ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ସମାଜବାଦୀ ପାର୍ଟି

ଭୁବନେଶ୍ୱର : ସମାଜବାଦୀ ପାର୍ଟି ଓଡ଼ିଶା ଶାଖାର ଏକ ତିନିଜଣିଆ ପ୍ରତିନିଧି ଦଳ ସଭାପତି ରବି ବେହେରାଙ୍କ ନେତୃତ୍ବରେ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଓ ଯୁବନେତା ଭିକାରୀ ସେଠୀ ପ୍ରମୁଖ ଶନିବାର ଦିନ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି କହିଛନ୍ତି ଯେ, ପ୍ରଚାର ସର୍ବସ୍ୱ ରେଳ ବିଭାଗ ମନୁଷ୍ୟକୃତ ତ୍ରୁଟି ପାଇଁ ଅକାଳରେ ଏତେ ଧନଜୀବନ କ୍ଷତିଗ୍ରସ୍ତ ହେଲା। ଶହ ଶହ ଲୋକ ମୃତ୍ୟୁମୁଖରେ ପଡ଼ିଲେ। ରେଳ ବିଭାଗ ଇତିହାସରେ ଏହି ଦୁର୍ଘଟଣା ଆଉ ଏକ କଳା ଇତିହାସ ହୋଇ ରହିଗଲା। ଏ ଦେଶରେ ଲାଲବାହାଦୁର ଶାସ୍ତ୍ରୀଙ୍କ ଭଳି ମନ୍ତ୍ରୀ ନାହାନ୍ତି ଯେ ରେଳ ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେବେ।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯେ କି ପୂର୍ବରୁ ସେହି ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳ ଥିଲେ ନିଜର ଉତ୍ତରଦାୟିତ୍ବ କାନ୍ଧ ଉପରକୁ ନେଇ ତୁରନ୍ତ ଇସ୍ତଫା ଦେବାକୁ ସମାଜବାଦୀ ପାର୍ଟି ଦାବି କରୁଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନିଜର ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଗୁରୁତର ଆହତଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାନମୂଳକ ସହାୟତା ଯୋଗାଇ ଦେବା ସହିତ ଆହତମାନଙ୍କର ମାଗଣା ଚିକିତ୍ସା କରିବା, ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍.ଆଇ.ଟି. ଗଠନ କରି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି। ଯଦି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଦୁର୍ଘଟଣାରେ ଇସ୍ତଫା ନ ଦିଅନ୍ତି, ତା’ହେଲେ ପ୍ରଧାନମନ୍ତ୍ରୀ ତାଙ୍କୁ ବରଖାସ୍ତ କରିବାକୁ ଏହି ପ୍ରତିନିଧି ଦଳ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର