ରଥ ଅଡ଼ୁଆ ବଢ଼ୁଛି : ସୁପ୍ରିମକୋର୍ଟରେ ମାମଲା, ସୋମବାର ହୋଇପାରେ ଶୁଣାଣି

ମେସିନ୍ କିମ୍ବା ହାତୀ ଲଗାଇ ଟାଣିପାର: ହାଇକୋର୍ଟ

ଭୁବନେଶ୍ବର : ରଥଯାତ୍ରା ବନ୍ଦ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟ ଯାଇଛି। ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢ଼ୀ ଆଇନଜୀବୀ ରଞ୍ଜିତା ରୋହତଗୀଙ୍କ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି। ଆଜି ଏହି ଆବେଦନ(ରିଟ୍ ପିଟିସନ୍ ନଂ-୦୦୦୫୭୧/୨୦୨୦) ସୁପ୍ରିମକୋର୍ଟରେ ଗ୍ରହଣ ହୋଇଥିବା ବେଳେ ଏହା ଶୁଣାଣି ପାଇଁ ରହିଛି। ଏହି ଆବେଦନରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ପୁରୀ ଜିଲ୍ଲାପାଳ ଓ ମନ୍ଦିର ପରିଚାଳନା କମିଟିକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ସୁଶାନ୍ତ ପାଢ଼ୀଙ୍କ ସୂଚନା ଅନୁସାରେ, ରଥଯାତ୍ରା ବନ୍ଦ କରିବା ପାଇଁ ସେ ପ୍ରଥମେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ରାୟରେ କହିଥିଲେ ଯେ ରଥଯାତ୍ରା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। କିନ୍ତୁ ରାଜ୍ୟ ସରକାର ଏଯାଏ କିଛି ସ୍ପଷ୍ଟ କରିନାହାନ୍ତି। କେବଳ ସେବାୟତରେ ରଥଯାତ୍ରା ହେବା ସମ୍ଭବପର ହେବ ନାହିଁ। ସାମାଜିକ ଦୂରତ୍ବ କିପରି ରକ୍ଷା କରାଯାଇ ପାରିବ ବୋଲି ସେ ନେଇ ସଂଶୟ ପ୍ରକାଶ କରି ଆବେଦନ କରିଥିବା ସୁଶାନ୍ତ ପାଢ଼ୀ କହିଛନ୍ତି। ଫଳରେ ରଥଯାତ୍ରା ହେବ କି ନାହିଁ, ତାହା ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ଉପରେ ନିର୍ଭର କରୁଛି। ଯଦିଓ କେନ୍ଦ୍ର ସରକାର ଓ ହାଇକୋର୍ଟ ପୂର୍ବରୁ ରଥଯାତ୍ରା ପ୍ରସଙ୍ଗରେ ସରକାରଙ୍କୁ ନିଷ୍ପତ୍ତି ନେବା କଥା କହିଛନ୍ତି, ରଥ ନିର୍ମାଣ ଓ ଆନୁଷଙ୍ଗିକ କାର୍ଯ୍ୟ ସହିତ ଆଉ କୌଣସି ପଦକ୍ଷେପ ସରକାର ନେଇନାହାନ୍ତି। ଏପରିକି ପୁରୀରେ ନା ବଡ଼ଦାଣ୍ଡରୁ ଦୋକାନ ଉଠିଛି ନା ପୁଲିସ ନିୟୋଜନ ସଂକ୍ରାନ୍ତ ନିର୍ଦେଶନାମା ଜାରି ହୋଇଛି। ଏଭଳି ପରିସ୍ଥିତିରେ ଏହି ମାମଲା ଅନେକ ଗୁରୁତ୍ବ ଓ ସଙ୍କେତ ଦେଉଛି।

Image Source: Zee News

ମେସିନ୍ କିମ୍ବା ହାତୀ ଲଗାଇ ଟାଣିପାର: ହାଇକୋର୍ଟ
କଟକ : ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ ସଂପର୍କିତ ନିଷ୍ପତ୍ତି ନେବା ବେଳେ ରାଜ୍ୟ ସରକାର ରଥ ଟଣା ବ୍ୟବସ୍ଥାକୁ ବି ଗୁରୁତ୍ବ ଦେବେ। ବହୁ ସଂଖ୍ୟକ ବ୍ୟକ୍ତିଙ୍କୁ ରଥଟଣାରେ ନିୟୋଜନ କରିବା ବଦଳରେ ଏଥିରେ ମେସିନ୍ କିମ୍ବା ହାତୀ ନିୟୋଜନ ଭଳି ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ସଂପର୍କରେ ସରକାର ବିଚାର କରନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ଆୟୋଜନ ସଂକ୍ରାନ୍ତରେ ସରକାର ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ। ସରକାରଙ୍କ କୋଭିଡ-୧୯ ନିୟମାବଳୀ ପାଳନ କରିବେ ଏବଂ ରଥଟଣା ପ୍ରସଂଗକୁ ମଧ୍ୟ ଧ୍ୟାନ ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରଥଯାତ୍ରା ସଂପର୍କିତ ଆବେଦନର ଶୁଣାଣି କରି ଏପରି ନିର୍ଦେଶ ଦେଇଛନ୍ତି।

ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ମେସିନ ଦ୍ବାରା ରଥ ଟାଣିବା କାର୍ଯ୍ୟ ସଂପାଦନ ଲାଗି ନିର୍ଦ୍ଦେଶ ପ୍ରାର୍ଥନା କରି ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ଯୁଗ୍ମସଂପାଦକ ଦିଲ୍ଲୀପ କୁମାର ରାୟ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ସାମାଜିକ ଦୂରତ୍ବ ରକ୍ଷା ଉପରେ ଗୁରୁତ୍ବାରୋପ କରାଯାଉଥିବା ବେଳେ ରଥ ଟାଣିବା ପାଇଁ ପୁଲିସ କିମ୍ବା ଅନ୍ୟ ବ୍ୟକ୍ତିବିଶେଷଙ୍କୁ ନିୟୋଜିତ କରାଯିବା ଉଚିତ ନୁହେଁ ବୋଲି ସେ ପକ୍ଷ ରଖିଥିଲେ। ଅଧିକ ଲୋକଙ୍କୁ ରଥ ଉପରେ ଚଢିବା ପାଇଁ ଅନୁମତି ନ ଦେବା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଉ ବୋଲି ମଧ୍ୟ ସେ ଦର୍ଶାଇଥିଲେ। ରଥଯାତ୍ରା ସ୍ଥଗିତ ରଖିବାକୁ ପ୍ରାର୍ଥନା କରି ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମଧ୍ୟ ହାଇକୋର୍ଟରେ ଆଉ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଉଭୟ ମାମଲା‌ର ହାଇକୋର୍ଟରେ ଏକତ୍ର ଶୁଣାଣି ହୋଇଥିଲା। ରାଜ୍ୟ ସରକାର କରୋନାକୁ ନେଇ ଦେଖା ଦେଇଥିବା ସ୍ଥିତିକୁ ତଦାରଖ କରୁଥିବା ବେଳେ ରାଜ୍ୟର ନିରାପତ୍ତା, ସୁରକ୍ଷା ଓ ମଙ୍ଗଳକକୁ ଦୃଷ୍ଟିରେ ରଖି ଉପଯୁକ୍ତ ସମୟରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ଆଇନଜୀବୀ ସରୋଜ କୁମାର ପାଢୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ ଅଶୋକ କୁମାର ପରିଜା, କେନ୍ଦ୍ର ସରକାରଙ୍କ ପକ୍ଷରୁ ଚନ୍ଦ୍ରକାନ୍ତ ପ୍ରଧାନ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ସୁବ୍ରତ କୁମାର ଶତପଥୀ, ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ବିଜୟ କୁମାର ରଗଡ଼, ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର