ରେମୁଣା ମହୋତ୍ସବରେ ଉତ୍ତେଜନା, ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଆହତ

ପୁଲିସର ଲାଠିଚାର୍ଜ, ୧୪୪ ଧାରା ଜାରି

ବାଲେଶ୍ବର/ରେମୁଣା: ବାଲେଶ୍ବର ଜିଲ୍ଲା ରେମୁଣା ଥାନାଠାରୁ ଅଧାକିଲୋମିଟର ଦୂରରେ  ରେମୁଣା ମହୋତ୍ସବ ଚାଲିଥିବାବେ‌େଳ ଆଜି ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଗୋଷ୍ଠୀର ଯୁବକମାନେ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ ଓ ପ୍ରତି ଆକ୍ରମଣ କରିବାରୁ ଉଭୟ ଗୋଷ୍ଠୀରୁ ୫ ଜଣ ଆହତ ହୋଇଥିବା ବେଳେ ଏକାଧିକ ଗାଡ଼ି ଭଙ୍ଗାରୁଜା ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୁଲିସ୍‌ ଲାଠିଚାର୍ଜ କରିବା ସହ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରିଛି। ମାତ୍ର ଏହି ଖବର ଲେଖାଯିବା ବେଳକୁ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ବୁଧବାର ମଧ୍ୟ ରେମୁଣା ବଜାର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗତକାଲି ସନ୍ଧ୍ୟାରେ ଘଟିଥିବା ଏକ ମାରପିଟ୍‌କୁ କେନ୍ଦ୍ର କରି ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ରେମୁଣା ମହୋତ୍ସବ ହେଉଥିବା ଅଞ୍ଚଳ ରଣାଙ୍ଗନରେ ପରିଣତ ହୋଇଥିଲା।  ସ୍ଥାନୀୟ ଗନିପୁରର କିଛି ଯୁବକ ସେଠାରେ ସାଇକଲ ଓ ବାଇକ୍ ପାର୍କିଂ ଦାୟିତ୍ବ ନେଇଥିବା ବେଳେ ଗତକାଲି ସେଠାରେ ମନ୍ଦାରପୁର ଗ୍ରାମର କିଛି ପିଲାମାନଙ୍କ ସହ ପାଟିତୁଣ୍ଡ ଓ ମାରପିଟ୍‌ ହୋଇଥିଲା। ଏହାକୁ କେନ୍ଦ୍ରକରି ଆଜି ମନ୍ଦାରପୁରର କିଛି ଯୁବକ ସେଠାରେ ଜମା ହୋଇଥିଲେ। ‌ଅଳ୍ପ ସମୟ ଭିତରେ ଗନିପୁରର ସମ୍ପୃକ୍ତ ଯୁବକଙ୍କ ସହ ସେମାନଙ୍କର ପାଟିତୁଣ୍ଡ ଓ ମାରପିଟ୍‌  ଉଗ୍ରରୂପ ନେଇଥିଲା।   ଉଭୟ ପକ୍ଷ ଆଣିଥିବା ବିଭିନ୍ନ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ ପ୍ରତିଆକ୍ରମଣ କରିବାରୁ ମେଳାରେ ଆତଙ୍କ ଖେଳି ଯାଇଥିଲା।  ମହୋତ୍ସବକୁ ଆସିଥିବା ଲୋକମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ଫଳରେ ମହୋତ୍ସବରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅଧାରୁ ବନ୍ଦ କରି ଦିଆଯାଇଥିଲା। ଅନ୍ୟପକ୍ଷରେ ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷର ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ, ଆଜି ବନ୍ଦ ରହିବ ରେମୁଣା ବଜାର

ଏହାପରେ  ଗନିପୁରର ଶତାଧିକ ଲୋକ ବିଭିନ୍ନ ମାରଣାସ୍ତ୍ର ଧରି ବାସନ୍ତୀ ମାର୍କେଟ୍‌ ନିକଟରେ ଏକତ୍ରିତ ହୋଇଥିବା ବେଳେ ମନ୍ଦାରପୁର ଶତାଧିକ ଗ୍ରାମବା‌ସୀ ମଧ୍ୟ ବିଭିନ୍ନ ମାରଣାସ୍ତ୍ର ଧରି ମନ୍ଦିର ଛକ ନିକଟରେ ପହଞ୍ଚି ପରସ୍ପର ପୁଣି ମୁହାଁମୁହିଁ ହେବାକୁ ଯାଉଥିଲେ। ଏତିକିବେଳେ ପୁଲିସ୍‌ ଫୋର୍ସ ସେଠା‌େର ପହଞ୍ଚି ଉଭୟ ପକ୍ଷକୁ ଘଉଡ଼ାଇବା ପାଇଁ ମୃଦୁ ଲାଠି ଚାଳନା କରିଥିଲା। ଘଟଣାସ୍ଥଳରେ ବାଲେଶ୍ବର ଅତିରିକ୍ତ ଏସ୍‌ପିଙ୍କ ସମେତ ନୀଳଗିରି ଏସ୍‌ଡିପିଓ, କ୍ରାଇମ୍‌ ଡିଏସ୍‌ପି, ରେମୁଣା ଥାନା, ଶିଳ୍ପାଞ୍ଚଳ ଥାନା ଓ ଟ୍ରାଫିକ୍‌ ଥାନା ଅଧିକାରୀଙ୍କ ସମେତ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇ ପରିସ୍ଥିତି ନିୟନ୍ତ୍ରଣକୁ ଅଣାଯାଇଛି। ତେବେ ଗ‌ଣ୍ଡଗୋଳ ହୋଇଥିବା ଉଭୟ ଗ୍ରାମର ଦୁଇଗୋଷ୍ଠୀ ଭିନ୍ନ ସମ୍ପ୍ରଦାୟର ହୋଇଥିବା ଯୋଗୁଁ ଆଇନ୍‌ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର