ରଙ୍ଗିଲା ବର: ପ୍ରଥମ ପତ୍ନୀ ମହିଳା ଥାନାରେ

ରାଉରକେଲା : ଘରେ ଅନ୍ତଃସତ୍ତ୍ୱା ପତ୍ନୀ ଥାଇ ବି ନିଜକୁ ଅବିବାହିତ ଦର୍ଶାଇ ସାରନଗରୀର ଜଣେ ଯୁବତୀ ପମିତାଙ୍କୁ ବିବାହ କରିବାକୁ ଯାଇ ଧରା ପଡ଼ିଥିବା ରଙ୍ଗିଲା ବର ଶଙ୍କର ପଣ୍ଡା ଏବେ ଜେଲ୍‌ରେ। କନ୍ୟାପକ୍ଷର ଏତଲା କ୍ରମେ ଗତକାଲି ଟାଙ୍ଗରପାଲି ପୁଲିସ ଶଙ୍କର ଓ ତା’ ଭାଇ ସୁଦାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶଙ୍କରର କୁତ୍ସିତ କାରନାମାକୁ ସାମ୍ନାକୁ ଆଣିଥିବା ପ୍ରଥମ ପତ୍ନୀ ପ୍ରୀତି କୁମାରୀ ଆଜି ସକାଳେ ମହିଳା ଥାନାକୁ ଯାଇ ନ୍ୟାୟ ମାଗିଛନ୍ତି।

ସେକ୍ଟର -୬ ଅଞ୍ଚଳର ପ୍ରୀତିଙ୍କୁ ଶଙ୍କର ୨୦୧୭ ନଭେମ୍ବର ୧୭ରେ ସାମାଜିକ ରୀତିରେ ବିବାହ କରିଥିଲା। ପ୍ରୀତି ଏବେ ଗର୍ଭମାସରେ। ୮ ଦିନ ତଳେ ଶଙ୍କର ବାହାରକୁ କାମରେ ଯାଉଛି କହି ପ୍ରୀତିଙ୍କୁ ସେକ୍ଟର-୬ରେ ଶାଶୁ ପାଖରେ ଛାଡ଼ି ଯାଇଥିଲା। ହେଲେ ୫ ତାରିଖରେ ଏକ ନାଟକୀୟ ଘଟଣା କ୍ରମରେ ସ୍ୱାମୀ ଶଙ୍କର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରୁଥିବା ଟିଭି, ଖବରକାଗଜରୁ ଜାଣିବା ପରେ ପ୍ରୀତି ମୁଣ୍ଡ ଚକ୍କର କାଟିଥିଲା। ସେ ମା’ ସହ ତୁରନ୍ତ ଟାଙ୍ଗରପାଲି ଥାନାରେ ପହଞ୍ଚି ବିବାହ ବେଳର ଫଟୋ, ବିବାହ ପଞ୍ଜୀକରଣ ପ୍ରମାଣପତ୍ର ଦେଖାଇବା ପରେ ପୁଲିସ ଚମ୍ପାଗଡ଼ରୁ ଶଙ୍କର ଓ ତା’ ଭାଇ ସୁଦାମକୁ ଗିରଫ କରିଥିଲା। ହେଲେ ସେକ୍ଟର-୭ଥାନା ଅଞ୍ଚଳରେ ପ୍ରୀତିଙ୍କ ବିବାହ ହୋଇଛି କହି ଟାଙ୍ଗରପାଲି ପୁଲିସ ଏତଲା ରଖିବାକୁ ମନା କରିଦେଇଥିଲେ। ଆଜି ପ୍ରୀତି ମହିଳା ଥାନାକୁ ଯାଇ ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ। ତେବେ ଶଙ୍କର ଜେଲ୍‌ରୁ ବାହାରିବା ପରେ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି।

ଗତ ୪ ତାରିଖରେ ମଦରେ ଚୁର୍‌ ବର ଶଙ୍କର ସାରନଗରୀ ଲେବର କଲୋନିର ପମିତାକୁ ବିବାହ କରିବାକୁ ଆସି ହଟହଟା ହୋଇଥିଲା।

ସମ୍ବନ୍ଧିତ ଖବର