କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ ପାଇଁ ଏଥର ଶ୍ରୀଅଲାରନାଥ ମନ୍ଦିର ମନା

ଚାରିପଟୁ ମନ୍ଦିର ସିଲ୍‌ ହେବ, କେବଳ ଅନୁମତିପ୍ରାପ୍ତ ସେବାୟତ ରହିବେ, ସିସିଟିଭି ନଜର ରଖିବ

ବ୍ରହ୍ମଗିରି : ପବିତ୍ର ସ୍ନାନପୂର୍ଣ୍ଣମୀ ପରଦିନ ଠାରୁ ଭକ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିପାରନ୍ତି ନାହିଁ। ଏଥିପାଇଁ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କୁ ଅଣସର ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଅଣସର ୧୪ ଦିନ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନର ସମଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି। ଆସନ୍ତା ୬ ତାରିଖରୁ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହେବ। କିନ୍ତୁ କରୋନା କଟକଣା ଯୋଗୁ ଚଳିତବର୍ଷ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ନାହିଁ। ଆଜି ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି।

ଆଜି ଶ୍ରୀଅଲାରନାଥ ମନ୍ଦିର ପରିସରରେ ଥିବା ଶ୍ରୀ ମହାଲକ୍ଷ୍ମୀଙ୍କ ମନ୍ଦିର ଚକଡ଼ାରେ ବୈଠକ ଅନୁଷ୍ଠିତ ହୋଇଛି। ଉପ ଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଅଲାରନାଥ ଇଣ୍ଟ୍ରିମ ଟ୍ରଷ୍ଟି ତଥା ବ୍ରହ୍ମଗିରି ତହସିଲଦାର କିଶୋର କୁମାର ପଣ୍ତା, ବ୍ରହ୍ମଗିରି ଆଇଆଇସି ମନୋଜ କୁମାର ଶତପଥୀ, ଅତିରିକ୍ତ ତହସିଲଦାର ହେମନ୍ତ କୁମାର ଭାରିମଲ୍ଲଙ୍କ ସହିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ, ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗ, ଅଗ୍ନିଶମ ବିଭାଗ, ସବ୍‌ରେଜିଷ୍ଟ୍ରାର, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଯୋଗ ଦେଇଥିଲେ। ଏହାସହିତ ସେବାୟତ ନିଯୋଗର ସମ୍ପାଦକ ନାରାୟଣ ପୂଜାପଣ୍ତା, ଉନ୍ନୟନ କମିଟିର ସମ୍ପାଦକ ନୀଳମଣି ସୁଆର, ସେବାୟତ ନିଯୋଗର ସମସ୍ତ ସଦସ୍ୟ, ସେବାୟତ ଓ ଅନ୍ୟ ନିଯୋଗ ଏବଂ କମିଟିର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ। କରୋନା କଟକଣା ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସହିତ ଭକ୍ତଙ୍କ ଜୀବନ ମୂଲ୍ୟବାନ ହୋଇଥିବାରୁ ଚଳିତବର୍ଷ ଶ୍ରୀଜୀଉଙ୍କ ଅଣସର ଦର୍ଶନ ଭକ୍ତଙ୍କ ପାଇଁ ବାରଣ ନିଷ୍ପତ୍ତି ହୋଇଛି। ଜଣେ ହେଲେ ବି ଭକ୍ତ ଦର୍ଶନ ପାଇଁ ଆସିପାରିବେ ନାହିଁ। ଏମିତିକି ସେବାୟତଙ୍କ ପରିବାର ମଧ୍ୟ ଆସି ପାରିବେ ନାହିଁ। ଶ୍ରୀଜୀଉଙ୍କ ମନ୍ଦିର ଚାରିପଟକୁ ବ୍ୟାରିକେଡ‌୍ କରାଯାଇ ସିଲ୍‌ କରାଯିବ। ସିସିଟିଭି ନଜରରେ ମନ୍ଦିର ରହିବ। ପରିଚୟପତ୍ର ଦେଖାଇ ସେବାୟତ ମନ୍ଦିର ଭିତରକୁ ଯିବେ। ସେହିପରି ଭିତରେ ଓ ବାହାରେ ନିୟୋଜିତ ସଫେଇ କର୍ମଚାରୀଙ୍କ ସମେତ ବିଦ୍ୟୁତ୍ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀଙ୍କୁ ଜରୁରୀ ପାସ ଦିଆଯିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର