ଅନିଶ୍ଚିତତାରେ ରାଜେନ୍ଦ୍ର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ, କଣ୍ଟ ପୂରିଗଲା କୁଳପତି ଚୟନ ହେଲାନି

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ନାମଲେଖା ‌ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଉକ୍ତ ଦୁଇ ଶିକ୍ଷାନୁଷ୍ଠାନକୁ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ଭାବେ ମଧ୍ୟ ସ୍ବୀକୃତି ଦିଆଯାଇ ସାରିଛି। ଏମିତିକି ଜୁନ୍‌ ପହିଲାରୁ ବିଶ୍ବବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ହେବା ନେଇ ମଧ୍ୟ ସ୍ଥିର ହୋଇଥିଲା। ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ନେଇ ଏବେ ଆଶଙ୍କା ଦେଖାଦେଇଛି। କାରଣ ଏ ପର୍ଯ୍ୟନ୍ତ ଉକ୍ତ ଦୁଇ ବିଶ୍ବବିଦ୍ୟାଳୟରେ କୁଳପତି, କୁଳସଚିବ ନିଯୁକ୍ତି ହୋଇ ନାହାନ୍ତି। ଆବଶ୍ୟକ ଅଧ୍ୟାପକ, ପ୍ରଫେସର, କର୍ମଚାରୀଙ୍କୁ ବି ନିଯୁକ୍ତି ଦିଆଯାଇ ନାହିଁ। ପରିଣାମ ସ୍ବରୂପ ଚଳିତ ଶିକ୍ଷାବର୍ଷଠାରୁ ଏଠାରେ ନାମଲେଖା ଓ ପାଠପଢ଼ା ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅବଶ୍ୟ କରୋନା ପାଇଁ କିଛିଟା ବିଳମ୍ବ ହୋଇଥିଲେ ମଧ୍ୟ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ଆଗକୁ ନେବା ପାଇଁ ଉଚ୍ଚଶିକ୍ଷା ବିଭାଗ ଯେଉଁଭଳି ପଦକ୍ଷେପ ନେଉଛି, ଏହି ଦୁଇ ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ସେତେଟା ଆଗ୍ରହ ଦେଖାଉ ନାହିଁ।

ଭୁବନେଶ୍ବରସ୍ଥିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଢାଞ୍ଚାରେ ବଲାଙ୍ଗୀର ଜିଲ୍ଲାର ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟକୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ଉନ୍ନୀତ କରାଯିବ। ଉକ୍ତ ଦୁଇ ସ୍ବୟଂଶାସିତ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ଭିତରେ ବିଲୀନ ହେବ। ବିଶ୍ବବିଦ୍ୟାଳୟରେ ଉଭୟ ୟୁଜି(ସ୍ନାତକ) ଓ ପିଜି(ସ୍ନାତକତ୍ତୋର) ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ବୋଲି ୨୦୧୯ ଅକ୍ଟୋବରରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ-୧୯୮୯ ଅନୁଯାୟୀ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ସମସ୍ତ ଡିଗ୍ରି କଲେଜ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଏବଂ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଥିବା ଡିଗ୍ରି କଲେଜଗୁଡ଼ିକ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବ ବୋଲି ସ୍ଥିର ହୋଇଥିଲା। ୨୦୨୦ ଜୁନ୍‌ ୧ରୁ ଉକ୍ତ ଜିଲ୍ଲାଗୁଡ଼ିକରେ ଥିବା ଡିଗ୍ରି କଲେଜଗୁଡ଼ିକ ଆଉ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ରହିବେ ନାହିଁ ବୋଲି ମଧ୍ୟ ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା। ତେବେ ନିର୍ଦ୍ଧାରିତ ସମୟ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେବଳ ଚିଠି ଓ ବିଜ୍ଞପ୍ତିରେ ସବୁ କିଛି ସୀମିତ ରହିଯାଇଛି।

facebook.com

ସବୁଠାରୁ ବଡ଼ କଥା ହେଲା ଯେ ଏପ୍ରିଲ ପହିଲା ସୁଦ୍ଧା ଉକ୍ତ ଦୁଇ ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତି ହେବେ ବୋଲି ଜାନୁଆରିରେ କୁହାଯାଇଥିଲା। ବିଶ୍ବବିଦ୍ୟାଳୟ କୁଳପତି ହେବାକୁ ଯୋଗ୍ୟତା ଥିବା ପ୍ରଫେସରଙ୍କ ନାମ ଜାନୁଆରି ୩୧ ସୁଦ୍ଧା ବିଭାଗ ନିକଟକୁ ପଠାଇବାକୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ନିର୍ଦେଶ ଦିଆଯାଇଥିଲା। ତେବେ କେବଳ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ବ୍ୟତୀତ ଅନ୍ୟ କୌଣସି ବି ବିଶ୍ବବିଦ୍ୟାଳୟର କୁଳସଚିବ ଯୋଗ୍ୟ ପ୍ରଫେସରଙ୍କ ନାମ ପଠାଇ ନ ଥିଲେ। ଏହାପରେ ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମୀଧର ମହାନ୍ତି ଅସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ତ କୁଳସଚିବଙ୍କୁ ପୁଣିଥରେ ଚିଠି ଲେଖି ପ୍ରଫେସରଙ୍କ ନାମ ମାଗିଥିଲେ। ଏହାପରେ ସବୁ କିଛି ଅଟକି ରହିଯାଇଛି। ଏ ପର୍ଯ୍ୟନ୍ତ କୁଳପତି ନିଯୁକ୍ତ ହୋଇନାହାନ୍ତି।

ଏଭଳି ସ୍ଥିତି ଉପୁଜିଥିବାରୁ ଏଥର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ନାମଲେଖା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। କାରଣ ଆସନ୍ତା ଅଗଷ୍ଟ/ସେପ୍ଟେମ୍ବର ମାସରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି। ୧୧ଟି ବିଶ୍ବବିଦ୍ୟାଳୟକୁ ସାମିଲ କରିବାକୁ ଯୋଜନା ହେଉଥିବାବେଳେ ଉକ୍ତ ଦୁଇ ବିଶ୍ବବିଦ୍ୟାଳୟ କଥା ବିଚାରକୁ ନିଆଯାଉ ନାହିଁ। ତେଣୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଛି ନୂଆକରି ପ୍ରତିଷ୍ଠା ହେବାକୁ ଥିବା ଏହି ବିଶ୍ବବିଦ୍ୟାଳୟଗୁଡ଼ିକର ଭାଗ୍ୟ।

ଅନ୍ୟପକ୍ଷରେ ଉକ୍ତ ଦୁଇ ବିଶ୍ବବିଦ୍ୟାଳୟର ବହୁ ପଛରେ ତଥା ଗତ ମାର୍ଚ୍ଚ ୫ରେ କଟକସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲା। ଏହାପରେ କରୋନା ଯୋଗୁଁ ଲକ୍‌ଡାଉନ୍‌ ଥିବା ସତ୍ତ୍ବେ ମେ’ ୨୦ରେ ଏହି ବିଶ୍ବବିଦ୍ୟାଳୟ କୁଳସଚିବ, ବିତ୍ତ ନିୟନ୍ତ୍ରକ ନିଯୁକ୍ତି ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅର୍ଥ ଓ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖାଯାଇ ନାମ ମଗାଯାଇଥିଲା। ଏମିତିକି ଗତ ୩୦ ତାରିଖରେ ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତି ଲାଗି ଜଣେ ପ୍ରଫେସରଙ୍କ ନାମ ସୁପାରିସ୍‌ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉତ୍କଳ, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର