ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷିବ, ଦିନର ତାପମାତ୍ରା ୪ ଡିଗ୍ରି କମିବ, ରାତି ତାପମାତ୍ରା ବଢ଼ିବ

ଭୁବନେଶ୍ବର : ବର୍ଷ ଆରମ୍ଭରୁ ପାଣିପାଗରେ ପରିବର୍ତନ ଆସିଛି। ଗତ କିଛିଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜି ସକାଳେ ସାରା ରାଜ୍ୟ‌ରେ ଶୁଖିଲା ପାଗ ଲାଗି ରହିଥିଲା। ତେବେ ଅପରାହ୍ନ ବେଳକୁ ପାଗରେ କିଛିଟା ପରିବର୍ତନ ଆସିଛି। କୋହଲା ରହିବା ସହ କେତେକ ସ୍ଥାନରେ ଥଣ୍ଡା ଅନୁଭୂତ ହୋଇଥିଲା। ରାତିରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ଗୁରୁବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଜାନୁଆରି ୨ ଓ ୩ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ଦେବଗଡ଼, ସୋନପୁର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଉ କିଛି ସ୍ଥାନରେ କୁଆପଥର ବର୍ଷା ହେବାର ଆଶଙ୍କା ଥିବାରୁ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସତର୍କ ରହିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ୩ ତାରିଖ ପୂର୍ବାହ୍ନଠାରୁ ୪ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ବା‌ଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ। ତାହାକୁ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହାର ପରବର୍ତୀ ଦୁଇ ଦିନ ଅର୍ଥା‌ତ୍‌ ୫ ଓ ୬ ତାରିଖରେ କିଛି ସ୍ଥାନରେ କୁଆପଥର ବର୍ଷା ହେବ ବୋଲି ଆଞ୍ଚଳିକ ପା‌ଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି କୁହାଯାଇଛି ଯେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ପୂର୍ବଭଳି ଥଣ୍ଡା ଅନୁଭୂତ ହେବନି। ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇବ। ରାତିରେ ଥଣ୍ଡା କମିବ। ତେବେ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୪ ଡିଗ୍ରି କମିବ। ତେଣୁ ଦିନ ଓ ରାତିର ତାପମାତ୍ରା ପାଖାପାଖି ସମାନ ରହିବ। ଦୁଇରୁ ତିନି ଡିଗ୍ରି ଏପାଖସେପାଖ ରହିପାରେ।

ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରେ ଥଣ୍ଡା ଅନୁଭୂତ ହୋଇଥିଲା। କେନ୍ଦୁଝରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୭.୬ ଡିଗ୍ରି ଥିଲା। ଉତ୍ତର କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ଅପରାହ୍ନରେ ଥଣ୍ଡା ଅନୁଭୂତ ହୋଇଥିଲା। ଅନୁଗୁଳ ଓ କଳାହାଣ୍ଡିରେ କୁହୁଡ଼ି ପଡ଼ିଛି। ବାକି ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ଉନ୍ନତି ଘଟିଛି। ଉପକୂଳ ଓଡ଼ିଶାରେ କୌଣସି ପ୍ରକାର ପରିବର୍ତନ ଆସିନି। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର