ନିୟମକୁ ଆଖି ବୁଜି ଠିକାଦାରଙ୍କୁ କାମ, ୨ ବର୍ଷରେ ୪.୧୧ କୋଟିର କାମ ହୋଇଗଲା ୧୦.୧୭ କୋଟି

ରାଜନଗର : ଦୁଇ ବର୍ଷ ତଳେ ଯୋଜନା ହୋଇଥିବା ୪ କୋଟି ୧୧ ଲକ୍ଷ ଟଙ୍କାର ପ୍ରକଳ୍ପର ବ୍ୟୟ ଅଟକଳ ଏବେ ପହଞ୍ଚିଲାଣି ୧୦ କୋଟିରୁ ଅଧିକ ଟଙ୍କାରେ। କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଏକ ଆଦର୍ଶ ବିଦ୍ୟାଳୟ ନିର୍ମାଣକୁ ଏବେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ କାର୍ଯ୍ୟର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠୁଛି।

ସୂଚନା ଅନୁଯାୟୀ ୨୦୧୯–୨୦ରେ ରାଜନଗର ବ୍ଲକର ବାଘତୈଳାଠାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଠିକାଦାରଙ୍କ ସହ ଚୁକ୍ତି କରାଯାଇଥିଲା। ୧୧ ମାସ ମଧ୍ୟରେ କାମ ସରିବା କଥା। କିନ୍ତୁ ୨ବର୍ଷ ପରେ ବି କାମ ଆରମ୍ଭ ହୋଇପାରି ନଥିବା ବେଳେ ୪ କୋଟି ୧୧ ଲକ୍ଷ ୪୦ ହଜାର ୨୩୯ ଟଙ୍କାର କାମ ୧୦ କୋଟି ୧୬ ଲକ୍ଷ ୮୩ ହଜାର ୫୯୭ ଟଙ୍କାରେ ପହଁଚିଲାଣି। ନିୟମ କହୁଛି ୬ କୋଟି ଟଙ୍କା ମଧ୍ୟରେ କାମ ହେଲେ ତାହାକୁ ଏ କ୍ଲାସ ଠିକାଦାର କରିପାରିବେ। ୧୦ କୋଟିରୁ ଅଧିକ ଟଙ୍କାର କାମ ସ୍ପେସାଲ୍‌ ବା ସୁପର୍‌ କ୍ଲାସ ଠିକାଦାର କରିପାରିବେ। କିନ୍ତୁ ବ୍ୟୟ ଅଟକଳ ବଢି ଥିଲେ ବି ସେହି ଏ କ୍ଲାସ ଠିକାଦାରଙ୍କ ହାତରେ କାମ ରହିଛି। ଏପଟେ କାମ ଆରମ୍ଭ ନ ହୋଇ ବି ଏଷ୍ଟିମେଟ କିଭଳି ଅଢେଇ ଗୁଣା ବଢିଗଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଅଶୋକ କୁମାର ରାଉତଙ୍କ ସୂଚନା ମୁତାବକ ମୂଳ ଅଟକଳରେ ୩୭୫ ଏମଏମ ମୋଟେଇର ପାଇଲିଂରେ ବିଲ୍ଡିଂ ନିର୍ମାଣ ପାଇଁ ବ୍ୟବସ୍ଥା ଥିଲା। କିନ୍ତୁ ଏବେ ଡିଜାଇନ ବଦଳା ଯାଇ ୬୦୦ ଏମଏମ ମୋଟେଇର ପାଇଲିଂ ନିଷ୍ପତ୍ତି ହୋଇଛି। କିନ୍ତୁ ପାଇଲିଂ ୩୭୫ ଏମଏମ ବଦଳରେ ୬୦୦ ଏମଏମକୁ ବୃଦ୍ଧି ପାଇଲେ କଣ ଏଷ୍ଟିମେଟ ଅଢେଇ ଗୁଣା ବଢିଯିବ କି ବୋଲି ପ୍ରଶ୍ନ ଉଠିଛି। ଏଭଳି ନିଷ୍ପତ୍ତିର ପୁନଃ ଯାଞ୍ଚ ପାଇଁ ଏବେ ଦାବି ହେଉଛି।

ସମ୍ବନ୍ଧିତ ଖବର