ସୁପ୍ରିମକୋର୍ଟରେ ଉଚ୍ଛେଦ ମାମଲା: ମିଳିଲାନି ରହିତାଦେଶ

ଶ୍ରୀମନ୍ଦିର ଉନ୍ନତୀକରଣ ସମ୍ପର୍କରେ ଦେବେ ରିପୋର୍ଟ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ମାମଲାରେ ଆଜି ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ସଫଳତା ମିଳିଛି। ଜବରଦଖଲ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ ଅଫ୍ ଲୟର୍ସ ଓ ଇଣ୍ଡିକ କଲେକ୍ଟିଭ୍ ନାମକ ଦୁଇ ସଂସ୍ଥା ରହିତାଦେଶ ପାଇଁ କରିଥିବା ଆବେଦନ ପ୍ରଭାବହୀନ େହାଇଯାଇଛି। ସେମାନଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ଶ୍ରୀମନ୍ଦିର ସଂସ୍କାର ମାମଲାରେ କୋର୍ଟ ଦ୍ବାରା ନିଯୁକ୍ତ ଆମିକସ କ୍ୟୁରି ରଣଜିତ କୁମାରଙ୍କୁ ଉଚ୍ଛେଦ ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରି ଭବିଷ୍ୟତରେ ମନ୍ଦିରର ଉନ୍ନତୀକରଣ ପାଇଁ ଆବଶ୍ୟକ ପରାମର୍ଶ ଦେବା ପାଇଁ ପୁରୀ ଗସ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜାଙ୍କ ଆମନ୍ତ୍ରଣ କ୍ରମେ ସଲିସିଟର ଜେନେରାଲ ଓ ଆମିକସ କ୍ୟୁରି ପୁରୀ ଗସ୍ତ କରିବେ ବୋଲି ଖଣ୍ଡପୀଠ କହିଥିଲେ। ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ର, ବିଚାରପତି ଏମ ଆର ଶାହ ଓ ବିଚାରପତି ବି ଆର ଗାଭାଇଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି େହାଇଥିଲା। ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ମେଘନାଦ ପ୍ରାଚୀର ଠାରୁ ୭୫ ମିଟର ଦୂରତା ବିଶିଷ୍ଟ ସମସ୍ତ ଜବରଦଖଲ ଉଚ୍ଛେଦ ମାମଲାକୁ ବିରୋଧ କରି ଦାଖଲ କରାଯାଇଥିବା ଦୁଇଟି ଆବେଦନର ଆଜି ଶୁଣାଣି ‌ହୋଇଥିଲା। ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ ଅଫ୍ ଲୟର୍ସ ପକ୍ଷରୁ ଅଧ୍ୟକ୍ଷ ତଥା ଆଇନଜୀବୀ ଦେବାଶିଷ ମିଶ୍ରଙ୍କ ଦ୍ବାରା ଦାଖଲ କରାଯାଇଥିବା ରିଟ୍ ପିଟିସନ ଉପରେ ରାଜ୍ୟର ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜାଙ୍କ ଯୁକ୍ତିକୁ ଗ୍ରହଣ କରି ଖଣ୍ଡପୀଠ ଏହାକୁ ଡିସପୋଜ୍ ଅଫ୍ କରିଦେଇଥିଲେ। ଦେବାଶିଷ ମିଶ୍ର ପକ୍ଷ ଉପସ୍ଥାପନ କରି କହିଥିଲେ, ଶ୍ରୀଜଗନ୍ନାଥ ମନ୍ଦିରର ୭୫ ମିଟର ପରିଧିରେ ଥିବା ଘରୋଇ ସମ୍ପତ୍ତି ଗୁଡ଼ିକୁ ଉଚ୍ଛେଦ କରାଯାଉଛି। ଗତ ୧୦ ଦିନରୁ ଅନେକ ଜିନିଷ ଉଚ୍ଛେଦ କରାଯାଇ ସାରିଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ପ୍ରକାର ଉଚ୍ଛେଦ କରାଯାଉଛି ସେଥିରେ ଜମି ଅଧିଗ୍ରହଣର ନିୟମ ପାଳନ କରାଯାଉନାହିଁ ଏବଂ ଆଇନ ଅନୁସାରେ ତ୍ବରାନ୍ବିତ କରାଯାଉନାହିଁ। ପ୍ରଭାବିତ ଲୋକମାନଙ୍କୁ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ। ନିଜ ଯୁକ୍ତିରେ ଦେବାଶିଷ ମିଶ୍ର ଓଡ଼ିଶା ସରକାରଙ୍କ କ୍ୟାବିନେଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ସେବାୟତଙ୍କ ସହ ଗଜପତି ମହାରାଜାଙ୍କ ରାଜନଅର ମଧ୍ୟ ଉଚ୍ଛେଦ ପ୍ରକ୍ରିୟାରେ କ୍ଷିତଗ୍ରସ୍ତ ହେବ ବୋଲି ସେ ଯୁକ୍ତି ବାଢିଥିଲେ।

େସପ୍ଟେମ୍ବର ୯ରେ ପୁରୀ ଆସିେବ ଆମିକସ୍‌ କ୍ୟୁରି
ସଲିସିଟର େଜନେରାଲ ବି ସ୍ଥିତି ଅନୁଧ୍ୟାନ କରିବେ

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡି ଦେବାଶିଷ ମିଶ୍ର ସୂଚାଇ ଦେଇଥିଲେ କୋର୍ଟ ଓ ଆମିକସ କ୍ୟୁରିଙ୍କ ଭୁଲ ଯୋଗୁଁ ଗତ ବର୍ଷ ଅକ୍ଟୋବର ୩ରେ ହିଂସାକାଣ୍ଡ ଘଟିଥିଲା। ବର୍ତ୍ତମାନ ଏହି ଉଚ୍ଛେଦ ଯୋଗୁଁ କେବଳ ପୁରୀରେ ନୁହେଁ ବରଂ ସାରା ଓଡ଼ିଶାରେ ବଡ଼ଧରଣର ହିଂସା ହୋଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ। ତେଣୁ ସୁପ୍ରିମକୋର୍ଟ ଏହି ଉଚ୍ଛେଦ ଉପରେ ରହିତାଦେଶ ଜାରି କରନ୍ତୁ ବୋଲି ସେ ଯୁକ୍ତି କରିଥିଲେ। ଦେବାଶିଷ ମିଶ୍ରଙ୍କ ଅଭିଯୋଗର ଉତ୍ତର ରଖି ରାଜ୍ୟ ସରକାରଙ୍କ ଆଡଭୋକେଟ ଅଶୋକ କୁମାର ପରିଜା କହିଥିଲେ, ବର୍ତ୍ତମାନ ଯେଉଁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ତାହା ଆଇନ ଅନୁସାରେ କାର୍ଯ୍ୟକାରୀ କରାଯାଉଛି। ଅବସରପ୍ରାପ୍ତ ବିଚାରପତି ବି ପି ଦାସ କମିସନଙ୍କ ରିପୋର୍ଟ ଆଧାରରେ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଉଛି। ସୁରକ୍ଷା କାରଣ ଓ ଅନ୍ୟାନ୍ୟ କାରଣକୁ ନେଇ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ କାର୍ଯ୍ୟ ଉଚ୍ଛେଦ ପାଇଁ ସୁପାରିସ କରାଯାଇଥିଲା ବୋଲି ସେ କହିଥିଲେ। କୌଣସି ଘରୋଇ ସମ୍ପତ୍ତି ତଥା ଗଜପତି ମହାରାଜାଙ୍କ ରାଜନଅରକୁ ହାତ ଲଗାଯାଇନାହିଁ। କେହି ଉଚ୍ଛେଦକୁ ବିରୋଧ କରିନାହାନ୍ତି। ଅପରପକ୍ଷେ ଉଚ୍ଛେଦକୁ ବିରୋଧ କରି ଦିଲ୍ଲୀ ଓ ଚେନ୍ନାଇରୁ କାହିଁକି ପିଟିସନ ଦାଖଲ କରାଯାଇଛି ବୋଲି ସେ ପ୍ରଶ୍ନ କରିଥିଲେ।

ଆଡଭୋକେଟ୍ ଜେନେରାଲ ପୁଣି କହିଥିଲେ, ଯଦି ଜମି ଅଧିଗ୍ରହଣର ପ୍ରଶ୍ନ ଉଠେ ତାହାହେଲେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ଯେତେବେଳେ ଯେଉଁ ନିଷ୍ପତ୍ତି ନିଆଯାଉଛି ତାହା ବିଚାର ଆଲୋଚନା ଜରିଆରେ ନିଆଯାଉଛି। ସରକାରଙ୍କ ଥଇଥାନ ନୀତି ଭାରତବର୍ଷର ଅନ୍ୟ ସମସ୍ତଙ୍କ ଠାରୁ ଅନନ୍ୟ େବାଲି ସେ କହିଥିଲେ। ଆଡଭୋକେଟ୍ ଜେନେରାଲଙ୍କ ଯୁକ୍ତିକୁ ଖଣ୍ଡପୀଠ ସଜ୍ଞାନରେ ନେଇଥିଲେ। ଖଣ୍ଡପୀଠ କହିଥିଲେ, ଯେତେବେଳେ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ଏବଂ ଆଡଭୋକେଟ୍ ଜେନେରାଲ ଆଇନ ଅନୁସାରେ ନିଷ୍ପତ୍ତି କାର୍ଯ୍ୟକାରୀ େହଉଛି େବାଲି ବୟାନ ଦେଇଛନ୍ତି, ଏତିକି ହିଁ ପର୍ଯ୍ୟାପ୍ତ। ଶୁଣାଣି ବେଳେ ଶ୍ରୀମନ୍ଦିର ସଂସ୍କାର ମାମଲାରେ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ କ୍ୟୁରି ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ସଂସ୍କାର ମାମଲାରେ ସେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିସାରିଥିବାର ମଧ୍ୟ ସୂଚନା ଖଣ୍ଡପୀଠଙ୍କୁ ଦେଇଥିଲେ। ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ ଅଫ୍ ଲୟର୍ସର ପିଟିସନ ତାଙ୍କୁ ଦିଆଯାଇ ନାହିଁ େବାଲି ରଣଜିତ କୁମାର ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଶ୍ରୀମନ୍ଦିରର ଉନ୍ନତୀକରଣ ହେବାକୁ ନେଇ ରଣଜିତ କୁମାର ମତ ଦେଇଥିଲେ। କୋର୍ଟରେ ଉପସ୍ଥିତ ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲ ଆମିକସ କ୍ୟୁରିଙ୍କୁ ପୁଣି ଥରେ ଶ୍ରୀମନ୍ଦିର ପରିଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ଖଣ୍ଡପୀଠ ଆମିକସ କ୍ୟୁରିଙ୍କ ସହିତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ମଧ୍ୟ ଶ୍ରୀମନ୍ଦିର ପରିଦର୍ଶନ କରିବା ପାଇଁ କହିଥିଲେ। ଉଭୟ ସହମତି ପ୍ରକାଶ କରିଥିଲେ। ସେପ୍ଟେମ୍ବର ୯-୧୦ ତାରିଖରେ ଦୁହେଁ ଶ୍ରୀମନ୍ଦିର ପରିଦର୍ଶନ କରି ଆଗକୁ ଶ୍ରୀମନ୍ଦିରର ଉନ୍ନତୀକରଣ ପାଇଁ ଆବଶ୍ୟକ ପରାମର୍ଶ ଖଣ୍ଡପୀଠଙ୍କୁ ଦେବେ।

ଆଜିର ଶୁଣାଣି ସମୟରେ ଖଣ୍ଡପୀଠ ଇଣ୍ଟିକ କଲେକ୍ଟିଭ୍ ସଂସ୍ଥାର ଜି ଅରବିନ୍ଦଲୋଚନଙ୍କ ଦ୍ବାରା ଉଚ୍ଛେଦକୁ ବିରୋଧ କରାଯାଇ ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ଖାରଜ କରିଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଐତିହ୍ୟ ପୃଷ୍ଠଭୂମି ଥିବା ନିର୍ମାଣ ଗୁଡ଼ିକୁ ଉଚ୍ଛେଦ କରାଯିବା ପରିବର୍ତ୍ତେ ଏହାର ସୁରକ୍ଷା ଓ ସଂରକ୍ଷଣ ପାଇଁ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା। ଏଥିରେ ହସ୍ତକ୍ଷେପ କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ ହେବ ବୋଲି ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର