ଚାଳିଆ ଉଚ୍ଛେଦକୁ ନେଇ ନୀଳଗିରିରେ ଉତ୍ତେଜନା : ତହସିଲଦାର-ବିଧାୟକ ମୁହାଁମୁହିଁ

ବିଧାୟକଙ୍କ ଅନଶନ, ତହସିଲଦାରଙ୍କୁ ତାଲା

ନୀଳଗିରି : ଗୋଟିଏ ପଟେ ମହିଳା ସରକାରୀ ଅଧିକାରୀ ଏବଂ ଅନ୍ୟପଟେ ଜଣେ ଜନପ୍ରତିନିଧି..। ଯଦି ଏମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୁଏ, ତେବେ ପରିସ୍ଥିତି କ’ଣ ହୋଇଥିବ? ..ଆଜି ଏଭଳି ଏକ ପ୍ରଶ୍ନର ଉତ୍ତର ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି କଚେରି ପରିସରରୁ। ଚାଳିଆ ଉଚ୍ଛେଦକୁ ନେଇ ସ୍ଥାନୀୟ ବିଧାୟକ ସୁକାନ୍ତ କୁମାର ନାୟକ ଓ ତହସିଲ୍‌ଦାର ସୁଶ୍ରିତା ଟୁଡ଼ୁ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ବିଧାୟକ କାର୍ଯ୍ୟାନୁଷ୍ଠାନ ଦାବି କରି ଅନଶନରେ ବସିଥିବାବେଳେ ଅନ୍ୟପଟେ ଏକାଧିକ ରାଜନୈତିକ ଦଳର ନେତୃବୃନ୍ଦ, ମୋହରିର, ଆଇନଜୀବୀ ତଥା ସାଧାରଣ ଜନତା ତହସିଲଦାରଙ୍କୁ ଅଟକ ରଖିଥିଲେ। ଅପରାହ୍ନ ୪ଟାବେଳେ ତହସିଲ୍‌ଦାର ଓ ଅନ୍ୟ କର୍ମଚାରୀମାନେ ମୁକୁଳିଥିଲେ। ସେହିଭଳି, ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ଜିଲ୍ଲାପାଳ ଫଳରସ ପିଆଇ ବିଧାୟକଙ୍କ ଅନଶନ ଭାଙ୍ଗିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଚାଳି ଉ‌ଚ୍ଛେଦ ପାଇଁ ୭ ଦିନିଆ ନୋଟିସ୍‌ ଜାରିି ହୋଇଥିଲା। ନୋଟିସ୍‌ ଦିଆଯିବାର ୪ ଦିନ ନପୂରୁଣୁ ଆଜି ସକାଳ ୮ଟାରେ ତହସିଲଦାର ସୁଶ୍ରିତା ଟୁଡୁଙ୍କ ନିର୍ଦେଶ କ୍ରମେ ଜେସିବି ମେସିନ୍‌ ଦ୍ବାରା ଚାଳିଗୁଡ଼ିକୁ ଭଙ୍ଗାଯାଇଥିଲା। ଖବର ପାଇ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଘଟଣାସ୍ଥଳରେ ପହଁଚି ଉଚ୍ଛେଦକୁ ବିରୋଧ କରିଥିଲେ। ସେହିପରି ଆଇନଜୀବୀ କିଶୋର ଷଡ଼ଙ୍ଗୀ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ। ଯାହାଫଳରେ ପରିସ୍ଥିତି ବିିଗିଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ତହସିଲଦାର ସୁଶ୍ରିତା ଓ ବିଧାୟକ ସୁକାନ୍ତଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଫଳରେ ବିଧାୟକ ସୁକାନ୍ତ ତୁରନ୍ତ ତହସିଲଦାରଙ୍କ ବଦଳି ସହ ମୋହରିରଙ୍କ ଚାଳିଆ ମରାମତି ଦାବି କରିଥିଲେ। ଏହି ଦାବିରେ ବିଭିନ୍ନ ଦଳର ନେତୃବୃନ୍ଦ, ବରିଷ୍ଠ ନାଗରିକ, ଆଇନଜୀବୀ, ମହୋରିରଙ୍କୁ ଧରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଥିଲେ। ସେହିପରି ଉତ୍ତ୍ୟକ୍ତ ମୋହରିର, ବିଭିନ୍ନ ଦଳର କର୍ମୀ ତଥା ଜନସାଧାରଣ ତହସିଲଦାର ସୁଶ୍ରିତା, ଅତିରିକ୍ତ ତହସିଲଦାର ରାକେଶ ପଣ୍ଡା ଓ କିଛି କର୍ମଚାରୀଙ୍କୁ ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଅଟକ ରଖିଥିଲେ। ଏହା ସହିତ ଉପ-ଜିଲ୍ଲାପାଳ ଓ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମଧ୍ୟ ସେମାନେ ତାଲା ପକାଇ ଦେଇଥିଲେ।

ଖବର ପାଇ ଏସ୍‌ଡିପିଓ ସୁଦାମ ଚରଣ ସାହୁ ଓ ଆଇଆଇସି ନଳିତା ମୋଦୀ ପୁଲିସ ଫୋର୍ସ ସହ ପହଂଚିଥିଲେ। ସେହିପରି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ନୀଳଗିରି ଉପ-ଜିଲ୍ଲାପାଳ ହରିଶ ଜେନା, ପିଏ ଆଇଟିଡିଏ ବୀର କିଶୋର ପାଣିଗ୍ରାହୀ ପହଂଚି ପରିସ୍ଥିତି ସୁଧାରିବାକୁ ଉଦ୍ୟମ କରିଥିଲେ। ହେଲେ କିଛି ଫଳ ମିଳିନଥିଲା। ଏପରି ସମୟରେ ଅପରାହ୍ନ ୪ଟାରେ ତହିଲଦାର ସୁଶ୍ରିତା ଓ ଅନ୍ୟ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବିଧାୟକ ସୁକାନ୍ତ କିନ୍ତୁ ଅନଶନରୁ ଉଠିନଥିଲେ। ଶେଷରେ, ଜିଲ୍ଲାପାଳ ନିଜେ ପହଁଚି ବିଧାୟକଙ୍କ ସହିତ ଆଲୋଚନା କରିବା ସହିତ ତାଙ୍କ ଅନଶନ ଭାଙ୍ଗିଥିଲେ। ସେପଟେ, ତହସିଲଦାର ସୁଶ୍ରିତା ୪ ଦିନ ଛୁଟିରେ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର