ରିମାଣ୍ଡ ସରିଲା, ଜେଲ୍ ଫେରିଲେ ବିରଞ୍ଚି

ପରୀକ୍ଷାର୍ଥୀଙ୍କ ସହ ସମ୍ପର୍କର ପ୍ରମାଣ ମିଳିଲା

ପତ୍ନୀଙ୍କୁ ଏଜେଣ୍ଟ ସଜାଇ ୧୨ ବର୍ଷରେ କରିଛନ୍ତି ୯ ଶହ ପଲିସି
ଏବେ ସୁଦ୍ଧା ୨୧ ପରୀକ୍ଷାର୍ଥୀଙ୍କର ପଲିସି ପ୍ରମାଣପତ୍ର ମିଳିଛି
ଜବତ ଆଡମିଟ୍‌ କାର୍ଡରୁ ୭ଜଣଙ୍କ ସମ୍ପର୍କରେ ଚାଲିଛି ଖୋଳତାଡ଼
ଚାକିରି ଆଶାୟୀଙ୍କଠାରୁ ମୂଲ୍ୟବାନ ଜମି ହାତେଇଥିବା ସନ୍ଦେହ

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସ୍ଏସସି) ଚାକିରିରେ ବଡ଼ଧରଣର ଦୁର୍ନୀତି ନେଇ ଯାହା ସନ୍ଦେହ କରାଯାଉଥିଲା, ତାହାର ଗୁମର ଖୋଲିବାରେ ଲାଗିଛି। ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଏସ୍ଏସସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ସହ କେମିତି ପରୀକ୍ଷାର୍ଥୀଙ୍କ ଘନିଷ୍ଠ ସମ୍ପର୍କ ଥିଲା; ତାହାର ପ୍ରମାଣ ଭିଜିଲାନ୍ସ ହାତରେ ଲାଗିଛି। ବିରଞ୍ଚି ଅନେକ ପରୀକ୍ଷାର୍ଥୀଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ସେମାନଙ୍କଠାରୁ ବିଭିନ୍ନ ଉପାୟରେ ଫାଇଦା ନେଉଥିଲେ ବୋଲି ଜେରାବେଳେ ଆପାତତଃ ସ୍ପଷ୍ଟ ହୋଇଛି। କଳାଧନକୁ ଧଳା ଦେଖାଇବା ପାଇଁ ପତ୍ନୀଙ୍କୁ ସଜାଇ ଦେଇଥିଲେ ବୀମା କମ୍ପାନିର ଏଜେଣ୍ଟ। ଆଉ ଦୀର୍ଘ ୧୨ ବର୍ଷ ଧରି ପତ୍ନୀଙ୍କ ଜରିଆରେ ସେ ୯୦୦ ବୀମା ପଲିସି କରିଥିବାବେଳେ ସେଥିରୁ ୨୧ ପରୀକ୍ଷାର୍ଥୀଙ୍କର ବୀମା ପଲିସି କାଗଜପତ୍ର ମିଳିଛି। ଏହା ବ୍ୟତୀତ ଚଢ଼ଉ ବେଳେ ତାଙ୍କ ଘରୁ ୧୧୪ଜଣ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ମିଳିଥିବାରୁ ବିରଞ୍ଚି ସେମାନଙ୍କୁ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ମୋଟ ଅଙ୍କର ଅର୍ଥ ଆଦାୟ କରିଥିବା ସନ୍ଦେହ ମଧ୍ୟ ଘନୀଭୂତ ହୋଇଛି। ତେଣୁ ଯୋଗ୍ୟ ପ୍ରାର୍ଥୀ ବାଦ୍ ପଡ଼ିବା ଏବଂ ପରୀକ୍ଷାର୍ଥୀଙ୍କଠାରୁ ବିରଞ୍ଚି ଅର୍ଥ ଆଦାୟ କରିବା ଆଦି ତଥ୍ୟ ପ୍ରମାଣକୁ ଆଧାର କରି ନିଯୁକ୍ତି ଦୁର୍ନୀତିର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ।

୪ ଦିନିଆ ରିମାଣ୍ଡରେ ଆଣି ବିରଞ୍ଚିଙ୍କୁ ମାରାଥନ୍ ଜେରା ବେଳେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛି। ଆଜି ଏ ସଂପର୍କ‌ରେ ସୂଚନା ଦେଇ ଏସ୍‌ପି ପ୍ରକାଶ ଆର୍ କହିଛନ୍ତି; ଗତ ୩୦ ତାରିଖରେ ବିରଞ୍ଚିଙ୍କ ନୀଳାଦ୍ରିବିହାରସ୍ଥିତ ଘରେ ଚଢ଼ଉ ସମୟରେ ଆଲମିରାରୁ ୧୧୪ଟି ଆଡମିଟ୍ କାର୍ଡ ମିଳିଥିଲା। ସେଥିରୁ ୧୦୭ଟି ଆଡମିଟ୍ କାର୍ଡ ଯାଞ୍ଚ ଶେଷ ହୋଇଛି। ତେବେ କୌଣସି ପରୀକ୍ଷାର ଚୂଡ଼ାନ୍ତ ତାଲିକାରେ ଏମାନଙ୍କ ନାଁ ନ ଥିବା ଜଣାପଡ଼ିଛି। ବାକି ୭ଟି ଆଡମିଟ୍ କାର୍ଡ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି। ସେମାନେ ଚାକିରି ପାଇଥିବା ସନ୍ଦେହ କରାଯାଉଛି। ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ।

ସେହିପରି ‌ତଦନ୍ତରୁ ଏକଥା ମଧ୍ୟ ଜଣାପଡ଼ିଛି ଯେ ବିରଞ୍ଚି ପତ୍ନୀଙ୍କୁ ବୀମା ଏଜେଣ୍ଟ ସଜାଇ ୨୦୦୯ରୁ ଏହି ୧୨ ବର୍ଷ ଭିତରେ ୯୦୦ ପଲିସି କରିଛନ୍ତି। ଏହି ତାଲିକାରେ ଏବେ ସୁଦ୍ଧା ବିଭିନ୍ନ ପରୀକ୍ଷାର ୨୧ ଜଣ ପରୀକ୍ଷାର୍ଥୀଙ୍କ ବୀମା ପଲିସି ଥିବା ଜଣାପଡ଼ିଛି। ତେବେ ସେମାନଙ୍କ ଭିତରୁ କେତେଜଣ ଚାକିରି ପାଇଛନ୍ତି; ଚାକିରି କରାଇ ଦେଇ ମୋଟା ଅଙ୍କର ପଲିସି କରାଇଛନ୍ତି କି ବିରଞ୍ଚି; କେବଳ ୨୧ ନା ଆହୁରି ଅନେକ ପରୀକ୍ଷାର୍ଥୀ ବିରଞ୍ଚିଙ୍କଠାରୁ ପଲିସି କରିଛନ୍ତି ଏସବୁର ତଦନ୍ତ ଚାଲିଛି।

ସେହିପରି ଭୁବନେଶ୍ବର, ପୁରୀ ଓ ଖୋର୍ଦ୍ଧାରେ ବିରଞ୍ଚି ଅନେକ ମୂଲ୍ୟବାନ ଜମି ବଜାର ଦର୍ ଠାରୁ ଯଥେଷ୍ଟ କମ୍ ମୂଲ୍ୟରେ ହାତେଇଛନ୍ତି। ଯାହା ତାଙ୍କ ପାଖରୁ ଜବତ ହୋଇଥିବା ଜମି କାଗଜପତ୍ରରୁ ଜଣାପଡ଼ିଛି। ଏହି ଜମିଗୁଡ଼ିକ ମଧ୍ୟ ସେ ପରୀକ୍ଷାର୍ଥୀଙ୍କଠାରୁ ଶାଗମାଛ ଦରରେ ହାତେଇଥିବା ସନ୍ଦେହ କରାଯାଉଛି। ଯଦି ପରୀକ୍ଷାର୍ଥୀଙ୍କଠାରୁ ଏହି ଜମି ହାତେଇଥାନ୍ତି ତାହେଲେ ସେମାନେ ନିଯୁକ୍ତି ପାଇଛନ୍ତି କି ନାହିଁ, ତାହା ତଦନ୍ତସାପେକ୍ଷ ହୋଇପଡ଼ିଛି। ତେବେ ଅନେକ ବଡ଼ବଡ଼ିଆ ବିରଞ୍ଚିଙ୍କ ସହ ଡିଲ୍ କରୁଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଥିବାରୁ ତାହାର ମଧ୍ୟ ଖୋଳତାଡ଼ ଆରମ୍ଭ କରଛି ତଦନ୍ତକାରୀ ଟିମ୍। ଜମି ମାଲିକମାନଙ୍କୁ ପଚରାଉଚରା କରିବା ପାଇଁ ସେମାନଙ୍କୁ ନୋଟିସ୍ ଜାରି କରାଯିବ ବୋଲି ଏସ୍‌ପି କହିଛନ୍ତି। ଅନ୍ୟପକ୍ଷରେ ବିରଞ୍ଚି ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ପରୀକ୍ଷାର୍ଥୀଙ୍କ ତାଲିକା କେମିତି ପହଞ୍ଚୁଥିଲା; କେଉଁଠି ଚାଲିଥିଲା ଏ ସବୁ ଡିଲ୍; ଓଏସ୍ଏସସି କାର୍ଯ୍ୟାଳୟ ଓ ଅନ୍ୟ କେଉଁ ବିଭାଗର ବଡ଼ମୁଣ୍ଡମାନେ ଏଥିରେ ସମ୍ପୃକ୍ତ ଅଛନ୍ତି; ଭିଜିଲାନ୍ସ ଏସବୁର ‌ମଧ୍ୟ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି। ଆଜି ୪ ଦିନିଆ ରିମାଣ୍ଡ ଶେଷ ହେବା ପରେ ବିରଞ୍ଚିଙ୍କୁ କୋର୍ଟରେ ହାଜର ପରେ ଜେଲ୍ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର