ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ନିଦ ଭାଙ୍ଗିଲା : ପ୍ରସ୍ତୁତ ହେଲା ଭର୍ଚୁଆଲ ଟ୍ୟୁଟୋରିଆଲ୍‌ ଷ୍ଟୁଡିଓ

ଭୁବନେଶ୍ବର : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲାଇନ୍ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବାକୁ ବିଶ୍ବବିଦ୍ୟାଳୟକୁ କୁହାଯାଉଛି। ତେବେ ଓଡ଼ିଶାରେ ଥିବା ସରକାରୀ ବିଶ୍ବବିଦ୍ୟାଳୟରେ ଅନ୍‌ଲାଇନ୍‌ ଶିକ୍ଷା ସେତେଟା ଫଳପ୍ରଦ ହୋଇପାରିନି। ଅନ୍‌ଲାଇନ୍‌ ଶିକ୍ଷା ପାଇଁ କୌଣସି ସରକାରୀ ବିଶ୍ବବିଦ୍ୟାଳୟ ନିକଟରେ ଇ-କଣ୍ଟେଣ୍ଟ ଉପଲବ୍ଧ ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି। ଏପରିକି ଇ-କଣ୍ଟେଣ୍ଟ ପ୍ରସ୍ତୁତ ଲାଗି ବର୍ଷେ ହେଲା ଉତ୍କଳ ବିଶ୍ବବିଦ୍ୟାଳୟର ଡିଡିସିଇରେ ଭର୍ଚୁଆଲ ଟ୍ୟୁଟୋରିଆଲ୍‌ ଷ୍ଟୁଡିଓ ପ୍ରତିଷ୍ଠା ହେଉଥିଲେ ମଧ୍ୟ ତାହା ସରି ନ ଥିବାରୁ ବହୁ ସମସ୍ୟା ଭୋଗିବାକୁ ପଡ଼ିଛି। ‌ଉଚ୍ଚଶିକ୍ଷା ବିଭାଗର ବାରମ୍ବାର ତାଗିଦ୍‌ ପରେ ଏବେ ଷ୍ଟୁଡିଓ କାମ ସରିଛି ଏବଂ ଏହାକୁ ବ୍ୟବହାର କରିବାକୁ ସମସ୍ତ ବିଶ୍ବବିଦ୍ୟାଳୟକୁ କୁହାଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ ୨୩ରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିବାରୁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ତେଣୁ ବୈଷୟିକ ଜ୍ଞାନକୌଶଳ ସହ ଅନ୍‌ଲାଇନ୍‌ ଶିକ୍ଷା ଉପରେ ବିଭାଗ ଗୁରୁତ୍ବ ଦେଇ ଉତ୍କଳ ବିଶ୍ବବିଦ୍ୟାଳୟର ଡିଡିସିଇରେ ଏକ ଭର୍ଚୁଆଲ ଟ୍ୟୁଟୋରିଆଲ୍‌ ଷ୍ଟୁଡିଓ ପ୍ରତିଷ୍ଠା ହୋଇଛି। ରାଜ୍ୟର ଅନ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକ ଏହି ଷ୍ଟୁଡିଓକୁ ବ୍ୟବହାର କରି ଇ-କଣ୍ଟେଣ୍ଟ ବିକାଶ କରିପାରିବେ। ଷ୍ଟୁଡିଓର ପରିଚାଳନା ଲାଗି ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର(ଏସ୍‌ଓପି) ଜାରି ହୋଇଛି।

ଉତ୍କଳ ବିଶ୍ବବିଦ୍ୟାଳୟର ଡିଡିସିଇ ଅଧୀନରେ ଥିବା ଭର୍ଚୁଆଲ ଟ୍ୟୁଟୋରିଆ ଷ୍ଟୁ‌ଡିଓ ଏବେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଶାସନିକ କଣ୍ଟ୍ରୋଲରେ ରହିଛି। ତେ‌ବେ ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ବବିଦ୍ୟାଳୟ ଏହାକୁ ବ୍ୟବହାର କରି ଡିଜିଟାଲ/ଅନ୍‌ଲାଇନ୍‌ ପାଠ୍ୟକ୍ରମ ପ୍ରସ୍ତୁତ କରିପାରିବେ। ଏ ନେଇ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ଗୋଟିଏ ମାସ ପୂର୍ବରୁ ଡିଡିସିଇ ନିର୍ଦେଶକଙ୍କଠାରୁ ଅନୁମତି ପାଇଁ ଆବେଦନ କରିବେ। କିଭଳି ଇ-କେଣ୍ଟେଣ୍ଟ ପ୍ରସ୍ତୁତ କରିବେ ସେନେଇ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରି ‌ଡିଡିସିଇକୁ ଜଣାଇବେ। କେବେ ଫାଙ୍କା ଥିବ ସେ ନେଇ ଡିଡିସିଇ ପକ୍ଷରୁ ସମ୍ପୃକ୍ତ ବିଶ୍ବବିଦ୍ୟାଳୟକୁ ଅବଗତ କରାଯିବ। ଥରେ ଇ-କେଣ୍ଟେଣ୍ଟ ପ୍ରସ୍ତୁତ ହେବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ତାହାକୁ ନିଜସ୍ବ ୱେବସାଇଟ୍‌ରେ ଛାଡ଼ିବେ। ଫଳରେ ଛାତ୍ରଛାତ୍ରୀ ତଥ୍ୟ ପାଇବାରେ ଅସୁବିଧା ଭୋଗିବେ ନାହିଁ। ଯଦି ଗୋଟିଏ ବିଶ୍ବବିଦ୍ୟାଳୟ ଏକ ନିର୍ଦ୍ଦିଷ୍ଟ ବିଷୟରେ ଇ-କେଣ୍ଟେଣ୍ଟ ପ୍ରସ୍ତୁତ କରିଥିବେ ଅନ୍ୟ ବିଶ୍ବବିଦ୍ୟାଳୟ ସେ ବିଷୟରେ ଆଉଥରେ କରିବେ ନାହିଁ। ସମସ୍ତ କାର୍ଯ୍ୟକ୍ରମର ଟିକିନିଖି ତଥ୍ୟ ଡିଡିସିଇ ପକ୍ଷରୁ ପ୍ରସ୍ତୁତ ଏକ ରେଜିଷ୍ଟାରରେ ରହିବ। ଏଠାକୁ ଆସୁଥିବା ବିଶେଷଜ୍ଞମାନେ ଡିଡିସିଇରୁ କୌଣସି ଅର୍ଥ ଦାବି କରିପାରିବେ ନାହିଁ। ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ଅର୍ଥ ପ୍ରଦାନ କରିବେ ଏବଂ ଯାତାୟାତ ବ୍ୟବସ୍ଥା କରିବେ। ଡିଡିସିଇ ପକ୍ଷରୁ ଇ-କେଣ୍ଟେଣ୍ଟ ଲାଗି କେବଳ ବୈଷୟିକ ସହାୟତା, ଭିତ୍ତିଭୂମି ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର