୩୧ରେ ଉପକୂଳରେ କାଁ ଭାଁ ବର୍ଷା

ଭୁବନେଶ୍ୱର : ଗତକାଲି ତୁଳନାରେ ଆଜି ପାରଦ ସାମାନ୍ୟ ଉପରକୁ ଉଠିଛି। ଏହା ସତ୍ତ୍ୱେ ଅନୁଭୂତ ହେଉଛି ଥଣ୍ଡା। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ଥଣ୍ଡା ଲାଗି ରହିଛି। ଉପକୂଳବର୍ତୀ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢ଼ିଥିବା ବେଳେ ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ତଳକୁ ଖସିଛି ପାରଦ। ଆସନ୍ତା ୩୧ ତାରିଖରୁ ଦିନେ ଦୁଇଦିନ ପାଇଁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଫଳରେ ଆସନ୍ତାକାଲିଠାରୁ ପାରଦ ଧୀରେ ଧୀରେ ଉପରକୁ ଉଠିବାର ସମ୍ଭାବନା ଅଧିକ। ନୂଆବର୍ଷ ପହିଲା ବେଳକୁ ସର୍ବନିମ୍ନ ତାପମାତ୍ରା ୩° ପର୍ଯ୍ୟନ୍ତ ଉପରକୁ ଉଠିପାରେ ବୋଲି ପୂର୍ବାନୁମାନ କରାଯାଇଛି।

ପାଣିପାଗ କେନ୍ଦ୍ର ସୂଚନାନୁସାରେ ଆଜିଠାରୁ ସର୍ବନିମ୍ନ ତାପମାତ୍ରା ବଢ଼ିବା ଆରମ୍ଭ ହୋଇଛି। ମିଁଆମାର ପଟୁ ଏକ ଟ୍ରଫ୍‌ ଲାଇନ ବଙ୍ଗୋପ ସାଗର ମଧ୍ୟ ଦେଇ ଓଡ଼ିଶା ଉପରକୁ ଲମ୍ବିଛି। ଗତକାଲି ଏହା ସକ୍ରିୟ ଥିବା ବେଳେ ଆଜି ଦୁର୍ବଳ ପରିଲକ୍ଷିତ ହୋଇଛି। ଦ୍ୱିତୀୟରେ, ଆସନ୍ତାକାଲିଠାରୁ ସାମୁଦ୍ରିକ ପବନର ବେଗ ଅଧିକ ରହିବ। ଟ୍ରଫ୍‌ ଲାଇନ ଏବଂ ସାମୁଦ୍ରିକ ପବନର ସମ୍ମିଶ୍ରଣରେ ସୃଷ୍ଟି ହେଉଥିବା ଜଳୀୟବାଷ୍ପ ଥଣ୍ଡା ପବନ ସ୍ପର୍ଶରେ ଆସି ବର୍ଷା କରାଇପାରେ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ। ତେବେ ୪ ତାରିଖ ବେଳକୁ ପୁଣି ଥଣ୍ଡା ଫେରିବ ବୋଲି ପୂର୍ବାନୁମାନ କରିଛନ୍ତି ଡ. ସାହୁ।

ଆଜି ୧୨ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦° ବା ତା’ ତଳେ ରହିଛି। ସେହି ସ୍ଥାନଗୁଡ଼ିକ ହେଉଛି ଦାରିଙ୍ଗିବାଡ଼ି(୪°), ଫୁଲବାଣୀ(୪.୫°), ହୀରାକୁଦ(୭.୭°), ଭବାନୀପାଟଣା(୮°), ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼(୯°), ସମ୍ବଲପୁର(୯.୩°), ଅନୁଗୁଳ(୯.୬°), ଝାରସୁଗୁଡ଼ା(୯.୭°), କୋରାପୁଟ, ଟିଟିଲାଗଡ଼(୧୦°)। ସେହିପରି ତାଳଚେରରେ ୧୦.୫°, କେନ୍ଦୁଝରରେ ୧୦.୮°, ଭୁବନେଶ୍ୱରରେ ୧୧.୨°, କଟକରେ ୧୧.୪° ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର