ଭିସୁଟ୍ରେ ରୢାଗିଂ : ଭିଡିଓ ଭାଇରାଲ ପରେ ଉତ୍ତେଜନା, ଶୃଙ୍ଖଳା କମିଟି ନେଲା କାର୍ଯ୍ୟାନୁଷ୍ଠାନ, ୧୦ ଛାତ୍ରଙ୍କୁ ବର୍ଷେ ପାଇଁ ପରୀକ୍ଷା ମନା, ୫୨ ଜଣଙ୍କୁ ଜରିମାନା
ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ର କ୍ରତୁ ଛାତ୍ରାବାସରେ ଜୁନିଅର୍ ଛାତ୍ରଙ୍କୁ ରୢାଗିଂ କରାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଏ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ନିଜେ କୁଳପତି ପ୍ରଫେସର ଅଟଳ ଚୌଧୁରୀ, କୁଳସଚିବ ଉପମା କାଲୋ ଓ ବିଶ୍ବବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ଛାତ୍ରାବାସକୁ ଯାଇ ଘଟଣାର ତଦନ୍ତ କରିଛନ୍ତି ଏବଂ ରୢାଗିଂ କରିଥିବା ୧୦ ଜଣ ଛାତ୍ରଙ୍କୁ ୱାର୍ଡେନ୍ ଚିହ୍ନଟ କରିଛନ୍ତି। ତଦନ୍ତ ପରେ କୁଳପତିଙ୍କ ଅଧ୍ୟକ୍ଷତାରେ ବିଶ୍ବବିଦ୍ୟାଳୟରେ ଆଣ୍ଟିଂ ରୢାଗିଂ କମିଟି ଓ ଶୃଙ୍ଖଳା କମିଟିର ଜରୁରୀ ବୈଠକ ବସି ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୦ ଜଣ ଛାତ୍ରଙ୍କୁ ଗୋଟିଏ ବର୍ଷ ପରୀକ୍ଷା ଦେବାରୁ ବାସନ୍ଦ କରାଯାଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୫୨ ଜଣଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ସେପଟେ, ଏହି ଘଟଣା ପରେ ବିଶ୍ବବିଦ୍ୟାଳୟ ପରିସର ଅଶାନ୍ତ ଥିବାରୁ ପୁଲିସ ମୁତୟନ କରାଯାଇଛି। ଏହି ଘଟଣାକୁ ଗୁରୁତ୍ବର ସହ ନିଆଯାଇଥିବା କୁଳପତି ପ୍ରଫେସର ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭାଇରାଲ ହୋଇଥିବା ୫ଟି ଭିଡିଓ ଗତ ରବିବାର ଛାତ୍ରାବାସକୁ ଆସିଥିବା ଦ୍ବିତୀୟ ବର୍ଷ ଛାତ୍ରଙ୍କର ସ୍ବାଗତ ସମୟର ବୋଲି ଜଣାପଡ଼ିଛି। ଏହି ଭିଡିଓ ମଧ୍ୟରୁ ୧୩ ସେକେଣ୍ଡର ଏକ ଭିଡିଓରେ ପ୍ରଥମ ବର୍ଷର ଛାତ୍ରଙ୍କୁ ଅର୍ଧ ନଗ୍ନ କରି ନୃତ୍ୟ କରିବାକୁ କୁହାଯାଉଥିବା ବେଳେ ୪୨ ସେକେଣ୍ଡର ଭିଡିଓରେ କିଛି ତୃତୀୟ ବର୍ଷର ଛାତ୍ର ଜୁନିଅର ଛାତ୍ରଙ୍କ ପ୍ୟାଣ୍ଟ ଓ ସାର୍ଟ ଚିରୁଥିବାରୁ ଦୃଶ୍ୟ ରହିଛି। ତେବେ ଏହି ୫ଟି ଭିଡିଓ ମଧ୍ୟରୁ ଭାଇରାଲ ହୋଇଥିବା ୬ ସେକେଣ୍ଡର ଭିଡିଓରେ ସାଂଘାତିକ ଦୃଶ୍ୟ ଦେଖିବାକୁ ମିଳିଛି। ସେଥିରେ ଛାତ୍ରଙ୍କୁ କାନ ଧରି ନୃତ୍ୟ କରିବାକୁ କୁହାଯାଉଛି ଓ କିଛି ସିନିୟର ଛାତ୍ର ସେଠାରେ ଉପସ୍ଥିତ ରହି ଏଥିପାଇଁ ନିର୍ଦେଶ ଦେଉଥିବା ଦେଖିବାକୁ ମିଳିଛି। ୩୧ ସେକେଣ୍ଡର ଅନ୍ୟ ଏକ ଭିଡିଓରେ ଦ୍ବିତୀୟ ମହଲାରୁ ପ୍ରଥମ ମହଲାକୁ ଆସୁଥିବା ଛାତ୍ରଙ୍କୁ ମାଡ଼ ମରାଯାଉଥିବାର ଦୃଶ୍ୟ ମଧ୍ୟ ରହିଛି। ଅନ୍ୟ ଏକ ୨୮ ସେକେଣ୍ଡର ଭିଡିଓରେ ଭିସୁଟ ଟେଡ୍-ଏକ୍ସର ଜଣେ ଛାତ୍ର କିଛି ଛାତ୍ରଙ୍କ ସାର୍ଟ ଚିରୁଥିବାର ମଧ୍ୟ ଦେଖିବାକୁ ମିଳିଛି।
ଗୋଟିଏ ପଟେ ଛାତ୍ର ଓ ଶିକ୍ଷକଙ୍କ ଆନ୍ଦୋଳନ ନେଇ ଗୋଟିଏ ମାସ ହେଲା ଭିସୁଟ୍ ଅଶାନ୍ତ ଥିବା ବେଳେ ଏବେ ପୁଣି ରୢାଗିଂ ଭିଡିଓ ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ତେବେ ଘଟଣା ପ୍ରସାରିତ ହେବା କ୍ଷଣି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ଛାତ୍ରାବାସକୁ ଯାଇ ତଦନ୍ତ କରିଥିଲେ। ଭିଡିଓର ସତ୍ୟତା ଜଣାପଡ଼ିବା ପରେ ୱାର୍ଡେନ୍ ଓ ଅନ୍ୟ ଛାତ୍ରଙ୍କୁ ଡକାଇ ପଚରାଉଚରା ମଧ୍ୟ କରାଯାଇଥିଲା। ମଜା ପାଇଁ ସେମାନେ ଏଭଳି କରିଥିବା ସିନିଅର୍ ଛାତ୍ରମାନେ ସଫେଇ ଦେଇଥିଲେ ବି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ସହଜରେ ଗ୍ରହଣ କରିନଥିଲେ। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଛାତ୍ର ଚିହ୍ନଟ ହେବା ପରେ ଶୃଙ୍ଖଳା କମିଟି ବୈଠକ ବସି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି।
ଆସିବାରେ ଲାଗିଛି ଅଭିଭାବକଙ୍କ ଅଭିଯୋଗ
ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ଗୁରୁବାର ଦ୍ବିତୀୟ ବର୍ଷର ଛାତ୍ର ରୢାଗିଂର ଶିକାର ହେଉଥିବା ଜଣାପଡ଼ିବା ପରେ ଅଭିଭାବକମାନେ ଅଭିଯୋଗ ଆଣିବା ଆରମ୍ଭ କରିଛନ୍ତି। ବିଶ୍ବବିଦ୍ୟାଳୟରେ ଜଣେ ଅଭିଭାବକ ନିଜର ନାମ ଗୋପନ ରଖି ଗଣମାଧ୍ୟମକୁ ସୂଚନା ଦେଇ ମାଡ଼ ଖାଉଥିବା ଛାତ୍ରଙ୍କ ମଧ୍ୟରେ ତାଙ୍କ ସଂପର୍କୀୟ ରହିଥିବା କହିଥିଲେ। ସେ ଏ ନେଇ ଛାତ୍ରାବାସ ୱାର୍ଡେନ୍ଙ୍କୁ ମଧ୍ୟ ସେ ଅଭିଯୋଗ କରିଥିବା ଜଣାଇଛନ୍ତି। ସେପଟେ, ଆଉ ଜଣେ ନୂତନ ବର୍ଷ ଛାତ୍ରଙ୍କୁ ବି ଛାତ୍ରାବାସରେ ଉଲଗ୍ନ କରି ଅକଥନୀୟ ଅତ୍ୟାଚାର କରାଯାଇଥିବା ତାଙ୍କ ଅଭିଭାବକ ସୂଚନା ଦେଇଛନ୍ତି।