ପୁରୀରେ ୬୫୦ ଲୋକଙ୍କୁ ଠକିଲା ରିଅଲ୍‌ ଇଷ୍ଟେଟ୍‌

ଭୂତ କୋଠି ପାଲଟିଛି ସେଭେନ୍‌ ହିଲ୍‌ ଆପାର୍ଟମେଣ୍ଟ, ଟଙ୍କା ନେଇ ଆଉ ଧରାଛୁଆଁ ଦେଉନାହିଁ

ଚୋରି ହୋଇଗଲାଣି ଦାମୀ ଯନ୍ତ୍ରାଂଶ
ସମସ୍ତେ ଆଖିବୁଜିଦେଇଛନ୍ତି, କୋର୍ଟକୁ ବି ଭୁତାଇଛି

ପୁରୀ : ପବିତ୍ରଧାମ ପୁରୀରେ ରହି ଶେଷ ଜୀବନ ମହାପ୍ରଭୁଙ୍କ ପାଖରେ କାଟିବେ। ମନରେ ଏଭଳି ଆଶା ରଖି ଧାଇଁ ଆସିଥିଲେ ରାଜ୍ୟର କୋଣ ଅନୁକୋଣରୁ ଶ୍ରୀକ୍ଷେତ୍ର ପୁରୀକୁ; ଜାଗା ଖଣ୍ଡେ ପାଇଁ। ଏଥିପାଇଁ ସାରା ଜୀବନ କଷ୍ଟ ଅର୍ଜିତ ପୁଞ୍ଜି ବି ଖର୍ଚ କରିବାକୁ ପଛଘୁଞ୍ଚା ଦେଇନଥିଲେ। କିଏ ଗ୍ରାଚ୍ୟୁଇଟି ଟଙ୍କା ଖର୍ଚ୍ଚ କରିଥିଲେ ତ’ କିଏ ଋଣ ଆଣି ଘର କିଣିଥି‌ଲେ। ହେଲେ କିଏ ଜାଣିଥିଲା ରିଅଲ୍‌ ଇଷ୍ଟେଟ ସଂସ୍ଥା ସେମାନଙ୍କଠାରୁ କୋଟି କୋଟି ଟଙ୍କା ଠକିନେବ ବୋଲି। ପୁରୀ ବଳିଆପଣ୍ଡା ଅଞ୍ଚଳରେ ସେଭେନ୍ ହିଲ୍ ରିଅଲ୍ ଇଷ୍ଟେଟ୍ ସଂସ୍ଥାର ଏଭଳି ଠକେଇ ଏବେ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ହେଲାଣି। ସବୁଠାରୁ ବଡ଼ କଥା ହେଲା, ପୁରୀକୁ ଆଖେଇଥିବା ଶ୍ରଦ୍ଧାଳୁ ଏଭଳି ଠକେଇ ଶିକାର ହେଉଥିବା ବେଳେ ରାଜ୍ୟ ସରକାର, ପ୍ରଶାସନ ଯେଭଳି ପଦକ୍ଷେପ ନେବା କଥା, ଯେତିକି ତତ୍ପରତା ପ୍ରକାଶ କରିବା କଥା, ତାହା ଦେଖିବାକୁ ମିଳିନାହିଁ।

ନୀଳାଚଳ ଧାମରେ ଜାଗା ଦେବାର ପ୍ରଲୋଭନ ଦେଖାଇ ଓଡ଼ିଶା ସମେତ ଓଡ଼ିଶା ବାହାରୁ ୬୫୦ ଜଣ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଛି ସେଭେନ ହିଲ୍‌ ରିଅଲ୍‌ ଇଷ୍ଟେଟ ସଂସ୍ଥା। ଯାହା କେବଳ ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥା ଉପରୁ ଲୋକଙ୍କ ଭରସା ତୁଟାଇ ଦେଇନି, ପବିତ୍ରଧାମ ପୁରୀରେ ଜାଗା କିଣିବାର ଆଶାକୁ ବି ମାରିଦେଇଛି। ମିଳିଥିବା ସୂଚନା ଅନୁସାରେ, ୨୦୦୭-୦୮ ମସିହାରେ ପୁରୀ ବଳିଆପଣ୍ଡା ଅଞ୍ଚଳରେ ବିସ୍ତୃତ ଜାଗାରେ ଆରମ୍ଭ ହୋଇଥିଲା ସେଭେନ୍‌ ହିଲ୍‌ ଆପାର୍ଟମେଣ୍ଟ୍‌। ବ୍ରହ୍ମପୁରର କେଏସ୍‌ ଶ୍ରୀନିବାସ ନାମକ ବ୍ୟକ୍ତି ଏହି ଆପାର୍ଟମେଣ୍ଟ କାମ ଆରମ୍ଭ କରିଥିଲେ। ସେ ସମୟରେ ଅନେକ ଲୋଭନୀୟ ଆଶା ଦେଖାଇ ଲୋକଙ୍କଠାରୁ ଅନ୍‌ଲାଇନ ବୁକିଂ ରଖିଥିଲା ସେଭେନ ହିଲ ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥା। ପରେ ଜାଗା ଓ ଅତ୍ୟାଧୁନିକ ନିର୍ମାଣ ଶୈଳୀ ଦେଖି ୬୫୦ କ୍ରେତା ବି ସେମାନଙ୍କ କଷ୍ଟ ଅର୍ଜିତ ଧନ ଏଥିରେ ନିବେଶ କରିଥିଲେ।

Change.org

୨୫ ଲକ୍ଷରୁ ଅଧିକ ଟଙ୍କା ଦେଇ ଫ୍ଲାଟ୍‌ ସବୁ ବୁକ୍‌ କରିଥିଲେ। କିନ୍ତୁ ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଟଙ୍କା ପାଇଯିବା ପରେ ସଂପୃକ୍ତ ଆପାର୍ଟମେଣ୍ଟ ମାଲିକ ଆଉ ଧରାଛୁଆଁ ଦେଉନାହାନ୍ତି। ଅଧିକାଂଶ ଘର ଅଧାଗଢ଼ା ଅବସ୍ଥାରେ ପଡ଼ିରହିଛି। କବାଟ, ଝରକା, ଖଟ, ସୋଫା, ସବୁକିଛି ଭଗ୍ନ ଅବସ୍ଥାରେ ପଡିରହିଛି। ବାରମ୍ବାର ସଂପୃକ୍ତ ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ‌ନିରାଶ ହେବା ପରେ ଶେଷରେ ଫ୍ଲାଟ୍‌ କିଣିଥିବା ବ୍ୟକ୍ତିମାନେ ସେଭେନ୍‌ ହିଲ୍‌ ଫ୍ଲାଟ୍‌ ମାଲିକ ସଂଘ ନାମରେ ଏକ ସଂଘ ଗଠନ କରି ଏକାଧିକ ଥର ଆପାର୍ଟମେଣ୍ଟ୍‌ ମାଲିକଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ କିଛି ବି ଫଳ ମିଳିଲାନି। ଆଇନର ଦ୍ୱାରସ୍ଥ ହୋଇଛନ୍ତି ଫ୍ଲାଟ ମାଲିକ।

ମାମଲାର ବିଚାର ଚାଲିଥିବା ବେଳେ କୋର୍ଟଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରିଥିଲେ ଆପାର୍ଟମେଣ୍ଟ ସଂସ୍ଥା। ଯେଉଁଥିରେ ୨୦୧୮ ଡିସେମ୍ବର ସୁଦ୍ଧା ସମସ୍ତ ଘର ସମ୍ପୂର୍ଣ୍ଣ କରି ଫ୍ଲାଟ ମାଲିକମାନଙ୍କୁ ଘର ହସ୍ତାନ୍ତର କରିବାକୁ ସଂସ୍ଥା ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଆଉ ଧରାଛୁଆଁ ଦେଲେନି। କୋର୍ଟଙ୍କ ଆଦେଶକୁ ଖୋଲା ଉଲ୍ଲଂଘନ ହେଲା। ଓରେରା (ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି) ବି ଏ ସଂପର୍କରେ ନୋଟିସ ପଠାଇବା ପରେ ୨୦୧୯ ସେପ୍ଟେମ୍ବର ସୁଦ୍ଧା ଘର ସମ୍ପୂର୍ଣ୍ଣ କରି ଦେବାକୁ କହିଥିଲେ ଆପାର୍ଟମେଣ୍ଟ ମାଲିକ। କିନ୍ତୁ ଆଉ କେହି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଦିନ ଦି’ ପହରେ ସଂସ୍ଥା ଏଭଳି ଠକିଥିବା ବେଳେ ରାଜ୍ୟ ସରକାର କାହିଁକି ଓ କାହା ଚାପରେ ସଂପୃକ୍ତ ସଂସ୍ଥାର ମାଲିକଙ୍କୁ ଗିରଫ କରିନାହାନ୍ତି, ତାହା ଜଣାପଡୁନାହିଁ।

ପୁରୀରେ ରହି ନିଜ ଜୀବନର ଶେଷ କିଛି ଦିନ ବିତାଇବା ଲାଗି ସ୍ବପ୍ନ ଦେଖୁଥିଲେ ବୟସ୍କ ବ୍ୟକ୍ତି। ଏହି ସ୍ବପ୍ନକୁ ସାକାର କରିବା ଲାଗି ସେମାନେ ପୂରା ଜୀବନର ପୁଞ୍ଜିକୁ ସମର୍ପଣ କରିଦେଇଥିଲେ। କିନ୍ତୁ ସେମାନଙ୍କୁ ନିରାଶ କରିଛି ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥା।

ସମ୍ବନ୍ଧିତ ଖବର