ପୁରୀ ସହରକୁ ଚାରିପଟୁ ସିଲ୍ କରି ବିନା ଭକ୍ତ ସମାଗମରେ ରଥଯାତ୍ରା କରାଯାଉ : ରଘୁନାଥ ମହାପାତ୍ର

ଭୁବନେଶ୍ବର : ଆସନ୍ତା୨୩ରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ତେବେ କରୋନା ମୁକାବିଲା ନେଇ ଜାରି କୋଭିଡ୍ ୧୯ ନିୟମ ଅନୁସାରେ ସମଗ୍ର ରାଜ୍ୟରେ ଧର୍ମୀୟ ସମାବେଶ ଉପରେ ନିଷେଧାଦେଶ ରହିଛି। ଏହି କାରଣରୁ ରଥଯାତ୍ରା ସମୟରେ ଭକ୍ତ ସମାଗମ ଆଇନଗତ ଦୃଷ୍ଟିରୁ ସମ୍ଭବ ନୁହେଁ। ତେଣେ ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ମତ ରଖିସାରିଛନ୍ତି ଓଡ଼ିଶା ହାଇକୋର୍ଟ। ଯେହେତୁ ଏଥି ପୂର୍ବରୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ବିନା ଭକ୍ତ ସମାଗମରେ ସମସ୍ତ ନୀତିକାନ୍ତି ସହିତ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଯାଇଛି ତେଣୁ ରଥଯାତ୍ରାକୁ ମଧ୍ୟ ସେହି ଶୈଳୀରେ କରାଯାଇ ପାରିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।  ଏଥିସହ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲ୍ଳା ପ୍ରଶାସନ ମଧ୍ୟ ଏଥି ଲାଗି ପ୍ରସ୍ତୁତି ଆରମ୍ଭ କରିଥିବା ଖବର ମିଳିଛି।

ଏପରି ସ୍ଥିତିରେ  ବିନା ଭକ୍ତରେ  ରଥଯାତ୍ରା କରାଯାଉ । ମହାପ୍ରଭୁଙ୍କ ନୀତିକାନ୍ତି ସଂପନ୍ନ ହେବା ସହ ରଥଯାତ୍ରା ଅନୁଷ୍ଠିତ ହେବା ଆବଶ୍ୟକ ବୋଲି ମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୁରୀ ସହରକୁ ଚାରିପଟୁ ସିଲ କରି ବିନା ଭକ୍ତରେ ରଥଯାତ୍ରା କରାଯାଉ । ପୁରୀ ବାସୀ ମଧ୍ୟ ବଡ଼ଦାଣ୍ଡକୁ ନ ଆସି ଟିଭିରେ ରଥଯାତ୍ରା ଦେଖନ୍ତୁ । କିଛି ସେବାୟତ ରଥ ଉପରେ ରହନ୍ତୁ ଏବଂ ଆଉ କିଛି ସେବାୟତ ରଥ ଟାଣନ୍ତୁ ବୋଲି ସେ ମତ ରଖିଛନ୍ତି। 

ଅନ୍ୟ ପକ୍ଷରେ ରଥଯାତ୍ରା ନେଇ ସବୁ କିଛି ଚୂଡାନ୍ତ ହୋଇସାରିଥିବା ସେ କହିଛନ୍ତି । ପ୍ରଭୁଙ୍କ ଇଚ୍ଛା, ସେ ଚାହିଁଲେ ରଥଯାତ୍ରା ହେବ ନଚେତ ହେବନାହିଁ । ପରିସ୍ଥିତି ଯଦି ଅତି ଖରାପ ହୁଏ ତେବେ ନ ହେଲେ ନହେବ, ସେଥିରେ କିଛି ଅସୁବିଧା ନାହିଁ । ପାତାଳି ହେବା ସମୟରେ ବି ରଥଯାତ୍ରା ହୋଇପାରି ନଥିଲା ବୋଲି ରଘୁନାଥ ମହାପାତ୍ର କହିଛନ୍ତି ।

ସମ୍ବନ୍ଧିତ ଖବର