ବେଆଇନ୍ ବାଲି ଚାଲାଣ ଯୋଗୁଁ ରାସ୍ତାଘାଟ ଶୋଚନୀୟ; ବଢୁଛି ଅସନ୍ତୋଷ, ଆନ୍ଦୋଳନ କରିବାକୁ ଗ୍ରାମବାସୀଙ୍କ ଚେତାବନୀ

ଯାଜପୁର : ବ୍ୟାସନଗର ତହସିଲ ପକ୍ଷରୁ ନିଲାମ ହୋଇଥିବା ବୈତରଣୀ ନଦୀର ବାଲିଘାଟ ଗୁଡ଼ିକରୁ ବେଆଇନ ଭାବେ ଶହ ଶହ ହାଇୱାରେ ଓଭରଲୋଡ଼ ଓଦାବାଲି ପରିବହନ ଯୋଗୁଁ ଗ୍ରାମ୍ୟ ରାସ୍ତା ଭାଙ୍ଗିରୁଜି ଯାଇଥିବାରୁ ଗ୍ରାମବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଯାହାକୁ ନେଇ ବୈତରଣୀ ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ସଚିବ, ଜିଲ୍ଲାପାଳ, ତହସିଲଦାର ଓ ଥାନାରେ ଅଭିଯୋଗ କରିଛନ୍ତି।

ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବୈତରଣୀ ନଦୀର ନୟାହାଟପାଟଣା, ନିସଙ୍ଗପୁର ଓ ସାଳବାଘାଟ ରୁ ନିୟମିତ ବେଆଇନ ଭାବେ ହାଇୱାରେ ଓଭରଲୋଡ଼ ଓଦାବାଲି ପରିବହନ ହେବା ଯୋଗୁ ରାସ୍ତାଘାଟ ଭାଙ୍ଗିଯିବା ସହିତ ଲଗାତର ଦୁର୍ଘଟଣା ଘଟି ଲୋକ ଓ ଗୃହପାଳିତ ପ୍ରାଣୀଙ୍କର ମୃତ୍ୟୁ ଘଟୁଛି। ମେସିନରେ ବାଲି ଲୋଡ଼ ସାଙ୍ଗକୁ ବେଆଇନ ଗାଡ଼ିରେ ବାଲି ପରିବହନ କରାଯାଉଛି। ଏଥି ନେଇ ବାରମ୍ବାର ଅଭିଯୋଗ କରିବା ସ‌ତ୍ତ୍ବେ ପ୍ରଶାସନ ଧ୍ୟାନ ଦେଉନାହିଁ। ଫଳରେ ବେଆଇନ ବାଲି ପରିବହନ ଯୋଗୁଁ ମୂଳାପାଳ ପଞ୍ଚାୟତର ସାଳବା, ବଗିରିଆ, ସୋଲପଟା, ମୁକୁନ୍ଦପୁର ପଞ୍ଚାୟତର ମୁକୁନ୍ଦପୁର ଓ ମଥୁରାପୁର ଗ୍ରାମବାସୀ ଯାତାୟାତରେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହି ବେଆଇନ ବାଲି ପରିବହନକୁ ତୁରନ୍ତ ବନ୍ଦ କରାଯାଉ। ନଚେତ ଗ୍ରାମବାସୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ବୈତରଣୀ ଆଞ୍ଚଳିକ ଉନ୍ନୟନ ପରିଷଦ ର ଉପସଭାପତି ସନାତନ ବିଶ୍ବାଳ ଓ ବଲ୍ଲଭାନନ୍ଦ ପଣ୍ଡା, ସମ୍ପାଦକ ମନୋରଞ୍ଜନ ନାୟକ, ବ୍ରଜ କିଶୋର ମିଶ୍ର, ମହେନ୍ଦ୍ର କୁମାର ବେହେରା, ନାରାୟଣ ଚନ୍ଦ୍ର ପତ୍ରି ଓ ଗୋପନ କିଶୋର ଜେନା ପ୍ରମୁଖ କର୍ମକର୍ତ୍ତା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର