ପୂର୍ବତଟ ରେଳପଥରେ ଟେଣ୍ଡର ଫିକ୍ସିଂ : ସିବିଆଇ ଜାଲରେ ରେଳବାଇ ଠିକାଦାର, ୭ ଅଧିକାରୀ; ମିଳିମିଶି ହଡ଼ପ କରିଛନ୍ତି ୫.୯ କୋଟି

ହାଲ୍ ପୂର୍ବତନ ମ୍ୟାନେଜରଙ୍କ ବିରୋଧରେ ସିବିଆଇ ମାମଲା

ଭୁବନେଶ୍ବର : ପୂର୍ବତଟ ରେଳପଥରେ ଟେଣ୍ଡର ଫିକ୍ସିଂ। ସବୁ ନିୟମକାନୁନକୁ ଜଳାଞ୍ଜଳି ଦେଇ ଠିକାଦାରଙ୍କୁ ପୂର୍ବତଟ ରେଳ ଅଧିକାରୀଙ୍କ ଅହେତୁକ ଅନୁକମ୍ପା। ପାଖାପାଖି ୬ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ପୂର୍ବତଟ ରେଳପଥକୁ। ଟେଣ୍ଡର ଫିକ୍ସିଂ ଅଭିଯୋଗ ପରେ ସମ୍ପୃକ୍ତ ରେଳବାଇ ଠିକାଦାର କଟକର ଠାକୁର ଏଣ୍ଟରପ୍ରାଇଜେସ୍ ମାଲିକ ରାଜୀବ ଠାକୁର ଓ ୭ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ଭୁବନେଶ୍ବର ସିବିଆଇରେ ଏହି ମାମଲା ରୁଜୁ ହୋଇଛି। ଅଧିକାରୀମାନେ ହେଲେ ତତ୍କାଳୀନ ସମ୍ବଲପୁର ଉପମୁଖ୍ୟ ସିଗନାଲ୍ ଟେଲିକମ୍ୟୁନିକେସନ ଇଞ୍ଜିନିୟର ତଥା ଭୁବନେଶ୍ବର ପ୍ରୋଜେକ୍ଟ-୧ରେ କାର୍ଯ୍ୟରତ ପର୍ଶୁନାଥ ମାସନ୍ତ, କନଷ୍ଟ୍ରକସନ୍ ବିଭାଗର ତତ୍କାଳୀନ ଭୁବନେଶ୍ବରରେ କାର୍ଯ୍ୟରତ ତଥା ଏବେ ସମ୍ବଲପୁରରେ କାର୍ଯ୍ୟରତ ଅଧିକାରୀ ଏମ୍. ଭି ନରସିଂହମ୍, ଭୁବନେଶ୍ବରରେ କାର୍ଯ୍ୟରତ କମ୍ୟୁନିକେସନ ଇଞ୍ଜିନିୟର ସି. ଆର୍‌. ଦାସ, ଅନୁଗୁଳ ଓ କେରଜଙ୍ଗ ରେଳ ଷ୍ଟେସନରେ କାର୍ଯ୍ୟରତ ବିଦ୍ୟୁତ୍‌ ସିଗନାଲ୍ ମେଣ୍ଟେନର ନୀଳମଣି ମାଝୀ, ଅନୁଗୁଳରେ କାର୍ଯ୍ୟରତ ବରିଷ୍ଠ ସେକ୍ସନ ଇଞ୍ଜିନିୟର ଜେ. ସୁମୂର୍ତ୍ତି, ସମ୍ବଲପୁର ଡିଭିଜନର ଅବସରପ୍ରାପ୍ତ ସହକାରୀ ସିଗନାଲ୍ ଟେଲିକମ୍ ଇଞ୍ଜିନିୟର ସୁବାସ ଚନ୍ଦ୍ର ଦାସ, ସମ୍ବଲପୁର ଡିଭିଜନର ଉପମୁଖ୍ୟ ସିଗନାଲ୍ ଟେଲିକମ୍ୟୁନିକେସନ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟର ଷ୍ଟେନୋଗ୍ରାଫରଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ। ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା କରି ଏମାନେ ପୂର୍ବତଟ ରେଳପଥକୁ କ୍ଷତି ପହଞ୍ଚାଇଥିବା ସିବିଆଇ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଠିକାଦାର ରାଜୀବ ଠାକୁରଙ୍କଠାରୁ ଅଧିକାରୀମାନେ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ, ନଗଦ ଟଙ୍କା ନେଇଥିବା ସିବିଆଇ ହାତରେ ପ୍ରମାଣ ଲାଗିଛି। ଏ ନେଇ ସିବିଆଇ ଟିମ୍ ଆଜି ଭୁବନେଶ୍ବର ପୂର୍ବତଟ ରେଳପଥ ଅଫିସ ସମେତ ସମ୍ବଲପୁର ଡିଭିଜନ୍ ଅଫିସ, ଠିକାଦାରଙ୍କ କଟକସ୍ଥିତ ଅଫିସ, ଘର ବିଭିନ୍ନ ଜାଗାରେ ଖୋଳତାଡ଼ କରିଛି। ଏହି ମାମଲାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାପଡ଼ିଛି।

ହାଲ୍ ପୂର୍ବତନ ମ୍ୟାନେଜରଙ୍କ ବିରୋଧରେ ସିବିଆଇ ମାମଲା
ଭୁବନେଶ୍ବର : ପୂର୍ବରୁ ଅପରାଧିକ ମାମଲାରେ ଛନ୍ଦି ହୋଇ ପଡ଼ିଥିବା କୋରାପୁଟ ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ ଲିମିଟେଡ୍(ହାଲ୍‌)ର ପୂର୍ବତନ ବରିଷ୍ଠ ମ୍ୟାନେଜର(ଅର୍ଥ) ଭବେନ ମୈତ୍ରଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି ସିବିଆଇ। ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭବେନ ମୈତ୍ରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତଥ୍ୟ ସଂଗ୍ରହ ହୋଇଥିଲା।

୨୦୦୯ ଜୁଲାଇ ୧ ତାରିଖଠାରୁ ୨୦୧୮ ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ଭବେନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଯାଞ୍ଚ କରା ଯାଇଥିଲା। ସବୁ ସମ୍ପତ୍ତି ଯାଞ୍ଚ ପରେ ଭବେନଙ୍କର ୩୮ ଲକ୍ଷ ୨୯ ହଜାର ୮୮୯ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମିଳିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ହାଲ୍‌ରେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହାଫଳରେ ହାଲ୍‌କୁ ୭ କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଏ ସଂକ୍ରାନ୍ତରେ ସିବିଆଇ ଭବେନ ମୈତ୍ର ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ୨୦୧୯ ଜାନୁଆରିରେ ମାମଲା ରୁଜୁ କରିଥିଲା। ଏହା ପରେ ଭବେନଙ୍କୁ ଚାକିରିରୁ ନିଲମ୍ବିତ କରା ଯାଇଥିଲା।

ସମ୍ବନ୍ଧିତ ଖବର