ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ରହିଛି ବର୍ଷା ଓ ଘୂର୍ଣ୍ଣିଝଡ଼ର ଆଶଙ୍କା; ୨୨ ଜିଲ୍ଲା ପାଇଁ ଜାରି ହେଲା ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ଆଜି (ଗୁରୁବାର) ସକାଳୁ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ସ୍ୱଳ୍ପ ବର୍ଷା ହୋଇଯାଇଛି। ତେବେ, ଆସନ୍ତା ୭୨ ଘଣ୍ଟା ମଧ୍ୟରେ (ଅର୍ଥାତ୍‌ ୮ ତାରିଖ ସନ୍ଧ୍ୟା ସୁଦ୍ଧା) ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ସହ ବହୁ ସ୍ଥାନରେ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଥିବା ଆଜି ଅପରାହ୍ଣରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

SkyMate Weather

ସମ୍ଭାବ୍ୟ ବର୍ଷା ଓ ଘୂର୍ଣ୍ଣିଝଡ଼କୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ (ଅର୍ଥାତ ୬ ତାରିଖ ମଧ୍ୟାହ୍ନ ସୁଦ୍ଧା) ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗୀର, ସୁନ୍ଦରଗଡ଼, କଳାହାଣ୍ଡି, ଢେଙ୍କାନାଳ, କଟକ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

SkyMate Weather

ତେବେ ୬ ତାରିଖ ଅପରାହ୍ନଠାରୁ ପାଗରେ ବଡ଼ଧରଣର ପରିବର୍ତନ ଆସିବା ସହ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଅଧିକାଂଶ ସ୍ଥାନରେ ଝଡ଼ବର୍ଷା ସହ ଘୂର୍ଣ୍ଣିଝଡ଼ ଲାଗିରହିବ। ଏହି ସମୟ ମଧ୍ୟରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ସହ ଘୂର୍ଣ୍ଣିଘଡ଼ ମଧ୍ୟ ହୋଇପାରେ। ଏହାର ପ୍ରଭାବରେ ଘରଦ୍ଵାରା ଭାଙ୍ଗିବାର ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

SkyMate Weather

ସେହିପରି ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସମ୍ବଲପୁର, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବ। ୬ ତାରିଖ ସନ୍ଧ୍ୟାରୁ ୭ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର କେନ୍ଦ୍ରୀୟ ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ। ୮ ତାରିଖରେ କାଳବୈଶାଖୀର ପ୍ରଭାବ ସାମାନ୍ୟ କମିବାକୁ ଥିଲେ ମଧ୍ୟ ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ ଓ ରାୟଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର