କ‌ରୋନା ଆଳରେ ଶ୍ରୀମନ୍ଦିର ପରମ୍ପରା ଭୂଲୁଣ୍ଠିତ, ଗଜପତିଙ୍କୁ କ୍ଷୋଭ ଜଣାଇଲେ ବଡଠାକୁରଙ୍କ ବାଡଗ୍ରାହୀ

ସ୍ନାନଯାତ୍ରା, ରଥଯାତ୍ରା ପରମ୍ପରା ମୁତାବକ ହେଉ

ପୁରୀ : କରୋନା ମହାମାରୀକୁ ଆଳ କରି ଶ୍ରୀମନ୍ଦିରରେ ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ମହାପ୍ରଭୁଙ୍କ ପ୍ରାଚୀନତମ ପରମ୍ପରା, ରୀତିନୀତି, ବିଧି ଓ ମର୍ଯ୍ୟାଦାକୁ ମାଟିରେ ମିଶାଇ ‌ଦିଆଯାଉଥିବାରୁ ବଳଭଦ୍ର ତଥା ବଡ଼ ଡାକୁରଙ୍କ ବାଡଗ୍ରାହୀ ହଳଧର ଦାଶମହାପାତ୍ର ଗଜପତି ମହାରାଜାଙ୍କୁ ତାଙ୍କର କ୍ଷୋଭ ଜଣାଇଛନ୍ତି। ‌ବିକଳ୍ପ ବିଧିର ଅର୍ଥ ସ୍ଥାନ ପରିବର୍ତ୍ତନ ନୁହେଁ ବୋଲି ସେ ଅତୀତର ବହୁ ଉଦାହରଣ ଦେଇ ବାଖ୍ୟା କରିଛନ୍ତି। ଅକ୍ଷୟ ତୃତୀୟ ଠାରୁ ଆଜି ପର୍ଯ୍ୟନ୍ତ ପରମ୍ପରା‌ରେ ଯେଉଁ ବ୍ୟତିକ୍ରମ ଦେଖାଦେଇଛି ତାହା ଶାସ୍ତ୍ରାନୁମୋଦିତ ନୁହେଁ। ତେଣୁ ଆସନ୍ତା ଜୁନ ୫ ତାରିଖରେ ପଡ଼ୁଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୨୩ରେ ପଡ଼ୁଥିବା ମହାପ୍ରଭୁଙ୍କ ରଥଯାତ୍ରା ପରମ୍ପରା ବିଧିବିଧାନରେ ହେଉ। ଏଥିରେ ପରମ୍ପରା ଓ ସ୍ଥାନର ବ୍ୟତିକ୍ରମ କରାନଯାଉ। ମହାପ୍ରଭୁଙ୍କ ରଥଯାତ୍ରା ପରମ୍ପରା ମୁଖ ନିଶୃତ ବାଣୀ ହୋଇଥିବାରୁ ଏହାର ରକ୍ଷା କରାଯାଉ ବୋଲି ଗଜପତିଙ୍କୁ ଶ୍ରୀ ଦାସମହପାତ୍ର ନିବେଦନ କରିଛନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ବିଧିରେ ହେଲେ ବିଶ୍ବର କଲ୍ୟାଣ ହେବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ବାଡଗ୍ରାହୀ ଶ୍ରୀ ଦାସମହାପାତ୍ର କହିଛନ୍ତି, ଗତ କିଛି ଦିନ ହେବ ମହାପ୍ରଭୁଙ୍କ ପରମ୍ପରା‌ରେ ବ୍ୟତିକ୍ରମ କରାଯାଉଛି। ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଓ ରଥକାଠ ଅନୁକୂଳ ଦିନରୁ ପରମ୍ପରା ବ୍ୟତିକ୍ରମ ଦେଖାଦେଇଛି। ପରମ୍ପରା ମୁତାବକ ବାହାର ଓ ଭିତର ଚନ୍ଦନ ଯାତ୍ରା ଉତ୍ସବ ପାଇଁ ଅଧିବାସ ହୋଇଥିବ‌ା ଚନ୍ଦନ ଅକ୍ଷୟ ତୃତୀୟା ଦିବସରେ ପ୍ରଥମେ ଅନୁକୂଳ ‌ହୋଇ ଲାଗି ‌ହୋଇଥା‌ଏ। ଚନ୍ଦନ ଲାଗି ସରିବ‌ା ପରେ ପ୍ରଭୁ ବାହାର ଚନ୍ଦନଯାତ୍ରାକୁ ଯାତ ଭୋଗ ପରେ ମଣିବିମାନରେ ମହାପ୍ରଭୁ ତାରକବ୍ରହ୍ମ ମଦନମୋହନ, ଭୁଦେବୀ, ଶ୍ରୀଦେବୀ ବିଜେ ହୋଇଥାନ୍ତି। ଆଗ ପାଲିଙ୍କିରେ ବଳଭଦ୍ରଙ୍କ ପ୍ରତିନିଧି ରାମକୃଷ୍ଣ,ବିଜେ ହୋଇଥାନ୍ତି ଏବଂ ସାଥୀରେ ପଞ୍ଚଶଖା ପଞ୍ଚୁପାଣ୍ଡବ ପାଞ୍ଚଟି ବିମାନରେ ବିଜେ ହୋଇଥାନ୍ତି। ମହାପ୍ରଭୁଙ୍କ ସହିତ ପଟୁଆରେ ପହଞ୍ଚି ରଥଖଳାରେ ରଥ ଅନୁକୂଳ ପାଇଁ ସମୂହ ଉପସ୍ଥିତ ହୁଅନ୍ତି।

ପୁଜାପଣ୍ଡାମାନେ ପାଇଥିବା ତିନୋଟି ଆଜ୍ଞାମାଳ ତିନି ରଥର ତିନି ଧଉରା କାଠରେ ଲାଗିକରନ୍ତି। ମହାପ୍ରଭୁ ଆଜ୍ଞାମାଳ ଦେଇ ସାରିଲା ପରେ ଚନନ୍ଦଯାତ୍ରା ଅଭିମୁଖେ ଆଗମନ କରନ୍ତି। ଏହି ପ୍ରାଚୀନ ପୁରାତନ ପରମ୍ପରା ଯୁଗଯୁଗ ଧରି ଚାଲିଆସୁଥିଲା। ମାତ୍ର ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ ହୋଇଛି। ଏହି ମହାନ ପରମ୍ପରାକୁ ଭାଂଗି ଦିଆଯାଇଛି। ଶାସ୍ତ୍ର ଆଧାରରେ ରଥଖଳାରେ କରାନଯାଇ ଏହାକୁ କିଭଳି ଶ୍ରୀମନ୍ଦିର ଭିତରେ କରାଗଲା ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। କେଉଁ ପରମ୍ପରା‌ ଆଧାରରେ ଆନନ୍ଦ ବଜାରେ ତିନି ରଥ କାଠ ରଖାଯାଇ ମହାପ୍ରଭୁ ଉପସ୍ଥିତ ନ ହୋଇ ପୂଜାପଣ୍ଡାମାନଙ୍କ ଦ୍ବାରା ଆଜ୍ଞାମାଳ ଲାଗି କରାଗଲା ସେ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ହୋଇପାରିଲା ନାହିଁ। ଭଉଁରୀ ଯାତ୍ରାରେ ଚାପ ନ‌ରେନ୍ଦ୍ରରେ ୨୧ ଘେରା ବୁଲିଥାଏ, ତହା ମନ୍ଦିର ଭିତରେ କି ଭଳି ଘୁରିବ ବୋଲି ସେ କହିଛନ୍ତି। ରଥ ଚକରେ ତିନି ଆଜ୍ଞ‌ାମାଳ କିଭଳି ଦିଆଯିବ। ଉପଯୁକ୍ତ ସ୍ଥାନ, ଦ୍ରବ୍ୟ ଓ ସମୟ ଛାଡ଼ି ମହାପ୍ରଭୁଙ୍କ ପରମ୍ପରା ଅନ୍ୟ ସ୍ଥାନରେ ହୋଇପାରିବ ନାହିଁ। ଯଦି ଆକସ୍ମିକ ଦୈବୀ ଦୁର୍ଘଟଣା ହୁଏ ତେବେ ସ୍ଥାନ ପରିବର୍ତ୍ତନ ନ କରି ବିଧି ରକ୍ଷା ନେଇ ଅନେକ ଉଦାହରଣ ରହିଛି।

ବାଡ଼ଗ୍ରାହୀ ଶ୍ରୀ ଦାସମହାପାତ୍ର ଉଦାହରଣ ଦେଇ କହିଛନ୍ତି, ନରେନ୍ଦ୍ରରେ ଝଡ଼ ତୋଫାନ ‌ଯୋଗୁଁ ଚାପ ଓଲଟି ପଡିଥିଲା। ପରେ ସେହି ସ୍ଥାନରେ ବିକଳ୍ପ ବିଧି ବିଧାନ ହୋଇଥିଲା। ୧୯୭୭ରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ୭ ଚକା ଭାଙ୍ଗିଯାଇଥିଲା। ବିକଳ୍ପ ପାଇଁ ରଥ ରହି ଚକ ତିଆରି ହୋଇଥିଲା। ଦୁଇଦିନ ପରେ ରଥ ଗଡ଼ିଲା। ଅର୍ଥାତ ନିର୍ଦିଷ୍ଟ ସ୍ଥାନରେ ହିଁ କେବଳ ବିକଳ୍ପ କଥା ଚିନ୍ତା କରାଗଲା। ମହାପ୍ରଭୁଙ୍କ ପରମ୍ପରାରେ ସ୍ଥାନ ପରିବର୍ତ୍ତନ ହୋଇପାରିବ ନାହିଁ। ମନ୍ଦିର ଭିତରେ ରହି ଚନ୍ଦନଯାତ୍ରା ପାଇଁ ହେଉଥିବା ମାଣ୍ଡୁଅ ଶ୍ରୀମନ୍ଦିର ମଧ୍ୟରେ ତିଆରି କରା‌ଯାଇ ଚନ୍ଦନଯାତ୍ରା ଉଦ୍ଦେଶ୍ୟରେ ଯେଉଁ ଅର୍ପଣ କରାଗଲା ତାହା କେଉଁ ଶାସ୍ତ୍ରରେ ଉ‌ଲ୍ଲେଖ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଥା ସମୟରେ କାମ ଆରମ୍ଭ କରିଥିଲେ ଓ ନୀତି ନିର୍ଘଣ୍ଟ ହୋଇଥିଲେ ଏଭଳି ସମସ୍ୟା ହୋଇନଥାନ୍ତା। ବିଶେଷ କରି ଅକ୍ଷୟ ତୃତୀୟା ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଥିଲେ ସେ ଭଳି କିଛି ସମସ୍ୟା ହୋଇ ନଥାନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର