ଏଥର ଦଶହରାକୁ ଧୋଇନେବ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ, ୬ରୁ ବଢ଼ିବ ବର୍ଷାର ପରିମାଣ
ଭୁବନେଶ୍ବର : ଏଥର ଦଶହରାକୁ ବର୍ଷା ଧୋଇନେବ। ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାରଠାରୁ ପାଗରେ ପରିବର୍ତନ ଆସିବ। ୬ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କୁହାଯାଇଛି ଯେ ୫ରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ। ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଗଞ୍ଜାମ, ଖୋର୍ଧା, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ପ୍ରଭାବ ଅଧିକ ରହିବ। ୬ ତାରିଖରେ ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ ଓ ଯାଜପୁର, ୭ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ପୁରୀ, ଖୋର୍ଧା, ମୟୂରଭଞ୍ଜ ଓ ବାଲେଶ୍ବରରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖଠାରୁ ବର୍ଷା ବଢ଼ିବ। ମୟୂରଭଞ୍ଜ ସମେତ କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ପୂର୍ବ ଓ ଉତ୍ତରପୂର୍ବ ଭାରତରେ ବର୍ଷା ଲାଗି ରହିବ। ଏହି ସମୟ ମଧ୍ୟରେ ପଞ୍ଜାବ, ହରିୟାନା, ରାଜସ୍ଥାନ, ଗୁଜୁରାଟ ଓ ମଧ୍ୟପ୍ରଦେଶରୁ ମୌସୁମୀ ଧୀରେ ଧୀରେ ପ୍ରତ୍ୟାବର୍ତନ କରିବ। ଦେଶର ଅନ୍ୟ ସ୍ଥାନଗୁଡ଼ିକରେ ପାଗ ଶୁଖିଲା ରହିବ। ସେପ୍ଟେମ୍ବର ତୃତୀୟ ସପ୍ତାହ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବାର ସମ୍ଭାବନା ରହିଛି। ଗତ ୧୨ ଘଣ୍ଟା ମଧ୍ୟରେ କେବଳ ଝାରସୁଗୁଡ଼ାରେ ୧୦ ମିମି ବର୍ଷା ହୋଇଛି।