ଧାନ ଓ ଅଣଧାନ ଫସଲ ୨୨୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଛୁଇଁବ

ରେକର୍ଡ ପରିମାଣର ଶସ୍ୟ ଉତ୍ପାଦନ ନେଇ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ବର : ଡାଲି, ତୈଳବୀଜ, କପା, ଝୋଟ ଓ ପନିପରିବା ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭରଶୀଳ ହେବ। ଏସବୁ ଖାଦ୍ୟଶସ୍ୟ ପାଇଁ ଆଉ ବାହାର ରାଜ୍ୟ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିବନି। ଏହି ଲକ୍ଷ୍ୟ ନେଇ ଚଳିତ ବର୍ଷ ରାଜ୍ୟ ସରକାର ଅଣଧାନ ଫସଲ ଚାଷକୁ ଅଧିକ ଗୁରୁତ୍ବ ଦେଇଛନ୍ତି। କରୋନା ମହାମାରୀ ଦ୍ବିତୀୟ ଲହରୀ ଚାରିଆଡ଼େ ଆତଙ୍କ ସୃଷ୍ଟି କରିଥିବାବେଳେ ଚାଷୀମାନଙ୍କୁ ଗତବର୍ଷ ପରି ବିହନ ଓ ସାର ଯୋଗାଇ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ସରକାର ଯୋଜନା କରିଛନ୍ତି। ୨୦୨୧ ଖରିଫ ଋତୁରେ ଧାନ ଓ ଅଣଧାନ ଫସଲ ମିଶି ମୋଟ ୨୨୨.୯୨ ଲକ୍ଷ ମେଟ୍ରିକ୍‌ ଶସ୍ୟ ଉତ୍ପାଦନ ହେବ ବୋଲି କୃଷି ବିଭାଗ ହିସାବ ଲଗାଇଛି।

ପବିତ୍ର ଅକ୍ଷୟତୃତୀୟାଠାରୁ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। କୃଷି ବିଭାଗର ତଥ୍ୟ ଅନୁଯାୟୀ ଗତବର୍ଷ ୬୧ ଲକ୍ଷ ୬୧ ହଜାର ହେକ୍ଟର ପରିମିତ ଜମିରେ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। କିନ୍ତୁ ଏ ବର୍ଷ ୬୨ ଲକ୍ଷ ୧୭ ହଜାର ହେକ୍ଟର ପରିମିତ ଜମିରେ ଚାଷ କାର୍ଯ୍ୟ କରାଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଧାନ ଫସଲର ଉପରୁ ଚାଷୀମାନଙ୍କ ଦୃଷ୍ଟି ହଟାଇ ଅଣଧାନ ଫସଲ ଉପରେ ଅଧିକ ଜୋର ଦେବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଫଳରେ ୨୦୨୦ରେ ୩୬ ଲକ୍ଷ ୫୦ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା। ଯାହାକି ଚଳିତ ବର୍ଷ ଏହାକୁ କମାଇ ୩୫ ଲକ୍ଷ ହେକ୍ଟରରେ ସୀମିତ ରଖାଯାଇଛି। ଆଉ ଖରିଫ ଧାନ ଉତ୍ପାଦନ ଲକ୍ଷ୍ୟ ରହିଛି ୧୨୮.୮୫ ଲକ୍ଷ ମେଟ୍ରିକ୍‌ ଟନ୍‌।

ଅନ୍ୟପଟେ ଅଣଧାନ ଫସଲ ପାଇଁ ଅଧିକ ଜମି ଉପଯୋଗ ପାଇଁ ସରକାର ସ୍ଥିର କରିଛନ୍ତି। ହିସାବ ଦେଖିଲେ ଗତ ବର୍ଷ ଡାଲିଜାତୀୟ ଫସଲ ୬ ଲକ୍ଷ ୨୨ ହଜାର ହେକ୍ଟର ଜମିରେ କରାଯାଇଥିଲା। ଏ ବର୍ଷ ୮ ଲକ୍ଷ ୩୫ ହଜାର ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ କରାଯାଇ ୫ ଲକ୍ଷ ୩୫ ହଜାର ମେଟ୍ରିକ୍‌ ଟନ୍‌ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ତୈଳବୀଜ ଉତ୍ପାଦନକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଗତ ବର୍ଷ ୨ ଲକ୍ଷ ୩୫ ହଜାର ହେକ୍ଟର ଜମିରେ ତୈଳବୀଜ ଚାଷ ହୋଇଥିବା ବେଳେ ଚଳିତ ଖରିଫ୍‌ରେ ୩ ଲକ୍ଷ ୮୨ ହଜାର ହେକ୍ଟର ଜମି ବ୍ୟବହାର କରି ୩ ଲକ୍ଷ ୧ ହଜାର ମେଟ୍ରିକ୍‌ ଟନ୍‌ ତୈଳବୀଜ ଉତ୍ପାଦନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୨୦ରେ କପା ଓ ଝୋଟ ଚାଷ ୧ ଲକ୍ଷ ୮୫ ହଜାର ହେକ୍ଟର ଜମିରେ ହୋଇଥିଲା। କିନ୍ତୁ ଏଥର ୨ ଲକ୍ଷ ୧୭ ହଜାର ହେକ୍ଟର ଜମିରୁ ୮ ଲକ୍ଷ ୧୨ ହଜାର ମେଟ୍ରିକ୍‌ ଟନ୍‌ ଉତ୍ପାଦନ ଲକ୍ଷ୍ୟ ରହିଛି। ପନିପରିବା ଉତ୍ପାଦନ ମଧ୍ୟ ବୃଦ୍ଧି କରାଯିବ। ଏଥି ପାଇଁ ୫ ଲକ୍ଷ ୮୭ ହଜାର ହେକ୍ଟର ଜମି ଉପଯୋଗ କରାଯିବ। ଆଉ ଉତ୍ପାଦନ ହେବ ୭୨ ଲକ୍ଷ ୨୧ ହଜାର ମେଟ୍ରିକ୍‌ ଟନ୍‌ ପନିପରିବା। ରାଜ୍ୟ ବିହନ ନିଗମ ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ମିଶ୍ର କହିଛନ୍ତି, ୨୦୨୧ ଖରିଫ ବର୍ଷରେ ସବୁ ଜିଲ୍ଲା ପାଇଁ ମୋଟ ୫ ଲକ୍ଷ ୪୧ ହଜାର ୭୦୧ କ୍ବିଣ୍ଟାଲ ପ୍ରାମାଣିକ ଧାନ ବିହନ ଆବଶ୍ୟକ। ନିଗମ ପାଖରେ ୩ ଲକ୍ଷ ୯୫ ହଜାର ୧୪୭ କ୍ବିଣ୍ଟାଲ ବିହନ ଗଚ୍ଛିତ ରହିଛି। ସେଥିରୁ ଆଜି ସୁଦ୍ଧା ଡିଲର, ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପ୍‌ସ୍‌ମାନଙ୍କ ଜରିଆରେ ୧ ଲକ୍ଷ ୭୦ ହଜାର କ୍ବିଣ୍ଟାଲ ଧାନ ବିହନ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି। କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଜଣାଇଛନ୍ତି, ଚଳିତ ଖରିଫ ଋତୁ ପାଇଁ ୟୁରିଆ, ଡିଏପି, ଏମ୍‌ଓପି, ଏନ୍‌ପିକେଏସ୍‌ ଓ ଏସ୍‌ଏସ୍‌ପି ସାର ମିଶି ଭାରତ ସରକାର ରାଜ୍ୟକୁ ୯ ଲକ୍ଷ ୧୫ ହଜାର ମେଟ୍ରିକ୍‌ ଟନ୍‌ ଆବଣ୍ଟନ କରିଛନ୍ତି। ସେଥିରୁ ଏପ୍ରିଲ ଓ ମେ ମାସରେ ୧ ଲକ୍ଷ ୩୬ ହଜାର ମେଟ୍ରିକ୍‌ ଟନ୍‌ ଆସିଛି। ପୂର୍ବରୁ ଗଚ୍ଛିତ ଥିବା ସାରକୁ ମିଶାଇ ଏବେ ସୁଦ୍ଧା ଚାଷୀମାନଙ୍କୁ ୩ ଲକ୍ଷ ୪୩ ହଜାର ୫୧୫ ମେଟ୍ରିକ୍‌ ଟନ୍‌ ସାର ଯୋଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର