ଚାଉଳ ପ୍ରସଙ୍ଗ ଦିଲ୍ଲୀରେ ପହଞ୍ଚିଲା

ଭିଡ଼ିଓ କନଫରେନ୍ସରେ କେନ୍ଦ୍ରମନ୍ତ୍ରୀ-ବିଜେଡି ସାଂସଦ ଆଲୋଚନା
ଖୁବ୍ ଶୀଘ୍ର କେନ୍ଦ୍ର ଦେବେ ସରକାର ବକେୟା ସବ୍‌ସିଡି
ଚାଉଳ ସଂଗ୍ରହ ଜାରି ରହିବ, ଫେବ୍ରୁଆରିରେ ଆଲୋଚନା

ଭୁବନେଶ୍ବର : ଚାଉଳ ରାଜନୀତି ପ୍ରସଙ୍ଗ ଆଜି ନୂଆଦିଲ୍ଲୀରେ ପହଞ୍ଚିଛି। ବିଜେଡି ସାଂସଦମାନେ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଆପତ୍ତି ଜଣାଇଥିଲେ ଯେ ଉଷୁନା ଚାଉଳ ସଂକ୍ରାନ୍ତରେ ଏଫ୍‌ସିଆଇ ତାର ନିଷ୍ପତ୍ତି ପରିବର୍ତ୍ତନ କରୁ ଓ ବକେୟା ସବ୍‌ସିଡ୍ ଅର୍ଥ ତୁରନ୍ତ ପ୍ରଦାନ କରାଯାଉ। ଆଲୋଚନା ପରେ ବିେଜଡି ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରମନ୍ତ୍ରୀ ଏହି ସମସ୍ୟାର ସମାଧାନ ଖୁବ୍ ଶୀଘ୍ର ହେବ ବୋଲି ପ୍ରତିଶ୍ରୁତି େଦଇଛନ୍ତି।

ଲୋକସଭା ଓ ରାଜ୍ୟସଭାର ବିେଜଡି ସଂସଦୀୟ ପ୍ରତିନିଧି ଦଳ ଆଜି ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଲୋକସଭା ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ କହିଥିଲେ ଯେ ବାକି ପଡ଼ିଥିବା ୬୦୩୯ କୋଟି ଟଙ୍କାର ସବ୍‌ସିଡି ଅର୍ଥ ତୁରନ୍ତ ଓଡ଼ିଶାକୁ ମିଳିବା ଦରକାର। କେନ୍ଦ୍ରମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବା ଲାଗି ଉପସ୍ଥିତ ଥିବା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ପରେ ବିଜେଡି ପ୍ରତିନିଧି ଦଳ କହିଥିଲେ ଯେ ନିକଟରେ ଏଫ୍‌ସିଆଇ ଉଷୁନା ଚାଉଳ ଉଠାଇବ ନାହିଁ ବୋଲି ପତ୍ର ଲେଖିଛି। ଏମିତି ହେଲେ, ଓଡିଶାରେ ୭୩୫୦ କୋଟି ଟଙ୍କାର ପ୍ରାୟ ୩୦ଲକ୍ଷ ମେଟ୍ରିକ ଟନ୍ ଚାଉଳ ରହିଯିବ। କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ଏଫ୍‌ସିଆଇ ପତ୍ର ଲେଖିଥିଲେ ମଧ୍ୟ ଓଡିଶାରୁ ଚାଉଳ ସଂଗ୍ରହକୁ ତୁରନ୍ତ ବନ୍ଦ କରାଯିବ ନାହିଁ। ରବି ଋତୁ ପାଇଁ ଆସନ୍ତା ପେବ୍ରୁଆରି ମଧ୍ୟଭାଗରେ ଏଫ୍‌ସିଆଇ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବୈଠକ ବସି ସମାଧାନର ସୂତ୍ର ବାହାର କରାଯିବ।

ଆଲୋଚନା ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହିତ ଦୁଇଟି ଯାକ ସମସ୍ୟାର ସମାଧାନର ପାଇଁ ସମସ୍ତ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ବିଜେଡି ସଂସଦୀୟ ଦଳ ପକ୍ଷରୁ ସାଂସଦ ଶ୍ରୀ ମିଶ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଆଲୋଚନାରେ ସାଂସଦ ଚନ୍ଦ୍ରଶେଖର ସାହୁ, ଏନ୍.ଭାସ୍କର ରାଓ, ଶର୍ମିଷ୍ଠା ସେଠୀ, ଅନୁଭବ ମହାନ୍ତି ଏବଂ ଡକ୍ଟର ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର