବିକ୍ରି କରିବାର ଅଧିକାର ପୁରୀ ପୌରପାଳିକା କିମ୍ବା ରାଜ୍ୟ ନଗର ଉନ୍ନୟନ ବିଭାଗର ନାହିଁ ବୋଲି ଶ୍ରୀ ପାତ୍ରଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା। ମାମଲା ଶୁଣାଣି ଚାଲିଥିବା ବେଳେ ବଗଲା ଧର୍ମଶାଳା ଜମି ପ୍ରସଂଗରେ ଗ୍ରହଣ କରାଯାଉଥିବା ପଦକ୍ଷେପର ଭବିଷ୍ୟତ ବିଚାରାଧୀନ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର