ୟେସ୍ ବ୍ୟାଙ୍କରେ ପୁରୀ ଅର୍ବାନ ବ୍ୟାଙ୍କ ଟଙ୍କା

ରାଜ୍ୟର ୧୧ ସମବାୟ ବ୍ୟାଙ୍କ ୟେସ୍ ବ୍ୟାଙ୍କ ସହ ଅନୁବନ୍ଧିତ!

ପୁରୀ : ୟେସ୍ ବ୍ୟାଙ୍କରେ କେବଳ ମହାପ୍ରଭୁଙ୍କ ଟଙ୍କା ନାହିଁ, ପୁରୀର ଅର୍ବାନ କୋ- ଅପ‌ରେଟିଭ୍ ବ୍ୟାଙ୍କର ଟଙ୍କା ମଧ୍ୟ ୟେସ୍ ବ୍ୟାଙ୍କରେ ରଖାଯାଇଛି। ଏଥିସହିତ ରାଜ୍ୟର ୧୧ଟି ସମବା‌ୟ ବ୍ୟାଙ୍କ ୟେସ୍‌ବ୍ୟାଙ୍କ ସହିତ ଅନୁବନ୍ଧିତ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପୁରୀର ଅର୍ବାନ କୋ- ଅପ‌ରେଟିଭ୍ ବ୍ୟାଙ୍କର ପାଖାପାଖି ୧୧ କୋଟି ଟଙ୍କା ଏହି ବ୍ୟାଙ୍କରେ ଜମା ରହିଛି। ତେବେ ୟେସ୍‌ ବ୍ୟାଙ୍କର ଟଙ୍କା ଉଠାଣ ଉପରେ ରିଜର୍ଭ ବ୍ୟାଙ୍କ୍ କଟକଣା ଲଗାଇବା ପରେ ଏବେ ଅର୍ବାନ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଗ୍ରାହକଙ୍କୁ ମଧ୍ୟ ହିନସ୍ତା ହେବାକୁ ପଡିଛି। ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଣକୁ ନେଇ କଟକଣା ଲାଗିବା ପରେ ଏହାକୁ ନେଇ ଅଭାବନୀୟ ସ୍ଥିତି ଉପୁଜିଛି। ଗ୍ରାହକମାନେ ନେଟବ୍ୟାଙ୍କିଂ ଓ ଏନଇଏଫ୍‌ଟି ମଧ୍ୟ କରିପାରୁନାହାନ୍ତି। ତେବେ ଅର୍ବାନ ବ୍ୟାଙ୍କ ୟେସ୍ ବ୍ୟାଙ୍କ ସହିତ ଅନୁବନ୍ଧିତ ଥିବାରୁ ଏଭଳି ସ୍ଥିତି ଉପୁଜିଛି।

ଆହୁରି ମଧ୍ୟ ଜଣାପଡ଼ିଛି ଯେ, ରାଜ୍ୟର ୧୧ଟି ସମବାୟ ବ୍ୟାଙ୍କ ୟେସ୍ ବ୍ୟାଙ୍କ ସହ ଅନୁବନ୍ଧିତ। ଏବେ ୟେସ୍ ବ୍ୟାଙ୍କର ସ୍ଥିତିକୁ ନେଇ ସମବାୟ ବ୍ୟାଙ୍କରେ ଟଙ୍କା ରଖିଥିବା ଗ୍ରାହକମାନେ ମଧ୍ୟ ସମସ୍ୟା ଭୋଗିବେ। ପୁରୀର ଅର୍ବାନ ବ୍ୟାଙ୍କ୍ ସଭାପତି ଗୁଣଧର ଦାଶମହାପାତ୍ରଙ୍କୁ ପଚାରିବାରେ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ଥିବା କହିଛନ୍ତି। ଅବଶ୍ୟ ୟେସ୍ ବ୍ୟାଙ୍କ ସମସ୍ୟା ଯୋଗୁଁ ଏନ୍‌ଇଏଫ୍‌ଟି ଓ ନେଟ ବ୍ୟାଙ୍କିଂରେ ସମସ୍ୟା ଭୋଗ କରିବେ। ବୋର୍ଡ ନ ଥିବାରୁ ଏଭଳି ସମସ୍ୟା କିଛି ଦିନ ଲାଗି ରହିବ ବୋଲି କହିଛନ୍ତି। ରାଜ୍ୟର ୧୧ଟି କୋ-ଅପରେଟିଭ ବ୍ୟାଙ୍କ ଏଭଳି ସ୍ଥିତିରେ ରହିଛି। ପୁରୀ ଅର୍ବାନ ବ୍ୟାଙ୍କର ଟଙ୍କା ଏବେ ନୁହେଁ ଗତ ୨୦୧୨ରୁ ରାଜ୍ୟ ସରକାରଙ୍କ ସ୍ବୀକୃତି କ୍ରମେ ୟେସ୍ ବ୍ୟାଙ୍କ ସହିତ କାରବାର କରୁଛି। ରିଜର୍ଭ ବ୍ୟାଙ୍କର ନିୟମ ମୁତାବକ ସବୁ କରାଯାଇଥିବା ସେ କହିଛନ୍ତି। ତେବେ ୟେସ୍ ବ୍ୟାଙ୍କକୁ ସରକାରଙ୍କ ଅତୁଟ ଭରସାକୁ ନେଇ ସନ୍ଦେହ ଉପୁଜିଛି।
ଏଠାରେ ପ୍ରଶ୍ନ ଉଠିଛି ଏକ ବ୍ୟାଙ୍କର ଟଙ୍କା ଆଉ ଏକ ବ୍ୟାଙ୍କ‌େର ରଖାଯାଇଛି କାହିଁକି? ଏ କଥା ଗ୍ରାହକ ଜାଣିଛନ୍ତି କି ସେମାନଙ୍କ ଟଙ୍କା ଅନ୍ୟ ବ୍ୟାଙ୍କର ସ୍ଥିତି ଉପ‌ରେ ନିର୍ଭର କରୁଛି?

ଅନ୍ୟପକ୍ଷରେ, ପୁରୀ ଅର୍ବାନ ବ୍ୟାଙ୍କରେ ଟଙ୍କା ରଖିଥିବା ଗ୍ରାହକ ଏବେ ୟେସ୍ ବ୍ୟାଙ୍କରେ ସଙ୍କଟ ଉପୁଜିବା‌ ପରେ କାହିଁକି ହିନସ୍ତା ଭୋଗିବେ ସେ ନେଇ ଆପତ୍ତି ଉଠାଇଛନ୍ତି। ତୁରନ୍ତ ଇ ବ୍ୟାକିଂ ପାଇଁ ସରକାର ଅନ୍ୟ ବ୍ୟାଙ୍କ ସହିତ ଅନୁବନ୍ଧିତ କରାଇବାକୁ ଦାବି ହୋଇଛି। ଏବେ ସମବାୟ ବ୍ୟାଙ୍କ ଟଙ୍କା ସୁରକ୍ଷିତ ନୁହେଁ ବୋଲି ମଧ୍ୟ ସନ୍ଦେହ ଉପୁଜିଛି।

ସମ୍ବନ୍ଧିତ ଖବର