ମାର୍ଚ୍ଚ ୨୦ରୁ ଏପ୍ରିଲ ୧ ଯାଏଁ ଶ୍ରୀମନ୍ଦିର ସମେତ ସମସ୍ତ ମନ୍ଦିର,ମସଜିଦ ଓ ଗୀର୍ଜାକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନରେ ଆସନ୍ତାକାଲିଠାରୁ ଏପ୍ରିଲ ୧ ତାରିଖ ଯାଏଁ ଜନସାଧାରଣଙ୍କ ଦର୍ଶନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର |  କେବଳ ମନ୍ଦିର ନୁହେଁ, ମସଜିଦ୍, ଗୀର୍ଜା ଓ ଗରୁଦ୍ବାରା ଏବଂ ଅନ୍ୟ ଧର୍ମସ୍ଥଳୀରେ ମଧ୍ୟ ଏହି କଟକଣା ଜାରି ହୋଇଛି।  ଏହି ସମୟରେ ଜନସାଧାରଣ ସେମାନଙ୍କ ଇଷ୍ଟଦେବଙ୍କ ଦର୍ଶନ କରିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି | ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି।  ତେବେ ଏହି କଟକଣା ସମୟରେ ପୂର୍ବପରି ଧର୍ମାନୁଷ୍ଠାନଗୁଡ଼ିକର ସମସ୍ତ ନୀତିକାନ୍ତି ଚାଲିବ ବୋଲି ସୁବ୍ରତ ବାଗଚୀ ସ୍ପଷ୍ଟ କରିଛନ୍ତି |

ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଆଜି ଏକ ନିର୍ଦ୍ଦେଶନାମା ଜାରି କରି ଶ୍ରୀମନ୍ଦିରରେ ମାର୍ଚ୍ଚ ୨୦ ତାରିଖରୁ ଏପ୍ରିଲ ୧ ତାରିଖ ଯାଏଁ ସମସ୍ତ ପର୍ଯ୍ୟଟକ ଏବଂ ଭକ୍ତଙ୍କ ଦର୍ଶନକୁ ନିଷିଦ୍ଧ କରିଥିଲେ | କିନ୍ତୁ ପୂର୍ବଭଳି ମହାପ୍ରଭୁଙ୍କ ନୀତିକାନ୍ତି ଜାରି ରହିବ ବୋଲି ସ୍ପଷ୍ଟ କରିଥିଲେ | ସେବାୟତମାନେ ବଡ଼ ଦେଉଳରେ ବଡ ଠାକୁରଙ୍କ ସେବା କରିବେ ।

କିନ୍ତୁ କରୋନା ଭୂତାଣୁଠାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଥିଲା | ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି କେବଳ ପୁରୀ ନୁହେଁ ବରଂ ସାରା ରାଜ୍ୟରେ ଥିବା ଧର୍ମାନୁଷ୍ଠାନ ଭକ୍ତଙ୍କ ଦର୍ଶନ ଉପରେ ସରକାର କଟକଣା ଲଗାଇଛନ୍ତି |

ସମ୍ବନ୍ଧିତ ଖବର