ମରୁଡ଼ି ପରିସ୍ଥିତି ନେଇ ବିଧାନସଭାରେ ଉଦ୍‌ବେଗ; ରାଜସ୍ୱ ମନ୍ତ୍ରୀ ଆସନ୍ତାକାଲି ବିବୃତି ଦେବେ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଦେଖା ଦେଇଥିବାରୁ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ଆଜି ବିଧାନସଭାରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା। ମରୁଡ଼ି ପରିସ୍ଥିତି ସଂକ୍ରାନ୍ତରେ ଗୃହରେ ଆସନ୍ତାକାଲି ଏକ ବିବୃତି ଦେବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତ୍‌ଥାପନ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ରାଜ୍ୟରେ ବର୍ଷା ଅଭାବରୁ ମରୁଡ଼ିର ପଦଧ୍ୱନି ଦେଖା ଦେଇଛି। ବର୍ଷା ଅଭାବରୁ ଗଜା ମରୁଡ଼ି ହେଲାଣି। ବର୍ଷା ନ ଥିବାରୁ ଆଜି ପର୍ଯ୍ୟନ୍ତ ତଳିରୁଆ ହୋଇପାରିନାହିଁ।

ଗତ କିଛି ଦିନ ତଳେ ବାଚସ୍ପତିଙ୍କ ନିର୍ଦ୍ଦେଶରେ ରାଜସ୍ୱ ମନ୍ତ୍ରୀ ସେତେବେଳେକାର ସ୍ଥିତି ଅନୁଯାୟୀ ଗୃହରେ ଏକ ବିବୃତି ଦେଇଥିଲେ। ଏବେ ପରିସ୍ଥିତି ସାନି ଅନୁଧ୍ୟାନ କରି କେଉଁ ଜିଲ୍ଲାରେ କେତେ ବୃଷ୍ଟିପାତ ହୋଇଛି,କେଉଁଠି ମରୁଡ଼ି ପରିସ୍ଥିତି ଦେଖାଦେଇଛି ଏବଂ ସରକାରଙ୍କ ପକ୍ଷରୁ ମରୁଡ଼ିର ମୁକାବିଲା ପାଇଁ କି କି ପଦକ୍ଷେପ ନିଆଯାଇଛି,ସେ ସଂପର୍କରେ ଗୃହରେ ଏକ ବିବୃତି ଦେବାକୁ ରାଜସ୍ୱ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ସେ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟରେ ମରୁଡ଼ିର ପଦଧ୍ୱନି ଦେଇଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ।‘ସମ୍ବାଦ’ରେ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ସାରା ରାଜ୍ୟରେ ବର୍ଷା ଅଭାବରୁ ଜଳସଙ୍କଟ ଦେଖା ଦେଇଛି। ହୀରାକୁଦ ଜଳ ଭଣ୍ଡାରରେ ଜଳପତ୍ତନ କମ୍‌ ଥିବାରୁ ଜଳ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ହେବାକୁ ବସିଛି। ବର୍ଷା ଅଭାବରୁ ଭୂତଳ ଜଳ ସ୍ତର ମଧ୍ୟ ହ୍ରାସ ପାଇଛି। କେନାଲ, ଚେକ୍‌ଡ୍ୟାମ୍‌ ଓ ମେଗା ଉପ ଜଳସେଚନ ପଏଣ୍ଟରେ ମଧ୍ୟ ଜଳ ନାହିଁ। ତେଣୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଲାଣି। ଚାଷୀ ଆତ୍ମହତ୍ୟା କରୁଛନ୍ତି। ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ସରକାର ସମୟୋପଯୋଗୀ ପଦକ୍ଷେପ ନ ନେଲେ ପରିସ୍ଥିତି ଭୟାବହ ହେବ ବୋଲି ସେ ଚେତାଇ ଦେବା ସଂଗେ ସଂଗେ ରାଜସ୍ୱ ମନ୍ତ୍ରୀ ଗୃହରେ ବିବୃତି ଦେବା ପାଇଁ ଶ୍ରୀ ମିଶ୍ର ଦାବି କରିଥିଲେ।

ଗୃହରେ ଉଦ୍‌ବେଗକୁ ଲକ୍ଷ୍ୟ କରି ବାଚସ୍ପତି ଶ୍ରୀ ପାତ୍ର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଆସନ୍ତାକାଲି ସୁଦ୍ଧା ଏକ ବିବୃତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର