୫ ଟଙ୍କାରେ ଆଉ ମିଳିବନି ରସଗୋଲା ଓ ଛେନା ଗଜା

ବାରିପଦା: କ୍ଷୀର ଦର ବଢିଲା। ଆଉ ସପ୍ତାହ ମଧ୍ୟରେ ଛେନା ଦର ମଧ୍ୟ ବଢିବାକୁ ଯାଉଛି। ଏଥି ଯୋଗୁ ବାରିପଦା ସହରରେ ଆଉ ମିଳିବନି ୫ ଟଙ୍କିଆ ମିଠା। କ୍ଷୀର ଓ ଛେନା ଦର ବୃଦ୍ଧିକୁ ନେଇ ମିଠା ବ୍ୟବସାୟୀମାନେ ଦର ବଢାଇବାକୁ ନିଷ୍ପତ୍ତି ନେଇସାରିଛନ୍ତି। କିଛି ଦିନ ଭିତରେ ମିଠା ବଜାରରେ ନୂଆ ମୂଲ୍ୟ ଧାର୍ଯ୍ୟ ହେବ। ତେଣୁ ମିଠା ମୂଲ୍ୟ ଅତିକମ୍‌ରେ ୧୦ଟଙ୍କାରୁ ଆରମ୍ଭ ହେବ ବୋଲି ଜଣାପଡିଛି। ବାରିପଦା ସହରରେ ୫୦ରୁ ଅଧିକ ମିଠା ଦୋକାନ ରହିଛି। ସହରରେ ଏବେ ବି ସବୁ ମିଠା ଦୋକାନରେ ୫ ଟଙ୍କିଆ ରସଗୋଲା ଓ ଛେନାଗଜା ଆଦି ମିଳୁଛି।

କିନ୍ତୁ ଆଉ କିଛି ଦିନ ପରେ ଆଉ ୫ ଟଙ୍କିଆ ମିଠା ମିଳିବା ବନ୍ଦ ହୋଇଯିବ। ବିଭିନ୍ନ କାରଣ ଦର୍ଶାଇ ନିକଟରେ କ୍ଷୀର ମୂଲ୍ୟ ବୃଦ୍ଧି ପାଇଛି। ଓମ୍‌ଫେଡର୍‌ ୨ ଟଙ୍କା ବଢିଥିବା ବେଳେ ପ୍ରଗତି, ମିଲ୍‌କ ମୁ ଆଦି କ୍ଷୀରର ଦର ମଧ୍ୟ ବଢିଛି। ଏହାକୁ ନେଇ କ୍ଷୀର ଜାତୀୟ ଦ୍ରବ୍ୟ ବିକ୍ରି କରୁଥିବା ବ୍ୟବସାୟୀ ଚିନ୍ତାରେ ପଡିଛନ୍ତି। ମିଠା ପାଇଁ ଆସୁଥିବା ଛେନା କିଲୋ ପ୍ରାୟ ୧୮୦ରୁ ୨୦୦ ଟଙ୍କା ରହିଥିବା ବେଳେ ଏଥିରେ କିଛିଟା ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି। ସେହିପରି ପନିର୍‌ କିଲୋ ଏବେ ୨୪୦ରୁ ୨୬୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଖୁଆ ଓ ଅନ୍ୟ ସାମଗ୍ରୀ ମଧ୍ୟ ଯଥାସମ୍ଭବ ବଢିବ ବୋଲି ଜଣାପଡିଛି। ମିଠା ବ୍ୟବସାୟୀ କପିଳଚନ୍ଦ୍ର ଭୋଳଙ୍କ କହିବା ଅନୁଯାୟୀ, କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଲେ ଛେନା କିଲୋପ୍ରତି ୧୦ ଟଙ୍କା ବଢିଥାଏ। ତେଣୁ କ୍ଷୀର ଦର ବଢିଥିବା ବେଳେ ଛେନା ଦର ଆଗକୁ ବୃଦ୍ଧି ପାଇବା ନିଶ୍ଚିତ। ତେଣୁ ଆଉ ୫ ଟଙ୍କିଆ ମିଠା ବିକ୍ରି କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ବାରିପଦା ସହରର ପ୍ରତିଷ୍ଠିତ ଗଜାନନ ମିଠା ଦୋକାନର ମାଲିକା ଜ୍ୟୋତିରଂଜନ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର