ହୋମିଓପାଥିକ ଡାକ୍ତରଙ୍କୁ ପୁନଃ ନିଯୁକ୍ତି ଓ ବକେୟା ପ୍ରାପ୍ୟ ପ୍ରଦାନ ପ୍ରସଂଗ : ସ୍ୟାଟ୍‌ଙ୍କ ଆଦେଶ କାଏମ, ସରକାରଙ୍କ ଆବେଦନ ଖାରଜ

କଟକ : ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ହୋମିଓପାଥିକ ଡାକ୍ତରଙ୍କୁ ଚାକିରିରୁ ଅନ୍ତର କରିବା ପ୍ରସ˚ଗରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ୧୯୯୮ରେ ପ୍ରଦାନ କରିଥିବା ରାୟ ହାଇକୋର୍ଟରେ କାଏମ ରହିଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଜାଭେରୀ ଓ ଜଷ୍ଟିସ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ସ୍ୟାଟ୍‌ ଆଦେଶକୁ ଚାଲେଞ୍ଜ କରି ସରକାର ଦାଖଲ କରିଥିବା ଆବେଦନ ଖାରଜ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୭୫ ମସିହାରେ ରାଜ୍ୟ ସରକାର କିଛି ହୋମିଓପାଥିକ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ। ଏହି ଡାକ୍ତରମାନେ ୭ବର୍ଷରୁ ଅଧିକ କାଳ ଚାକିରି କରିବା ପରେ ସରକାର ସେମାନଙ୍କୁ କର୍ମଚ୍ୟୁତ କରିଥିଲେ। ସରକାରଙ୍କ ଏପରି ନିଷ୍ପତ୍ତିକୁ ଚାଲେଞ୍ଜ କରି ଡାକ୍ତର ଭଗବାନ ମହାନ୍ତି ଓ ଅନ୍ୟମାନେ ସ୍ୟାଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ଅଭିଯୋଗ ସ˚ପର୍କରେ ସରକାର ବିଚାର କରି ନିଷ୍ପତ୍ତି ନେବେ ବୋଲି ସ୍ୟାଟ୍‌ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସରକାର ଆବେଦନକାରୀଙ୍କ ଦରଖାସ୍ତ ଅଗ୍ରାହ୍ୟ କରିଥିଲେ। ଏହାପରେ ପୁଣି ଆବେଦନକାରୀ ସ୍ୟାଟଙ୍କ ଦ୍ବାରସ୍ଥ ହୋଇଥିଲେ। ୧୯୯୮ରେ ସ୍ୟାଟ୍‌ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ପୁନଃ ନିଯୁକ୍ତି ଦେବା ସହ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୦୩ରେ ସ୍ୟାଟଙ୍କ ଆଦେଶ ବିରୋଧରେ ସରକାର ହାଇକୋର୍ଟରେ ମାମଲା ଦାୟର କରିଥିଲେ।

ସମ୍ବନ୍ଧିତ ଖବର