ରଥଖଳା ଚଳଚଞ୍ଚଳ: ୪୨ରୁ ୧୦ ତୁମ୍ବରେ ବିନ୍ଧ ଶେଷ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟରେ ତତ୍ପରତା ଦେଖାଦେଇଛି। ଗତକାଲି ସୁଦ୍ଧା ତିନି ରଥର ୪୨ଟି ଯାକ ତୁମ୍ବ କାମ ଶେଷ ପରେ ଅର ଓ ପଈ ସଂଯୋଗ ପାଇଁ ତୁମ୍ବର ଠେକ ତୁଲିଆ, ଘେର କଟା ସହ ବିନ୍ଧ କାମ ଜାରି ରହିଛି। ଏଥିସହ ପ୍ରତ୍ୟେକ ରଥର ୨ଟି ଲେଖାଏଁ ଯନ୍ତା ପଟା ମାପଚୁପ ହୋଇ ବିନ୍ଧ ପାଇଁ ଦାଗ ଦିଆଯାଇଛି। ତାଳଧ୍ବଜ ରଥର ୧୪ଟି ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ ପରେ ଦୁଇଟି ତୁମ୍ବରେ ୧୬ ଯୋଡ଼ା(୩୨ଟି) ବିନ୍ଧ କାମ ଶେଷ ହୋଇଛି। ଦେବଦଳନ ରଥର ସମୁଦାୟ ୧୨ଟି ତୁମ୍ବର ବିନ୍ଧ କାମ ଗତକାଲିଠାରୁ ଆରମ୍ଭ ହୋଇଛି।

ରବିବାର କାମ ଶେଷ ସୁଦ୍ଧା ୫ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ କାମ ଶେଷ ହୋଇଛି। ନନ୍ଦିଘୋଷ ରଥର ସମୁଦାୟ ୧୬ଟି ତୁମ୍ବରୁ ୭ଟିର ବିନ୍ଧ କାର୍ଯ୍ୟ ଗତକାଲିଠାରୁ ଆରମ୍ଭ ହୋଇଥିଲା। ରବିବାର କାମ ‌ଶେଷ ସୁଦ୍ଧା ୩ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ କାମ ଶେଷ ହୋଇଛି। ଅନ୍ୟ ତୁମ୍ବଗୁଡ଼ିକର ଘେରକଟା ଓ ଠେକ ତୁଲିଆ କାମ ଚାଲିଛି। ତିନି ରଥର ଦୁଇଟି ଲେଖାଏଁ ଯନ୍ତା ପଟାରେ ବିନ୍ଧ ପାଇଁ ଦାଗ ଦିଆ ସରିଥିବାବେଳେ ବିନ୍ଧ ପରେ ଯନ୍ତା ପଟାରେ କିଳା ସଂଯୋଗ ହେବ। ପରେ ତୁମ୍ବରେ ଅର ସଂଯୋଗ ହୋଇ ପଇ ବିନ୍ଧା କାର୍ଯ୍ୟ ଆରମ୍ଭ ହେବ। ଦୋଳବେଦିକୋଣ ଅସ୍ଥାୟୀ କମାରଶାଳରେ ତିନି ରଥ ପାଇଁ ଓଝା ସେବକମାନେ ୬ହଳ(୧୨ଟି) ଲେଖାଏଁ ପନ୍ଦାରି କାମ ଶେଷ କରିଥିବାବେଳେ ବାକି ପନ୍ଦାରି ବୋଳା କାମ ଜାରି ରହିଛି। ୩୯ଜଣ ମହାରଣା, ୫୨ଜଣ ଭୋଇ, ୪ଜଣ କରତି, ଜଣେ ପାହି ମହାରଣା, ୧୨ଜଣ ଓଝା ସେବକଙ୍କ ସମେତ ୨ଜଣ ବିନ୍ଧ କାରିଗର, ଜଣେ ରଥଖଳା ସହାୟକଙ୍କୁ ମିଶାଇ ୧୧୧ଜଣ ଆଜି ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ।

ସମ୍ବନ୍ଧିତ ଖବର