ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ ଜେଲ୍‌

ଫୁଲବାଣୀ : ଶୁକ୍ରବାର ଦିନ ଫୁଲବାଣୀ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଏକବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।

୨୦୧୯ ଅଗଷ୍ଟ ୨୦ ତାରିଖ ସନ୍ଧ୍ୟାରେ ଘୁ.ଉଦୟଗିରି ଥାନା ଅଞ୍ଚଳର ଜଣେ ୩ ବର୍ଷର ନାବାଳିକାକୁ ସେହି ଗ୍ରାମର ପ୍ରସନ୍ନ କୁମାର ଡିଗଳ(୪୨) ଚକୋଲେଟ୍ ଦେବାର ଲୋଭ ଦେଖାଇ ଘରୁ ଡାକି ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ଝିଅକୁ ନ ପାଇ ଘର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ଝିଅଟିକୁ ଏକ ଚର୍ଚ୍ଚ ବାରଣ୍ଡାରେ ପାଇଥିଲେ। ଘଟଣାସ୍ଥଳରୁ ପ୍ରସନ୍ନ ଫେରାର ହୋଇ ଯାଇଥିଲା। ପରଦିନ ନାବାଳିକାର ମା’ ଘୁ.ଉଦୟଗିରି ଥାନାରେ ଏତଲା ଦେବାପରେ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ପ୍ରସନ୍ନକୁ ଗିରଫ କରାଯାଇଥିଲା। ଆଜି ଏହି ମାମଲାର ବିଚାର କରି ବିଚାରପତି ସଞ୍ଜିତ କୁମାର ବେହେରା ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଉପରୋକ୍ତ ରାୟ ଶୁଣାଇଛନ୍ତି। ଏହି ମାମଲାରେ ପୀଡ଼ିତାର ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର