ମାସା ଆର୍ମୀର ପ୍ରାର୍ଥନା ଶୁଣିଲେ ମାରାଂବୁରୁ, ଶିମିଳିପାଳରେ ବର୍ଷା ହେବାରୁ ନିଆଁ ଲିଭିଲା

ବାରିପଦା: ଶିମିଳିପାଳରେ ଲାଗିଥିବା ନିଆଁ ଲିଭିବା ନେଇ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ‘ମାସା ଆର୍ମୀ’ ଗତକାଲି ଡୁକୁରା ଠାରେ ଥିବା ଦିଶମ ଜାହେରଗାଳରେ ମାରାଂବୁରୁ ଏବଂ ଜାହେର ଆୟ ଙ୍କୁ ପ୍ରାର୍ଥନା କରି ପୂଜାର୍ଚ୍ଚନା (ବଙ୍ଗା) କରାଯାଇଥିଲା। ତେବେ ଆଜି ବର୍ଷା ହେବାରୁ ମାସା ଆର୍ମୀର ଏହି ପ୍ରାର୍ଥନାକୁ ମାରାଂବୁରୁ ଶୁଣିଥିବା ସଂଗଠନର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ପ୍ରକାଶ କରିଛନ୍ତି। ସୁକୁଲାଲଙ୍କଙ୍କ ନେତୃତ୍ବରେ ଜାହେରଗାଳର ନାୟକେ ବାବା ଶ୍ୟାମସୁନ୍ଦର ହାଁସଦା ଏବଂ ସୂର୍ଯ୍ୟନନ୍ଦ ମାଝୀ ଗତକାଲି ପୂଜା କରିଥିଲେ l ମାରାଂବୁରୁ ଜାହେର ଆୟଙ୍କ ପାଖରେ ଜିଲ୍ଲା ବାସୀଙ୍କ ଆସ୍ଥା ଓ ବିଶ୍ବାସ ଅଛି। ତେଣୁ ଗତକାଲିର ପ୍ରାର୍ଥନା ପରେ ଆଜି ବର୍ଷା ହୋଇଥିବା ସୁକୁଲାଲ ପ୍ରକାଶ କରିଛନ୍ତି।

ଅପୂର୍ବ ପ୍ରାକୃତିକ ଶୋଭାରାଜିର ଗନ୍ତାଘର ଶିମିଳିପାଳର ସୁରକ୍ଷା ପାଇଁ ହାତ ବଢ଼ାଇଛି ପ୍ରକୃତି। ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ପିଠାବଟା ଉତ୍ତର ଓ ଦକ୍ଷିଣ, ଡୁକୁରା, ବାଙ୍ଗିରିପୋଷି, କରଞ୍ଜିଆ, ଠାକୁରମୁଣ୍ଡା, ପୋଡ଼ାଡ଼ିହା ଆଦି ରେଞ୍ଜ୍‌ରେ ବର୍ଷା ହୋଇଛି। କେଉଁଠି ହାଲ୍‌କା ବର୍ଷା ହୋଇଥିବାବେଳେ ପିଠାବଟା ରେଞ୍ଜ୍‌ରେ କୁଆପଥର ସହିତ ବର୍ଷା ହୋଇଛି। ସେହିପରି କପ୍ତିପଦା, ଦେଉଳୀ, ବୈଶିଙ୍ଗା ଆଦି ବନାଞ୍ଚଳରେ ମଧ୍ୟ ବର୍ଷା ରେକର୍ଡ କରାଯାଇଛି।

ଏହି ବର୍ଷା କାରଣରୁ ଶିମିଳିପାଳ ଏବଂ ବିଭିନ୍ନ ବନାଞ୍ଚଳରେ ଲାଗିଥିବା ନିଆଁ କ୍ରମଶଃ ଲିଭୁଥିବା ଦେଖିବାକୁ ମିଳିଛି। ପିଠାବଟା ରେଞ୍ଜ୍‌ରେ ଆଜି ଦିନବେଳେ ଏକ ସ୍ଥାନରେ ନିଆଁ ଜଳୁଥିବା ଦେଖାଯାଇଥିଲା। ମାତ୍ର ବର୍ଷା କାରଣରୁ ଏହା ଲିଭିଛି। ସେହିପରି ଏହି ବର୍ଷା ଆଶ୍ବସ୍ତି ଆଣିଦେଇଛି। ଏହା ଫଳରେ ଜଙ୍ଗଲ ନିଆଁ ଲିଭିବା ସହିତ ଉତ୍ତପ୍ତ ପରିବେଶ କ୍ରମଶଃ ଶୀତଳ ହୋଇଛି। ବାରିପଦା ଡିଏଫ୍‌ଓ ସନ୍ତୋଷ କୁମାର ଯୋଶୀଙ୍କ ସୂଚନା ଅନୁଯାୟୀ ଏହି ବନାଞ୍ଚଳ ଅଧିକରେ ଗତ ଡିସେମ୍ବରରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୬ଶହ ଫାୟାର୍‌ ପଏଣ୍ଟ୍‌ ଥିଲା। ମାତ୍ର ଗତକାଲି ଏହି ସଂଖ୍ୟା ୧୦କୁ ଖସିଆସିଥିଲା। ଆଜି ଏହା ପ୍ରାୟ ଶୂନ ରହିଛି। ତଥାପି ନିଆଁ ଲିଭା କାର୍ଯ୍ୟରେ ୯୦ଟି ସ୍କ୍ବାର୍ଡ, ୮ ଗାଡି ସହିତ ୪୪ଟି ବ୍ଲୋଅର୍‌ ମେସିନ୍‌ ନି‌‌ୟୋଜିତ ଅଛନ୍ତି।

ସମ୍ବନ୍ଧିତ ଖବର